ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ହକି ପ୍ରଶିକ୍ଷଣ
ବୌଦ୍ଧ : ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଖେଳପଡିଆଠାରେ ତୃଣମୂଳସ୍ତରୀୟ ଦିନିକିଆ ହକି ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି। ଜିଲା ଶିକ୍ଷା ଅଧିକାରୀ ଡଃ. ଉଦୟନାଥ ମାଝୀ ମୁଖ୍ୟଅତିଥି ଭାବରେ ଯୋଗଦେଇ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦଘାଟନ କରି ସମସ୍ତ ଛାତ୍ରଛାତ୍ରୀ ଆଗ୍ରହର ସହିତ ଉକ୍ତ ହକି ଖେଳର ବିଭିନ୍ନ କୌଶଳ ଶିଖିବାକୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧୃବ ଚରଣ ଘିବେଲା ଓ ଜିଲା କ୍ରିଡା ଅଧିକାରୀ ପବିତ୍ର କୁମାର ରାଉତ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ପାଇଁ ଅଧ୍ୟୟନ ସହିତ କ୍ରିଡା ମହତ୍ୱ ରହିଥିବାରୁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଲାଭ ଉଠାଇବାକୁ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।
କାର୍ଯ୍ୟକ୍ରମରେ ଜିଲା କ୍ରିଡା ପରିଦର୍ଶକ ଆନନ୍ଦ କୁମାର ବେହେରା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ରାଜ୍ୟସ୍ତରୀୟ ତୃଣମୂଳ ହକି ସଂଯୋଜକ ଶେଖର ଚନ୍ଦ୍ର ବେହେରା ହକି ଖେଳର ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ବୌଦ୍ଧ ଯୋଗେନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଶହେରୁ ଅଧିକ ଛାତ୍ରଛାତ୍ରୀ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦାନ କରି ହକି ଖେଳର ପ୍ରଶିକ୍ଷଣ ନେଇଥିଲେ। ଖେଳ ଶିକ୍ଷକ ଦଶରଥ ଭୋଇ,ତପନ କୁମାର ନାଏକ, ମମତା ଦାଶ, ଗାୟତ୍ରୀ ବେହେରା, ଅବସରପ୍ରାପ୍ତ ଖେଳ ଶିକ୍ଷକ ରଞ୍ଜିତ କୁମାର ରାଉତ ପ୍ରମୁଖ ଉପସ୍ଥିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Comments are closed.