ଜିଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା ବୈଠକ ଆୟୋଜିତ
ସମ୍ବଲପୁର: ସମ୍ବଲପୁର ଜିଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା ବୈଠକ ଶନିବାର ଆୟୋଜିତ ହୋଇଯାଇଛି। ସ୍ଥାନୀୟ ସର୍ବଶିକ୍ଷା ଅଭିଯାନର ସମ୍ମୁଳନୀ କକ୍ଷରେ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜୁନ ମାସରୁ ଅକ୍ଟୋବର ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି ମତ ପ୍ରକାଶ ପାଇଥିଲା। ଏହି ମାସ ଗୁଡିକରେ ବାତ୍ୟା, ପ୍ରାକୃତିକ ବିପର୍ଯ୍ୟୟ ଆଦି ଆସିଥିବାର ନଜୀର ରହିଥିବାରୁ ଏହି ସମୟରେ ସମସ୍ତ ବିଭାଗ ନିଜକୁ ପ୍ରସ୍ତୁତ ରଖି ସୁଦୃଢ଼ ରହିବାକୁ ବୈଠକରେ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ରିଲିଫ, ଉଦ୍ଧାର, ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ପ୍ରାଣୀସେବା, ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ, ବିଦ୍ୟୁତ, ଶୁଖିଲା ଖାଦ୍ୟ, ଆଶ୍ରୟ ସ୍ଥଳ, ଔଷଧ ଇତ୍ୟାଦି ବ୍ୟବସ୍ଥାକୁ ପ୍ରସ୍ତୁତ କରି ରଖିବାକୁ ଜିଲାପାଳ ବିଭାଗ ଗୁଡିକୁ ନିର୍ଦ୍ଦେଶ ଦେଇଥିଲେ। ପଶୁ ଖାଦ୍ୟ, ପ୍ରାଣୀ ସେବା ଶିବିର ଖୋଲିବା, ମହିଳା, ଶିଶୁ, ଶାରୀରିକ ଓ ମାନସିକ ଭିନ୍ନକ୍ଷମ ବ୍ୟକ୍ତି ଓ ବୟସ୍କ ବ୍ୟକ୍ତି ମାନଙ୍କ ପ୍ରତି ବିଶେଷ ଦୃଷ୍ଟି ଦେବା, ଅଗ୍ନିଶମ ଓ ଓଡ୍ରାଫ୍ଟ ବାହାନୀ ସମସ୍ତ ପ୍ରସ୍ତୁତି ସହିତ ସଜାଗ, ପ୍ରାକୃତିକ ବିପର୍ଯ୍ୟୟର ଉତ୍ତମ ପରିଚାଳନା ନିମନ୍ତେ ନିଜ ବିଭାଗର ପୂର୍ବ ପ୍ରସ୍ତୁତି ସହ ଅନ୍ୟ ବିଭାଗ ସହିତ ଉତ୍ତମ ସମନ୍ୱୟ ରଖି କାର୍ଯ୍ୟ କଲେ ନିଶ୍ଚିତ ଭାବରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସଫଳ ହୋଇ ପାରିବା ବୋଲି ଜିଲାପାଳ ପରିଡ଼ା ଏହି ଅବସରରେ କହିଛନ୍ତି।
ଏଥି ସହ ବାତ୍ୟ ପ୍ରସ୍ତୁତି ନିମନ୍ତେ ବିଭିନ୍ନ ବିଭାଗର ଅଧିକାରୀ ବିଭାଗର ପ୍ରସ୍ତୁତି ସର୍ମ୍ପକରେ ଜିଲାପାଳଙ୍କୁ ଅବଗତ କରାଇଥିଲେ। ସମ୍ବଲପୁର ମହାନଗର ନିମଗ ଅଞ୍ଚଳର ପ୍ରଭାବିତ ହେବାକୁ ଥିବା ତଳିଆ ଅଞ୍ଚଳ ସମେତ ମାନେଶ୍ୱର ବ୍ଲକର ଧମା ଅଞ୍ଚଳରେ ସମସ୍ତ ପ୍ରକାରର ଆଗୁଆ ପଦକ୍ଷେପ ନେବା ସହ ପ୍ରଭାବିତ ଅଞ୍ଚଳକୁ କିପରି ତୁରନ୍ତ ରେସପନ୍ସ କରି ତାହାର ପ୍ରତିକାର କରାଯିବ ତାହ ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ ଅଟେ। ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପ୍ରତ୍ୟେକ ଜୀବନ ମୂଲ୍ୟବାନ କୁ ପାଥେୟ କରି ଉତ୍ତମ ଭାବରେ ସମସ୍ତ ପ୍ରସ୍ତୁତି କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ଉମକାନ୍ତ ରାଜ, ପର୍ଯ୍ୟବେକ୍ଷକ ରୂପେ ଭୁବନେଶ୍ୱରରୁ ଆସିଥିବା ଓଏସଡିଏମଏ (ଫେକ୍ଟ୍ରି ଆଣ୍ଡ ବଏଲ) ର ସାଧାରଣ ପରିଚାଳକ ଡ. ମଳୟ କୁମାର ପ୍ରଧାନ, ଜରୁରୀକାଳୀନ ତଥା ଡେପୁଟି କଲେକ୍ଟର ଜୟଶ୍ରୀ ପାଢ଼ୀ, ସିଡିଏମଓ ଡା. ଅଶୋକ ଦାସ, ସୌମ୍ୟରଞ୍ଜନ ପଣ୍ଡା, ଜୟ ଜର୍ଜ, ଅଜିତ କୁମାର ରାୟ, ପ୍ରମୋଦ କୁମାର ଦାସ, ସୁଚିତ୍ର କୁମାର ମହାନ୍ତି, ଡା. ଡିବି ମିଶ୍ର, ରାମଚନ୍ଦ୍ର ଟୁଡୁ, ରାମଦାସ ଟୁଡୁ, ଜିତେନ୍ଦ୍ର କୁମାର ବିଶ୍ୱାଳ, ରାଜୀବ ରଞ୍ଜନ, ପ୍ରଭୁ ପ୍ରସାଦ ମହାରଣା ସମେତ ଅନେକ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହିଥିଲେ।
Comments are closed.