ଜ୍ଞାନମଣ୍ଡଳ ଓଡ଼ିଆ ଜାତିର ଅମୂଲ୍ୟ ସଂପଦ: ମନ୍ତ୍ରୀ

ଜ୍ଞାନମଣ୍ଡଳ ପ୍ରଣେତା ବିନୋଦ କାନୁନଗୋଙ୍କ ଜୟନ୍ତୀରେ ସ୍ୱତନ୍ତ୍ର ପୁସ୍ତକ ପ୍ରଦର୍ଶନୀ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଜ୍ଞାନମଣ୍ଡଳର ପ୍ରଣେତା ଗାନ୍ଧୀବାଦୀ ସ୍ୱର୍ଗତ ବିନୋଦ କାନୁନଗୋଙ୍କ ୧୧୦ତମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରଠାରେ ଏକ ସ୍ୱତନ୍ତ୍ର ପୁସ୍ତକ ପ୍ରଦର୍ଶନୀ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଅବକାରୀ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ ଅସରନ୍ତି ଜ୍ଞାନର ଭଣ୍ଡାର ହେଉଛି ଜ୍ଞାନମଣ୍ଡଳ। ଏହା ଆମ ଜାତିର ଏକ ଅମୂଲ୍ୟ ସଂପଦ। ଯେଉଁ ଜାତିର ଭାଷା ଯେତେ ଶୁଦ୍ଧ ତାହାର ସଂସ୍କୃତି ସେତେ ସମୃଦ୍ଧ। ସାମାଜିକ ପରିବର୍ତ୍ତନ ପାଇଁ ସଂଗଠିତ ହୋଇଥିବା ଯେତେସବୁ ବଡ଼ ବଡ଼ ବିପ୍ଳବ ତାହା ଲେଖା ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇଛି। ଆମେ ପ୍ରତ୍ୟେକ ଦିନ ପଢ଼ିବା ପାଇଁ କିଛି ସମୟ ବାହାର କରିବା ଉଚିତ। ତେବେ ଯାଇ ବୌଦ୍ଧିକ ଚେତନାର ବିକାଶ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି । ଏହା ସହ ବିଭାଗର ଉନ୍ନତି ପାଇଁ ସୁଚିନ୍ତିତ ମତାମତ ଆଗ୍ରହ କରିଛନ୍ତି ।
ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଓ ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗଦେଇ କହିଛନ୍ତି ଯେ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସ୍ୱର୍ଗତ କାନୁନଗୋ ଜ୍ଞାନମଣ୍ଡଳ ରଚନା କରିଛନ୍ତି। ଏହି ପୁସ୍ତକଗୁଡ଼ିକୁ ସମସ୍ତେ ପଢ଼ିବା ଉଚିତ। ଧରାପୃଷ୍ଠରେ ଜନ୍ମଗ୍ରହଣ କରିଛନ୍ତି ଅର୍ଥ ଆମେ ଆଜି ନହେଲେ କାଲି ଧରାପୃଷ୍ଠ ଛାଡ଼ିବା, କିନ୍ତୁ ଲେଖା ସବୁବେଳେ ଅମର। ତେଣୁ ଆପଣମାନେ ପ୍ରତିଦିନ କିଛି ନା କିଛି ଲେଖନ୍ତୁ। ପ୍ରତିଦିନ ଲେଖିବା ଦ୍ୱାରା ଆପଣଙ୍କର ଭାଷାଗତ ଶୁଦ୍ଧତା ଆସିବ। ଆମେମାନେ ଅନୁବାଦ ସାହିତ୍ୟକୁ ଯେତିକି ଗୁରୁତ୍ୱ ଦେବା କଥା ସେତିକି ଦେଇନାହାନ୍ତି। ତେଣୁ ଆମ ସାହିତ୍ୟ ବିଶ୍ୱଦରବାରରେ ଆଶାତୀତ ପ୍ରତିଷ୍ଠା ଲାଭ କରିପାରିନାହିଁ। ଅନୁବାଦ ସାହିତ୍ୟ ଉପରେ ଗୁରୁତ୍ୱ ଦେବା ପାଇଁ ସେ ଲେଖକମାନଙ୍କୁ ପରାମର୍ଶ ଦେଇଛନ୍ତି।

prayash

ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ କଳେବର, କର୍ମଚାରୀ ସଂଖ୍ୟା ଦୃଷ୍ଟିକୋଣରୁ ବିଭାଗକୁ କେହି କେହି ଛୋଟ କହୁଛନ୍ତି, କିନ୍ତୁ ବିଭାଗ ଦ୍ୱାରା ଅନୁଷ୍ଠିତ କାର୍ଯ୍ୟକ୍ରମସମୂହର ପ୍ରଭାବ ଦିଗନ୍ତ-ବିସ୍ତାରୀ। ବିଭାଗ ୧୭୬ଟି ଦିବସ ପାଳନ କରୁଛି ଏବଂ ଆଗାମୀ ଦିନରେ ଅଧିକ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ଚେଷ୍ଟା ଜାରି ରଖିଛି। ଚିନ୍ତା ଓ ଚେତନା ଅନୁଷ୍ଠାନର ରାଷ୍ଟ୍ରୀୟ ମୁଖ୍ୟ ସଚିବ ଶ୍ରୀ ସୁରେନ୍ଦ୍ର ଦାସ ସ୍ୱର୍ଗତ ବିନୋଦ କାନୁନଗୋ ଜ୍ଞାନମଣ୍ଡଳଗୁଡ଼ିକୁ ଏକୁଟିଆ ଲେଖିଛନ୍ତି। ଲେଖିଲାବେଳେ କାହାର ସାହାଯ୍ୟ ନେଇନାହାନ୍ତି ବୋଲି ପ୍ରକାଶ କରିଛନ୍ତି। ଲେଖିବା ପାଇଁ ଇଚ୍ଛାଶକ୍ତି ପ୍ରବଳ ହେବା ଦରକାର ବୋଲି ସେ କହିଛନ୍ତି।
ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିବା ସହିତ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ବିବିଧ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ। ଛାତ୍ରଛାତ୍ରୀମାନେ ଦେଶର ଭବିଷ୍ୟତ ହୋଇଥିବାରୁ ସେମାନଙ୍କୁ ପାଠ୍ୟପୁସ୍ତକ ଯୋଗାଇବା ସହିତ କର୍ମଚାରୀମାନେ ସାଧ୍ୟମତେ ସେମାନଙ୍କୁ ଅନ୍ୟାନ୍ୟ ସାହାଯ୍ୟ କରୁଛନ୍ତି ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି।
ଏହି ଅବସରରେ ସ୍ୱର୍ଗତ କାନୁନଗୋଙ୍କ ସମେତ ରାଜ୍ୟ ଗ୍ରନ୍ଥାଗାରର ପ୍ରତିଷ୍ଠାତା ଡ. ହରେକୃଷ୍ଣ ମହତାବଙ୍କୁ ଅତିଥିମାନେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ପୁସ୍ତକପ୍ରେମୀ, ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

kalyan agarbati

Comments are closed.