ବିଜେପିର ୨ ଦିନିଆ​​‌ ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ

ହାଇଦ୍ରାବାଦ : ବିଜେପିର ଦୁଇଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ ଶନିବାରଠାରୁ ହାଇଦ୍ରାବାଦରେ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ମନ୍ତ୍ରୀ ଅମିତ ଶାହା, ରାଜନାଥ ସିଂହ ଓ ନୀତିନ ଗଡ଼କରୀ, ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ବୃନ୍ଦ ଓ ୩୪୦ ଜଣ ପ୍ରତିନିଧି ବୈଠକରେ ଅଂଶଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ, ପଣ୍ଡିତ ଦିନଦୟାଲ୍‍ ଉପାଧ୍ୟାୟଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଦୁଇଦିନିଆ ବୈଠକର ସମସ୍ତ ଅଧିବେଶନରେ ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରିବେ । ବିଜେପି ସଭାପତି ଜେ.ପି. ନଡ୍ଡା ଆଜି ସକାଳେ ବିଜେପି କର୍ମକର୍ତ୍ତାମାନଙ୍କ ବୈଠକକୁ ଉଦ୍‍ଘାଟନ କରିଥିଲେ ।
ବିଜେପିର ଏହି ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକରେ ଦଳକୁ ଦକ୍ଷିଣାଞ୍ଚଳ ରାଜ୍ୟଗୁଡ଼ିକରେ ଅଧିକ ଶକ୍ତିଶାଳୀ କରିବା ପାଇଁ ରଣକୌଶଳ ଉପରେ ଆଲୋକପାତ କରାଯିବ । ଦଳର ନେତା ବସୁନ୍ଧରା ରାଜେ ସିନ୍ଧିଆ ସାମ୍ବାଦିକମାନଙ୍କୁ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନା ସମ୍ବନ୍ଧୀୟ ଏକ ପ୍ରସ୍ତାବ ଉପରେ ବୈଠକରେ ଆଲୋଚନା କରାଯିବ । ସେ କହିଛନ୍ତି, ତେଲଙ୍ଗାନା ସଂକ୍ରାନ୍ତ ଏକ ବିବୃତ୍ତି ଉପରେ ମଧ୍ୟ ଆଲୋଚନା ହେବ । ବିଜେପି ଜାତୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ୍‍ ସାମ୍ବାଦିକମାନଙ୍କୁ କହିଛନ୍ତି, ଦୀର୍ଘ ୧୮ ବର୍ଷର ବ୍ୟବଧାନ ପରେ ହାଇଦ୍ରାବାଦରେ ଜାତୀୟ କାର୍ଯ୍ୟକରିଣୀ ବୈଠକ ଅନୁଷ୍ଠିତ ହୋଇଛି ।

ପ୍ରଧାନମନ୍ତ୍ରୀ ଆସନ୍ତାକାଲି ସନ୍ଧ୍ୟାରେ ସିକନ୍ଦରାବାଦ ପ୍ୟାରେଡ୍‍ ଗ୍ରାଉଣ୍ଡ ଠାରେ ଏକ ସାଧାରଣ ସଭାରେ ଉଦ୍‍ବୋଧନ ଦେବେ । ତେଲଙ୍ଗନାର ୩୫ହଜାର ଭୋଟ ଗ୍ରହଣ କେନ୍ଦ୍ରର ବିଜେପି କର୍ମୀମାନେ ସେହି ବିଜୟ ସଂକଳ୍ପ ରାଲିରେ ଯୋଗଦେବେ । ସେହି ରାଲିରେ ସ୍ଥାନୀୟ ସଂସ୍କୃତି ଓ ପରମ୍ପରା ଉପରେ ଆଲୋକପାତ କରାଯିବାର ଆଶା କରାଯାଉଛି ।

Comments are closed.