ବାଙ୍କୀର ବିଭିନ୍ନ ସ୍ଥାନରେ ବାହୁଡା ଯାତ୍ରା
ବାଙ୍କୀ : ବାଙ୍କୀର ବିଭିନ୍ନ ସ୍ଥାନରେ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଡମପଡାଗଡ ପ୍ରଭୁ ଶ୍ରୀ ମହିମାମଣୀ ଦେବ ଶ୍ରୀ ଜଗନ୍ନାଥ ପବିତ୍ର ବାହୁଡା ଯାତ୍ରା ଶନିବାର ଦିନ ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ପାଗ ପ୍ରତିକୂଳ ହେତୁ ଦେଢଘଣ୍ଟା ବିଳମ୍ବରେ ଜଗନ୍ନାଥ, ବଳଭଦ୍ର ଓ ଶୁଭଦ୍ରାଙ୍କୁ ଯଥାରିତୀ ମତେ ପହଣ୍ଡି କରାଯାଇ ରଥାରୁଢ କରାଯାଇଥିଲା । ଶ୍ରୀ ଗୁଣ୍ଡିଚା ମନ୍ଦିର ଛାଡି ଭକ୍ତ ମାନଙ୍କ ଗହଣରେ ବାହୁଡା ଯାତ୍ରାରେ ମହାପ୍ରଭୁ ଶ୍ରୀ ମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି । ହଜାର ହଜାର ଭକ୍ତ ଆଧ୍ୟାତ୍ମିକ ଓ ଆବେଗର ସହିତ ରଥ ଟାଣି ପରମ ସୌଭାଗ୍ୟ ମନେ କରିଛନ୍ତି । ମୁଖ୍ୟ ପୂଜକ କୃଷ୍ଣ ଚନ୍ଦ୍ର ଦାସ, ନିତ୍ୟାନନ୍ଦ ସାମନ୍ତରାୟ, ତାପସ କୁମାର ଦାସଙ୍କ ଦ୍ୱାରା ପୂଜା ଯଥା ରିତୀମତେ ଅନୁଷ୍ଠିତ ହୋଇଥିଲା ବେଳେ ସମସ୍ତ ସେବାୟତ ମାନେ ବାହୁଡା ଯାତ୍ରାରେ ସହଯୋଗ କରିଥିଲେ । ଡମପଡା ତହସିଲଦାର କ୍ଷିତିଶ ବେହେରା, ରାଜସ୍ୱ ପରିଦର୍ଶକ ପବିତ୍ର ଦଳେଇଙ୍କ ସମେତ ତହସିଲ କାର୍ଯ୍ୟାଳୟର କର୍ମଚାରୀ, ଡମପଡାର ବହୁ ବୁଦ୍ଧିଜୀବି ଓ ବରିଷ୍ଠ ଓକିଲ ମାନସ ରଂଜନ ଧଳ ପ୍ରମୁଖ ଉପସ୍ଥିତିରେ ରଥଟଣା କାର୍ଯ୍ୟ ଶୃଙ୍ଖଳାର ସହ ଶେଷ ହୋଇଛି । ପୁଲିସ ପ୍ରଶାସନ ଓ ବିଦ୍ୟୁତ୍ ବିଭାଗର କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।
ସୁବର୍ଣ୍ଣପୁର ତୃତୀୟାଦେବଙ୍କ ବାହୁଡା ଯାତ୍ରା
ବାଙ୍କୀ : ପବିତ୍ର ବାହୁଡା ଯାତ୍ରା ଅବସରରେ ବାଙ୍କୀ ବ୍ଲକ ଅଧିନ ସୁବର୍ଣ୍ଣପୁର ତୃତୀୟାଦେବଙ୍କ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଅପରାହ୍ନରେ ମା ଗୁଣ୍ଡିଚା ଘରୁ ସେବାୟତ ମାନେ ପହଣ୍ଡି କରି ରଥାରୁଢ କରିବା ପରେ ରଥଟଣା ଆରମ୍ଭ ହୋଇଥିଲା । ସ୍ଥାନୀୟ ବିଭିନ୍ନ ଗ୍ରାମରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ବାହୁଡା ଯାତ୍ରାରେ ସାମିଲ ହୋଇ ପ୍ରଭୁଙ୍କ ରଥ ଦଉଡି ସ୍ପର୍ଶ କରି ପରମ ସୌଭାଗ୍ୟ ଲାଭ କରିଛନ୍ତି । ବାହୁଡାଯାତ୍ରାକୁ ଶୃଙ୍ଖଳିତ ସହ ସମାପନ କରିବା ପାଇଁ ପୁଲିସ ପ୍ରଶାସନ ଓ ରଥ କମିଟିର ସମସ୍ତ ସଦସ୍ୟ,ସ୍ୱେଚ୍ଛାସେବୀ ଓ ଗ୍ରାମ ମୁରବୀ ସକ୍ରିୟ ସହଯୋଗ କରିଛନ୍ତି।
ଚର୍ଚ୍ଚିକା ପୀଠରେ ବାହୁଡା ଯାତ୍ରା
ବାଙ୍କୀ : ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା ଚର୍ଚ୍ଚିକାଙ୍କ ପୀଠରେ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କଚେରୀ ପରିସର ସ୍ଥିତ ଶ୍ରୀ ଗୁଣ୍ଡିଚା ମନ୍ଦିରରୁ ପ୍ରଭୁ ଜଗନ୍ନାଥଙ୍କ ବାହୁଡା ଯାତ୍ରା ମନ୍ଦିର ଅଭିମୁଖେ ସମ୍ପନ୍ନ ହୋଇଛି । ବହୁ ଶ୍ରଦ୍ଧାଳୁ ଭକ୍ତ ମାନେ ଆନନ୍ଦ ଉଲ୍ଲାସର ସହ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ରଥ ଟଣା କାର୍ଯ୍ୟରେ ସାମିଲ ହୋଇ ପ୍ରଭୁଙ୍କର ଆଶିଷ ଲାଭ କରିଛନ୍ତି । ରଥ କମିଟିର ସମସ୍ତ ସଦସ୍ୟ, ଟ୍ରଷ୍ଟି ମେମ୍ବର ଓ ସେବାୟତଙ୍କ ଦ୍ୱାରା ସମସ୍ତ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଛି।
Comments are closed.