ଓଁକାର ନୃତ୍ୟ ପ୍ରତିଷ୍ଠାନର ବାର୍ଷିକ ଉତ୍ସବ
ଆଠଗଡ:ଆଠଗଡର ଅନ୍ୟତମ ଅଗ୍ରଣୀ କଳା ଓ ସାଂସ୍କୃତିକ ଅନୁଷ୍ଠାନ ଓଁକାର ନୃତ୍ୟ ପ୍ରତିଷ୍ଠାନର ବାର୍ଷିକ ଉତ୍ସବ ଅବସରରେ ମହୋତ୍ସବ ପଡିଆଠାରେ ଚାଲିଥିବା ୨ଦିନିଆ ନୃତ୍ୟ ଉତ୍ସବ ସୋମବାର ରାତିରେ ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ତହସିଲଦାର ପ୍ରିୟବ୍ରତ ଦାସ ଯୋଗଦେଇ ଗଡଜାତର ଐତିହ୍ୟ, ପରମ୍ପରା, ଲୋକକଳା, କଳା ଓ ସଂସ୍କୃତିକୁ ଉଦ୍ଜୀବିତ ରଖିବା ଏବଂ ଉତ୍ତରପିଢ଼ୀଙ୍କ ମଧ୍ୟରେ ପ୍ରଚାର ପ୍ରସାର କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଓଁକାର ନୃତ୍ୟ ପ୍ରତିଷ୍ଠାନ ଏହି କାର୍ଯ୍ୟ କରିଥିବାରୁ ସେମାନେ ପ୍ରଶଂସାର ପାତ୍ର ବୋଲି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବିଶିଷ୍ଟ କବୟିତ୍ରୀ ପୁଲିନ ମିଶ୍ର ମତପ୍ରକାଶ କରିଥିଲେ।
୮ନଂ ୱାର୍ଡର ପାରିଷଦ ରାକେଶ ଭକ୍ତା ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦ୍ବୋଧନ ଦେଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଅନୁଷ୍ଠାନର ଉପସଭାପତି ଡାକ୍ତର ଉଦୟ ରଞ୍ଜନ ଦାଶ, ଅନୁଷ୍ଠାନର ପ୍ରତିଷ୍ଠାତା ସମୀର ପୃଷ୍ଟି ଉଦ୍ବୋଧନ ଦେଇଥିଲେ। ଉଦ୍ଯାପନୀ ଉତ୍ସବରେ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ସମ୍ବଲପୁରୀ, ଓଡିଶୀ, ଆଧୁନିକ ନୃତ୍ୟ ପରିବେଷଣ କରାଯାଇଥିଲା। ସାମ୍ବାଦିକ ଯଶୋବନ୍ତ ବାରିକ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ତାଙ୍କୁ ଏବଂ ସାମ୍ବାଦିକ ସନ୍ତୋଷ ବାରିକ, ନୃତ୍ୟଗୁରୁ ରମେଶ ସାହାଣୀ ଓ ସୁଶାନ୍ତ ଗୁରୁଙ୍କୁ ଏ ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।
Comments are closed.