ଆଠଗଡ଼: ଆଠଗଡ଼ ଅଞ୍ଚଳରେ ସାଧାରଣ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ହିତାଧିକାରୀଙ୍କୁ କଣ୍ଟ୍ରୋଲ ସାମଗ୍ରୀ ବଣ୍ଟନରେ ବିଭିନ୍ନ ସମସ୍ୟା ଯୋଗୁଁ ହିତାଧିକାରୀ ଓ ଅଧିକୃତ ବିକ୍ରେତା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭାଗ ପକ୍ଷରୁ ଯୋଗଇ ଦିଆଯାଉଥିବା ଏକ ଟଙ୍କିଆ ଚାଉଳ ଓ ଗହମ ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ମାଗଣା ଚାଉଳ ଗହମ ସଂପୂର୍ଣ୍ଣ କୋଟା ଠିକଣା ସମୟରେ ଯୋଗାଇ ଦିଆନଯିବା, ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଥିବା ଅନଲାଇନ ବଣ୍ଟନ ପାଇଁ ପିଓଏସ ମେସିନ ଠିକ୍ ଭାବେ କାମ ନକରିବା ଏବଂ ସର୍ଭର ଅଧିକାଂଶ ସମୟ ଧିର ଗତି ବା ଅଚଳ ରହୁଥିବାରୁ ଏହି ସମସ୍ୟା ସୃଷ୍ଟି ହେଉଛି ବୋଲି ଆଠଗଡ଼ ବ୍ଲକ ଅଞ୍ଚଳରେ ସାମଗ୍ରୀ ବଣ୍ଟନ ଦାୟିତ୍ୱରେ ଥିବା ଅଧିକୃତ ବିକ୍ରେତା ଲିଖିତ ଭାବେ ସହକାରୀ ଯୋଗାଣ ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି। ଆଠଗଡ଼ ବ୍ଲକର ୩୪ଟି ପଞ୍ଚାୟତରେ ମୋଟ ୨୮୦୬୮ପରିବାରକୁ ରାସନକାର୍ଡ ଦିଆଯାଇଥିବାବେଳେ ଏଥିରେ ୧୦୦୮୮୮ଜଣ ଉପଭୋକ୍ତା ଉପକୃତ ହେଉଛନ୍ତି।
ଏଥିସହିତ ୩୧୬୧ଟି ଅନ୍ତୋଦୟ କାର୍ଡରେ ୧୦୧୭୭ଜଣ ଉପଭୋକ୍ତା, ୮୭ଟି ଅନ୍ନପୂର୍ଣ୍ଣା କାର୍ଡରେ ୮୭ଉପଭୋକ୍ତା ରାସନ ସାମଗ୍ରୀ ପାଇଥାନ୍ତି। ସେହିପରି ଆଠଗଡ଼ ଏନଏସି ଅଞ୍ଚଳରେ ୨୨୯୭ଟି ପରିବାରକୁ ରାସନକାର୍ଡ ଦିଆଯାଇଥିବାବେଳେ ଏଥିରେ ୭୩୮୩ ଜଣ ଉପଭୋକ୍ତା, ଅନ୍ତୋଦୟ ୬୨୦ଟି କାର୍ଡରେ ୧୭୯୯ଜଣ ହିତାଧିକାରୀ ଓ ଅନ୍ନପୂର୍ଣ୍ଣା ଯୋଜନାରେ ୧୨ଟି କାର୍ଡ ରହିଛି। ଆଠଗଡ଼ ବ୍ଲକରେ ୫୨ଜଣ ଏବଂ ଏନଏସିରେ ୪ଜଣ ଅଧିକୃତ ବିକ୍ରେତା ଏହି କାର୍ଡଧାରୀଙ୍କୁ ଚାଉଳ, ଗହମ ଓ କିରୋସିନ ଆଦି ଯୋଗାଇଥାନ୍ତି। ଗତ ଏପ୍ରିଲ, ମେ ଓ ଜୁନ ମାସର କୋଟାରୁ ପ୍ରଥମେ ୮୦ପ୍ରତିଶତ ଓ ମେ ୨୬ତାରିଖ ବେଳକୁ ୨୦ପ୍ରତିଶତ ସାମଗ୍ରୀ ଅଧିକୃତ ବ୍ୟକ୍ତି ବିକ୍ରେତାଙ୍କୁ ଯୋଗାଇ ଦିଆଯାଇଛି। ସେମାନଙ୍କୁ ଜୁନ ୫ତାରିଖ ମଧ୍ୟରେ ରାସନ ସାମଗ୍ରୀ ହିତାଧିକାରୀଙ୍କୁ ବଣ୍ଟନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଧିର ଇଣ୍ଟରନେଟ ଓ ସର୍ଭର ଡାଉନ ରହୁଥିବା ଯୋଗୁଁ ଅନଲାଇନ ବିକ୍ରୟ ପାଇଁ ପିଓଏସ ମେସିନ କାମ କରୁନାହିଁ।
ସେପଟେ ଅନଲାଇନ ବିକ୍ରୟ ସାଇଟକୁ ଗତ ୪ତାରିଖରୁ ବନ୍ଦ କରିଦିଆଯାଇଛି। ଫଳତଃ ଅଧିକୃତ ବିକ୍ରେତା କିପରି ସାମଗ୍ରୀ ଉପଭୋକ୍ତାଙ୍କୁ ଦେବେ ତାହା ଚିନ୍ତାର କାରଣ ହୋଇଥିବାବେଳେ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏପରି ଅବ୍ୟବସ୍ଥାକୁ କିପରି ସୁଧାରି ହେବ ସେ ଦିଗରେ ପଦକ୍ଷେପ ନେବା ପାଇଁ ଆଠଗଡ଼ ବ୍ଲକ ଓ ଏନଏସିର ସମସ୍ତ ଅଧିକୃତ ବିକ୍ରେତା ଲିଖିତ ଅଭିଯୋଗ କରି ଏହାର ସମାଧାନ କରିବାକୁ ସହକାରୀ ଯୋଗାଣ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସହକାରୀ ଯୋଗାଣ ଅଧିକାରୀ ଜଗମୋହନ ଦାସ ଅଧିକୃତ ବିକ୍ରେତାଙ୍କ ସମସ୍ୟା ସଂପର୍କୀତ ଲିଖିତ ଅଭିଯୋଗକୁ ଗ୍ରହଣ କରିବା ସହ ସମାଧାନ ଲାଗି କଟକ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ନିବେଦନ କରିଛନ୍ତି।



