www.samajalive.in
Monday, December 15, 2025
15.1 C
Bhubaneswar

ଗଣବିଧ୍ବଂସୀ ଜୈବିକ ମାରଣାସ୍ତ୍ର ବିଶ୍ବକୁ ବିପଦ

ଫେବୃୟାରୀ ଚବିଶ ତାରିଖରୁ ୟୁକ୍ରେନ ପରି ଛୋଟିଆ କିନ୍ତୁ ମନୋରମ ଓ ସମୃଦ୍ଧ ଦେଶକୁ ଋଷିଆ ପରି ଏକ ବୃହତ୍‌ ଓ ବଳଶାଳୀ ଦେଶ ଆକ୍ରମଣକରି ଚାଲିଛି। ଯଦିଓ ଖୁବ୍‌ହେଲେ ଗୋଟିଏ ସପ୍ତାହ ମଧ୍ୟରେ ଯୁଦ୍ଧ ଶେଷ ହୋଇଯିବ ବୋଲି ସାଧାରଣତଃ ବିଶ୍ୱାସ କରାଯାଉଥିଲା, ପ୍ରାୟ ଅଢେଇମାସ ପରେ ମଧ୍ୟ ଏହା ବନ୍ଦ ହୋଇନାହିଁ। କେବଳ ଆତ୍ମରକ୍ଷା ପାଇଁ ସଂଘର୍ଷ କରୁକରୁ ୟୁକ୍ରେନ ଦେଶ ଧ୍ୱଂସ ହେବାକୁ ବସିଲାଣି। ଏ ସଂଘର୍ଷରେ କାହାର ଦୋଷ କେତେ ତାହା ଆଲୋଚନା କରିବା ଏ ଲେଖାର ଉଦ୍ଦେଶ୍ୟ ନୁହେଁ; କିନ୍ତୁ ଋଷିଆ ଯେପରି ପରମାଣୁଅସ୍ତ୍ରର ଭୟ ଦେଖାଉଛି, କେତେବେଳେ ପରମାଣୁ ଅସ୍ତ୍ର ନହେଲେ ବି ଜୈବିକ ଓ ରାସାୟନିକ ଅସ୍ତ୍ର ବ୍ୟବହାର ନକରି ବସିବ କହି ହେଉନାହିଁ। ସାଦା ବୋମା ପକାଇ, ବଡବଡ କୋଠା ଭାଙ୍ଗି ଧୂଳିସାତ୍‌ କରିବା ଦ୍ୱାରା ବାୟୁମଣ୍ଡଳର ଯେଉଁ କ୍ଷତି ଘଟୁଛି, ହୁଏ ତ ତାକୁ ସୁଧାରିବାକୁ ଶହେବର୍ଷ ଲାଗିଯିବ। ଏଭଳି ପରିସ୍ଥିତିରେ ଜୈବିକ ଅସ୍ତ୍ର କିମ୍ବା ରାସାୟନିକ ଅସ୍ତ୍ର ପ୍ରୟୋଗର ପରିଣତି ମଧ୍ୟ ଭୟାବହ ହେବ ଏଥିରେ ସନ୍ଦେହ ନାହିଁ। ଏହି ପୃଷ୍ଠ ଭୂମିରେ ଏହି ଆଲୋଚନା।

ଦେହରେ ପିମ୍ପୁଡିଟେ କି ମାଛିଟେ ଚାଲିଲେ କି ବସିଗଲେ ଆମେ ଜାଣିପାରୁ ଏବଂ ଦେଖିପାରୁ ବୋଲି ତାକୁ ଧରି ବାହାର କରିଦେବାକୁ ଚେଷ୍ଟାକରୁ; କିନ୍ତୁ ଅଜାଣତରେ ଯେ ଲକ୍ଷଲକ୍ଷ ପ୍ରାଣୀ ଆମ ଦେହରେ ରହିଛନ୍ତି, ତାହା ଆମେ ଦେଖିପାରୁ ନାହେଁ କି ଜାଣିପାରୁନାହେଁ ! ଚମରେ, ଆଖିରେ, କାନରେ, ପାଟିରେ, ଦାନ୍ତମୂଳେ, ପେଟରେ, ଆଙ୍ଗୁଠି ସନ୍ଧିରେ ସବୁଠି ଏମିତି ଆଖିକୁ ଦେଖା ନଯାଉଥିବା ଲକ୍ଷଲକ୍ଷ ଅଣୁଜୀବ ରହିଛନ୍ତି। ଭାଇରସ, ବାକ୍ଟେରିଆଙ୍କଠୁ ଆରମ୍ଭକରି ନାଳଝାଡା ଜୀବାଣୁ, ମାଲେରିଆ ଜୀବାଣୁ, ହୁକ୍‍ୱର୍ମ, ଗୋଦର କୃମି, କାଛୁ, କୁଣ୍ଡିଆ ଜୀବାଣୁ, ସ୍ଥିର ଜଳରେ ଦେଖାଯାଉଥିବା ନେଳି ବା ଏଲ୍‍ଜି, ଛତୁ ଶ୍ରେଣୀର ଇଷ୍ଟ ମଧ୍ୟ ଅଣୁଜୀବ ଅଟନ୍ତି। ଅଣୁଜୀବଙ୍କ ଭିତରୁ କେତେକ ରୋଗ କରାନ୍ତି; କେତେକ ଉପକାର ବି କରନ୍ତି। କେତେକ ବାକ୍ଟେରିଆ ଖାଦ୍ୟ ହଜମ କରିବାରେ, ଦୁଧରୁ ଦହି କରିବାରେ ସାହାଯ୍ୟ କଲାବେଳେ ଛତୁଜାତିର ଇଷ୍ଟ କେକ, ପାଉଁରୁଟି, କାଞ୍ଜି ତିଆରି କରିବାରେ ସାହାଯ୍ୟ କରିଥାଏ। କେତେକ ବାକ୍ଟେରିଆଙ୍କ ସାହାଯ୍ୟରେ ନର୍ଦମାପାଣିକୁ ପିଇବାପାଣି ଭାବରେ ପରିଷ୍କାର କରିବାର ସମ୍ଭାବନା ବୈଜ୍ଞାନିକମାନେ ସୃଷ୍ଟି କଲେଣି। ଅନେକ ଉପକାରୀ ବାକ୍ଟେରିଆ ଚାଷରେ ଫସଲକୁ ପୁଷ୍ଟି ଯୋଗାଇଥାଆନ୍ତି। କେତେକ ଆଣ୍ଟିବାୟୋଟିକ ମଧ୍ୟ ବାକ୍ଟେରିଆଙ୍କ ଠାରୁ ତିଆରି ହୋଇଥାଏ।

- Advertisement -

ଅଣୁଜୀବ ଭାବରେ ଭାଇରସ ନାଁ ଶୁଣିଲା ମାତ୍ରେ ସମସ୍ତେ ଚମକି ପଡୁଥିବେ। କାରଣ ଦୁଇବର୍ଷ ହେଲା କରୋନା ଭାଇରସ ଲୋକମାନଙ୍କୁ ଆତଙ୍କିତ କରି ରଖିଛି। ହେଲେ କରୋନା ଭାଇରସ ୧୯୩୦ ମସିହାରୁ ଆମ ଆଖପାଖରେ ରହି ଆସିଛି। ପ୍ରଥମେ ୧୯୩୦ ମସିହାରେ କୁକୁଡାଙ୍କ ଫୁସଫୁସ ଓ ଶ୍ୱାସନଳୀକୁ ଆକ୍ରାନ୍ତକରି ଏହା ଚିହ୍ନଟ ହୋଇଥିଲା। ତା’ପରେ ୧୯୪୦ରେ ମୂଷାଙ୍କ ଶ୍ୱାସତନ୍ତ୍ରକୁ ଆକ୍ରାନ୍ତ କରିବା ଜଣାଗଲା ପ​‌େ​‌ର ୧୯୬୦ରେ ମଣିଷମାନଙ୍କୁ କରୋନା ଭାଇରସ ସଂକ୍ରମଣ କରିବା ଜଣାପଡିଲା। ୨୦୦୨ରେ ଚୀନର ଉହାନ ସହରରୁ ବାହାରି ୩୭ଟି ଦେଶରେ ଆଠଶହ ଲୋକଙ୍କୁ ମାରିଥିବା ସାର୍ସରୋଗ ମଧ୍ୟ ଗୋଟିଏ ଜାତିର କରୋନା ଭାଇରସ। ମୋଟ ଛତିଶ ଜାତିର କରୋନା ଭାଇରସ ଅଛନ୍ତି। ସେଥିରୁ ଦୁଇଟି ଜାତିଯୋଗୁଁ ଆମମାନଙ୍କୁ ସଧାରଣ ସର୍ଦି ହୋଇଥାଏ; କିନ୍ତୁ କୋଭିଡ କରୁଥିବା କରୋନା ଭାଇରସ ପୂର୍ବରୁ ଦେଖାଯାଇଥିବା କରୋନା ଜାତିମାନଙ୍କଠାରୁ ଭିନ୍ନ ଏବଂ ଅଧିକ ମାରାତ୍ମକ। ଏହା ଯୋଗୁଁ ପୃଥିବୀରେ ପ୍ରାୟ ଷାଠିଏ ଲକ୍ଷ ଏବଂ ଆମ ଦେଶରେ ପ୍ରାୟ ପାଞ୍ଚଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି। ଦେଶମାନଙ୍କ ଅର୍ଥନୀତି ଓ ଶିକ୍ଷାବ୍ୟବସ୍ଥା ଭୁଶୁଡି ପଡିଛି।

ଭାଇରସଙ୍କ ଯୋଗୁଁ ମଣିଷଙ୍କୁ ସର୍ଦି, ଇନଫ୍ଲୁଏଞ୍ଜା, ହାଡଫୁଟି, ମିଳିମିଳା, ବସନ୍ତ, ଏଡ୍ସ, କୋଭିଡ ଭଳି ରୋଗ ହେଲାବେଳେ, ବାକ୍ଟେରିଆଙ୍କ ପାଇଁ ହଇଜା, ଯକ୍ଷ୍ମା, ଟାଏଫଏଡ, ନିମୋନିଆ ଭଳି ରୋଗ ହୋଇଥାଏ। ଏମାନଙ୍କ ଯୋଗୁଁ ଗାଈଗୋରୁ, କୁକୁଡା, ବତକ, କୁକୁର, ବିଲେଇଙ୍କଠାରୁ ଆରମ୍ଭକରି ବାଡି ବଗିଚାରେ ଗଛଲତା ପର୍ଯ୍ୟନ୍ତ ରୋଗାକ୍ରାନ୍ତ ହୋଇଥାଆନ୍ତି। ଅଣୁଜୀବଙ୍କ ମଧ୍ୟରେ ଭାଇରସ ବା ଭୂତାଣୁ ଅତି ଅଦ୍ଭୁତ। କାରଣ କୌଣସି ଜୀବ ଶରୀର ମଧ୍ୟରେ ପ୍ରବେଶକଲେ ଯାଇ ତାହା ସଜୀବ ପରି ନିଜର ବଂଶବୃଦ୍ଧି କରି ରୋଗ ବଢାଇଥାଏ। ଜୀବ ଶରୀର ବାହାରେ ବାୟୁମଣ୍ଡଳରେ ଥିଲେ ମାତ୍ର କେଇ ଘଣ୍ଟାରେ ନିର୍ଜୀବ ହୋଇ ପଡି ରହେ। ସେଇଥିପାଇଁ କୋଭିଡ ରୋଗରୁ ରକ୍ଷା ପାଇବା ଲାଗି ପରସ୍ପର ଠାରୁ ଛଅ-ସାତଫୁଟ ଦୂରତା ରଖିବାକୁ, ମାସ୍କରେ ମୁହଁ, ନାକ ଘୋଡାଇ ରଖିବାକୁ, ବାରମ୍ବାର ସାବୁନରେ ହାତ ଧୋଇବାକୁ, ରାସ୍ତାରେ ଛେପ, ସିଂଘାଣି, ଖଙ୍କାର ନ ପକାଇବାକୁ କୁହାଯାଉଛି।

ଭାଇରସ ଓ ବାକ୍ଟେରିଆ ଖାଲି ଆଖିକୁ ଦିଶିବେ ନାହିଁ, ମାରାତ୍ମକ ରୋଗ କରାଇବେ – ଏହି କାରଣରୁ କେତେକ ଦେଶ ଓ ଯୁଦ୍ଧଖୋର ବ୍ୟକ୍ତି ରୋଗ କରୁଥିବା ବାକ୍ଟେରିଆ ଓ ଭାଇରସକୁ ଯୁଦ୍ଧରେ ମାରଣାସ୍ତ୍ର ଭଳି ବ୍ୟବହାର କରିବା ଲାଗି ବିଭିନ୍ନ ସମୟରେ ଚିନ୍ତା କରିଛନ୍ତି। ଏମାନଙ୍କର ରୋଗ କରାଇବା ଶକ୍ତି ଜଣାପଡିବା ପୂର୍ବରୁ ତ୍ରୟୋଦଶ ଏବଂ ଚତୁର୍ଦଶ ଶତାବ୍ଦୀରେ ମଧ୍ୟ ୟୁରୋପ ଓ ପଶ୍ଚିମ ଏସିଆର କେତେକ ଦେଶରେ କେଉଁଠି ଶତ୍ରୁପକ୍ଷର କୂଅ, ପୋଖରୀରେ ବିଷାକ୍ତ ଛତୁଗୁଣ୍ଡ ପକାଯାଉଥିଲା ତ ଆଉ କେଉଁଠି ହଇଜା ବସନ୍ତରେ ମରୁଥିବା ନିଜ ପକ୍ଷ ଲୋକଙ୍କ ଶବକୁ ଶତ୍ରୁ ରାଜ୍ୟ ଭିତରେ ସର୍ବସାଧାରଣ ଚଳପ୍ରଚଳ କରୁଥିବା ସ୍ଥାନରେ ବା ଜଳାଶୟରେ ଫିଙ୍ଗି ଦିଆଯାଉଥିଲା।

ଆଧୁନିକ ଜ୍ଞାନକୌଶଳର ବିକାଶ ପରେ, ୧୭୬୩ ମସିହାରେ ଆମେରିକାର ସ୍ୱାଧୀନତା ଆନ୍ଦୋଳନକୁ ଭଣ୍ଡୁର କରିବା ଲାଗି ବ୍ରିଟିଶ ସୈନ୍ୟ ଆମେରିକାରେ ଜନଗହଳି ସ୍ଥାନମାନଙ୍କରେ ବସନ୍ତରୋଗ ଜୀବାଣୁ ଛାଡିଦେଇଥିଲେ। ସେହିପରି ୧୭୮୯ ମସିହାରେ ବ୍ରିଟିଶସେନା ଅଷ୍ଟ୍ରେଲିଆରେ ମଧ୍ୟ ବସନ୍ତ ଜୀବାଣୁ ଛାଡିଦେଇଥିଲେ। ପ୍ରଥମ ବିଶ୍ୱଯୁଦ୍ଧରେ ଜର୍ମାନୀସେନା ଶତ୍ରୁପକ୍ଷର ଘୋଡା, କୁକୁର ଭଳି ପ୍ରାଣୀଙ୍କୁ ସଂକ୍ରମିତ କରିବାଲାଗି ଆନ୍ଥ୍ରାକ୍ସ ରୋଗଜୀବାଣୁ ପ୍ରୟୋଗ କରିଥିଲେ ଓ ପଶୁମାନଙ୍କଠାରୁ ତାହା ମଣିଷଙ୍କୁ ଆକ୍ରାନ୍ତ କରିଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭରେ ପଶୁମାନଙ୍କଠାରେ ଆନ୍ଥ୍ରାକ୍ସ, ଠେକୁଆଜ୍ୱର ବା ଟୁଲେରେମିଆ ଭଳି ରୋଗ କରାଉଥିବା ବାକ୍ଟେରିଆ ବହୁସଂଖ୍ୟାରେ ସୃଷ୍ଟିକରି ଯୁଦ୍ଧରେ ବ୍ୟବହାର କରିବାଲାଗି ବ୍ରିଟେନ ତରଫରୁ ଜୋରଦାର ପରୀକ୍ଷା ଚାଲିଥିଲାବେଳେ ତାହା ଲିକ୍‍ହୋଇ ନିଜ ଦେଶର ପଶୁଙ୍କୁ ରୋଗାକ୍ରାନ୍ତ କଲା ଏବଂ ପଶୁଙ୍କଠାରୁ ମଣିଷମାନଙ୍କୁ ଡେଇଁ ଏପରି ଅବସ୍ଥା ସୃଷ୍ଟିକଲା ଯେ ତାକୁ ବ୍ୟବହାରକରି ଶତ୍ରୁପକ୍ଷକୁ ସଂକ୍ରମିତ କରିବାପାଇଁ ସୁଯୋଗ ବି ମିଳିଲା ନାହିଁ।

ରୋଗଜୀବାଣୁଙ୍କୁ ବୋମା ରୂପେ ବ୍ୟବହାର କରିବା ଉଦ୍ଦେଶ୍ୟରେ ଆମେରିକା, ବ୍ରିଟେନ, ଋଷିଆ, ଚୀନ, ଜାପାନଭଳି ଦେଶଗୁଡ଼ିକରେ ମୁଖ୍ୟତଃ ପିତ୍ତଜ୍ୱର, ଇନଫ୍ଲୁଏଞ୍ଜା, ଡେଙ୍ଗୁଜ୍ୱର, ବସନ୍ତ, ଏନସେଫାଲିଟିସ ବା ମସ୍ତିଷ୍କଜ୍ୱର ପରି ପ୍ରାୟ ଏକୋଇଶ ପ୍ରକାର ରୋଗ କରୁଥିବା ଭୂତାଣୁଙ୍କ ଉପରେ ଗବେଷଣା ଆରମ୍ଭ ହୋଇଥିଲା। ସେହିପରି କଲେରା, ଟାଏଫଏଡ, ଟିଟାନସ, ପ୍ଲେଗ, ଆନ୍ଥ୍ରାକ୍ସଭଳି ରୋଗ କରାଉଥିବା ଚଉଦ ପ୍ରକାର ବାକ୍ଟେରିଆଙ୍କୁ ଜୀବାଣୁ ବୋମାରେ ବ୍ୟବହାର କରିବା ଲାଗି ଗବେଷଣା କରାଯାଉଥିଲା। ଫିମ୍ପି ଓ କବକ ଜାତିର କେତେକ ଜୀବଙ୍କୁ ମଧ୍ୟ ଜୀବାଣୁ ବୋମାରେ ବ୍ୟବହାର କରାଯାଇପାରେ। କୋଟିକୋଟି ଜୀବାଣୁଙ୍କୁ ଅତି ଛୋଟିଆ ମୁଣିରେ ବା ଏକ କ୍ୟାପସୁଲ ଆକାର ଖୋଳରେ ରଖି ସହଜରେ, ସମସ୍ତଙ୍କ ଅଜାଣତରେ ଶତ୍ରୁ ଦେଶର ଜନଗହଳି ସ୍ଥାନରେ ପକାଇ ଦେଇହେବ। ଜୀବାଣୁବୋମା ମିଳିଲେ ଆତଙ୍କବାଦୀମାନେ ଆକ୍ରମଣଲାଗି ଉଡାଜାହାଜ କି ମଟରଗାଡି ବ୍ୟବହାର କରିବା ଆବଶ୍ୟକ ହେବନାହିଁ। ଜୀବାଣୁବୋମା ଆକ୍ରମଣରେ ଶତ୍ରୁପକ୍ଷର ବହୁ ବ୍ୟାପକ କ୍ଷତି କରାଯାଇପାରିବ। ଡାକ୍ତର ଓ ବୈଜ୍ଞାନିକମାନେ ଏଭଳି ଜୀବାଣୁ ଆକ୍ରମଣ ଜନିତ ରୋଗର ଚିକିତ୍ସା ଓ ପ୍ରତିଷେଧକ ବାହାର କଲାବେଳକୁ ଅନେକ ନିରୀହ ଲୋକ ମରି ସାରିଥିବେ ଏବଂ ଶତ୍ରୁଦେଶର ଅର୍ଥନୀତି, ଶିକ୍ଷାବ୍ୟବସ୍ଥା ଭୁଶୁଡି ସାରିଥିବ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରୁ ଚିନ୍ତା କରାଯାଇ ଜୀବାଣୁବୋମା ଗବେଷଣା ୧୯୫୦ ରୁ ୧୯୫୬ ମସିହା ପର୍ଯ୍ୟନ୍ତ ଜୋରସୋର ଚାଲିଲାପରେ କେତେକ ସମ୍ବେଦନଶୀଳ ବ୍ୟକ୍ତିଙ୍କ ଉଦ୍ୟମରେ ୧୯୫୬ ବେଳକୁ କେତେକ ଦେଶରେ ଏ ପ୍ରକାର ଗବେଷଣା ବନ୍ଦ କରିଦିଆଗଲା ଏବଂ ୧୯୭୨ ମସିହାରେ ଜାତିସଂଘ ଜରିଆରେ ଏ ପ୍ରକାର ଗବେଷଣାକୁ ବନ୍ଦ୍‌ କରିବାଲାଗି ପ୍ରସ୍ତାବ ହେଲାପରେ ୧୯୭୫ ମସିହା ସୁଦ୍ଧା ମାତ୍ର ବାଇଶଟି ଦେଶ ଏହି ପ୍ରସ୍ତାବକୁ ମାନିବେବୋଲି ସମ୍ମତ ହୋଇଥିଲେ। ତଥାପି ୧୯୭୯ରେ ସୋଭିଏଟ ୟୁନିୟନ ଜୀବାଣୁବୋମା ତିଆରି କରୁଥିବା ଜଣାପଡିଥିଲା ଏବଂ ୧୯୮୦ ମସିହାରେ ଆତଙ୍କବାଦୀମାନେ ଜୀବାଣୁବୋମା ଓ ବିଷାକ୍ତ ଗ୍ୟାସ ପ୍ରୟୋଗ କରୁଥିବା ଜଣାପଡିଥିଲା।

୨୦୦୧ରେ ଆମେରିକାର ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ଆତଙ୍କବାଦୀ ଆକ୍ରମଣପରେ କେତେକ ଚିଠିରେ ଆନ୍ଥ୍ରାକ୍ସଜୀବାଣୁ ପଠାଯାଇଥିବାରୁ ଆମେରିକାରେ କେତେ ଲୋକ ମଧ୍ୟ ପ୍ରାଣହରାଇଥିଲେ। ଏଭଳି ବିଭିନ୍ନ ସ୍ଥାନରେ ସରକାରଙ୍କ ଜାଣତରେ ଆତଙ୍କବାଦୀମାନେ ଜୀବାଣୁବୋମା ଓ ବିଷାକ୍ତ ଗ୍ୟାସ ବ୍ୟବହାର କରି ସାଧାରଣ ଲୋକଙ୍କୁ ହତ୍ୟା କରୁଥବା ଘଟଣା ଜଣାପଡିବା ପରେ ପୁଣି ଜାତିସଂଘ ଜରିଆରେ ଏହି ସମସ୍ୟାର ସମାଧାନ ପାଇଁ ବ୍ୟଗ୍ରତା ପ୍ରକାଶ ପାଇଲା। ଜାତିସଂଘର ସଭ୍ୟ ରାଷ୍ଟ୍ରମାନେ ଏଭଳି ଜଘନ୍ୟ କାର୍ଯ୍ୟକୁ ବନ୍ଦ କରିବା ଲାଗି ନିଜ ଦେଶରେ ଦୃଢ ଆଇନ ତିଆରି କରନ୍ତୁ ଓ ସମ୍ପୃକ୍ତ ଅପରାଧୀମାନଙ୍କ ପାଇଁ ଦଣ୍ଡବିଧାନ କରନ୍ତୁ ବୋଲି ୨୦୦୪ ମସିହାରେ ନି​‌େ​‌ର୍ଦଶନାମା ଜାରୀହେଲା। ୨୦୨୧ ମାର୍ଚ୍ଚ ସୁଦ୍ଧା ମୋଟ ୧୮୩ଟି ଦେଶ ଏଥି ସକାଶେ ସମ୍ମତି ପ୍ରକାଶ କରିଛନ୍ତି। ଏସବୁ ସ​‌େ​‌ତ୍ତ୍ବ ଏବେ ମଧ୍ୟ ଏଭଳି ଗବେଷଣା ଚାଲିଛି ଓ ଗବେଷଣାଗାରରୁ ଲିକ୍‍ ହୋଇକି ହେଉ ବା ଅସାବଧାନତା ଯୋଗୁଁ ହେଉ, ଅନିଚ୍ଛାକୃତ ଭାବେ ନୂଆନୂଆ ମାରାତ୍ମକ ଜୀବାଣୁ ଜନସାଧାରଣଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରୁଛନ୍ତି।

ସେହିପରି କେତେକ ରାସାୟନିକ ପଦାର୍ଥକୁ ମଧ୍ୟ ଯୁଦ୍ଧଖୋର ବ୍ୟକ୍ତିମାନେ ଗଣବିଧ୍ୱଂସୀ ମାରଣାସ୍ତ୍ର ଭାବରେ ବ୍ୟବହାର କରିବାର ଆଶଙ୍କା ରହିଛି। ରାସାୟନିକ ଗ୍ୟାସ୍‍ ଦ୍ବାରା ଦେହରେ ବିସ୍ଫୋଟ ସୃଷ୍ଟିକରି, ଶ୍ୱାସରୋଧକରି, ରକ୍ତ ଓ ସ୍ନାୟୁ ସମ୍ବନ୍ଧିତ ରୋଗ ସୃଷ୍ଟିକରି ଗଣହତ୍ୟା କରାଯାଇପାରେ। ଏହି ଦୃଷ୍ଟିରୁ ପ୍ଲାଷ୍ଟିକ ତିଆରିରେ ବ୍ୟବହାର କରାଯାଉଥିବା ଫସଜିନଗ୍ୟାସ, କ୍ଲୋରିନଗ୍ୟାସ, ଜଡାମଞ୍ଜିରୁ ତିଆରି ହେଉଥିବା ରାଇସିନ ଗ୍ୟାସ ପ୍ରଭୃତି ଅତି ମାରାତ୍ମକ ରାସାୟନିକ ଅସ୍ତ୍ର। କ୍ଷମତା ଓ ପ୍ରତିପତ୍ତି ପାଇଁ ବ୍ୟାକୁଳ ନହୋଇ, ବସୁଧୈବ କୁଟୁମ୍ବକମ୍‍ ନୀତିକୁ ଆପଣାଇ ବିଶ୍ୱ ଭ୍ରାତୃତ୍ୱର ପ୍ରତିଷ୍ଠା ଓ ନିଃସ୍ୱାର୍ଥପରତା ମାଧ୍ୟମରେ ଏ ପ୍ରକାର ମାରାତ୍ମକ ସ୍ଥିତିକୁ ବଦଳାଇ ହେବ। ଏହା ହିଁ ଆଜିର ସବୁଠାରୁ ବଡ ଆହ୍ୱାନ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories