ପୁରୁଷରେ କଟକ, ମହିଳାରେ ବାରଙ୍ଗ ଟିମ ଚମ୍ପିୟାନ୍
ପିପିଲିରେ ରାଜ୍ୟସ୍ତରୀୟ ଦିବାରାତ୍ରୀ କବାଡି ଉଦଯାପିତ
ପିପିଲି:ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ୱାନ ଭଏସ୍’ ପକ୍ଷରୁ ସୁନାପଦା ଗ୍ରାମସ୍ଥିତ ଖେଳପଡିଆ ଠାରେ ଚାଲିଥିବା ତିନିଦିନିଆ ରାଜ୍ୟସ୍ତରୀୟ ଦିବାରାତ୍ର କବାଡି ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। ଏଥିରେ ପୁରୁଷ ବିଭାଗରେ କଟକ ବାରବାଟୀ ଓ ମହିଳା ବିଭାଗରେ ବାରଙ୍ଗ ରେନ୍ବୋ ଟିମ ଚମ୍ପିଆନ୍ ହୋଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ସମ୍ବଲପୁର, ଯାଜପୁର, କଟକ, ଖୋର୍ଦ୍ଧା ଓ ପୁରୀ ଜିଲାରୁ ୨୦ଟି ପୁରୁଷ ଟିମ୍ ଓ ୧୬ଟି ମହିଳା ଟିମ୍ ଅଂଶଗ୍ରହଣ କରିଥିଲେ।
ଏହି ଟୁର୍ଣ୍ଣାମେଣ୍ଟର ମହିଳା ବିଭାଗର ସେମିଫାଇନାଲ ମ୍ୟାଚ୍ ଯଥାକ୍ରମେ କିଟ୍ ସହିତ କିଶୋର କ୍ଲବ ଏବଂ ବାରଙ୍ଗ ରେନବୋ ସହିତ ପଟିଆ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଫାଇନାଲ ମ୍ୟାଚ୍ ବାରଙ୍ଗ ରେନ୍ବୋ ଓ କିଶୋର କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ବାରଙ୍ଗ ରେନ୍ବୋ ବିଜୟ ହାସଲ କରି ଚମ୍ପିୟାନ ଘୋଷିତ ହୋଇଥିଲା। ସେହିପରି ପୁରୁଷ ବିଭାଗର ସେମିଫାଇନାଲ ମ୍ୟାଚ୍ ଯଥାକ୍ରମେ ପୁରୀ ସହିତ କିଶୋର କ୍ଲବ ଏବଂ କଟକ ବାରବାଟୀ ସହିତ ନେତାଜୀ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଫାଇନାଲ ମ୍ୟାଚ୍ କଟକ ବାରବାଟୀ ଓ କିଶୋର କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ କଟକ ବାରବାଟୀ ଟିମ୍ ବିଜୟ ହାସଲ କରି ଚମ୍ପିୟାନ ଘୋଷିତ ହୋଇଥିଲା। ଦୁଇ ଚମ୍ପିୟାନ ଦଳକୁୁ ଟ୍ରଫି ସହ ନଗଦ ଅର୍ଥ ପୁରଷ୍କାର ପ୍ରଦାନ କରାଯାଇ ସଂବର୍ଦ୍ଧିତ କରାଯାଇଥିଲା। ତୁତୀୟ ସ୍ଥାନରେ ରହିଥିବା ମହିଳା ବିଭାଗର କିଟ୍ ଓ ପଟିଆ ଟିମ୍ ଏବଂ ପୁରୁଷ ବିଭାଗର ପୁରୀ ଓ ନେତାଜୀ ସ୍ପୋର୍ଟିଙ୍ଗ ଟିମକୁ ସିଲ୍ଡ ପ୍ରଦାନ କରାଯାଇ ସଂବର୍ଦ୍ଧିତ କରାଯାଇଥିଲା। ପୁରୁଷ ବିଭାଗର ଶ୍ରେଷ୍ଠ କ୍ୟାଚର ଭାବେ ଅରବିନ୍ଦ ଖୁଣ୍ଟିଆ(କଟକ), ଶ୍ରେଷ୍ଠ ଅଲ୍ରାଉଣ୍ଡର ଭାବେ କରୁଣାକର ବେହେରା(କଟକ), ଶ୍ରେଷ୍ଠ ରେଡର ଭାବେ ମୁକେଶ ସାହୁ (କିଶୋର କ୍ଲବ) ଏବଂ ମହିଳା ବିଭାଗର ଶ୍ରେଷ୍ଠ କ୍ୟାଚର ଭାବେ ରାନୀ ସାହୁ(ବାରଙ୍ଗ), ଶ୍ରେଷ୍ଠ ଅଲ୍ରାଉଣ୍ଡର ଭାବେ ସରସ୍ୱତୀ ବେଉରା(ବାରଙ୍ଗ), ଶ୍ରେଷ୍ଠ ରେଡର ଭାବେ ଅଞ୍ଜଳୀ ଜଗଲାନ(କିଶୋର କ୍ଲବ) ମନୋନୀତ ହୋଇଥିବା ବେଳେ ସେମାନଙ୍କୁ ସିଲ୍ଡ ପ୍ରଦାନ କରାଯାଇ ସଂବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଆୟୋଜିତ ପୁରଷ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଓଡିଶା କବାଡି ଆସୋସିଏସନର ଯୁଗ୍ମ ସଂପାଦକ ସୂର୍ଯ୍ୟକାନ୍ତ ମହାନ୍ତି ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଯୁବନେତା ସରୋଜ କୁମାର ପ୍ରଧାନ, ଜଗନ୍ନାଥପୁର ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀଧର ନାୟକ ପ୍ରମୁଖ ଯୋଗଦେଇ ବିଜୟୀ ଦଳ ଓ କୃତୀ ଖେଳାଳିମାନଙ୍କୁ ପୁରଷ୍କୃତ କରିଥିଲେ।
ଆନ୍ତର୍ଜାତିକ ରେଫରୀ ସସ୍ମିତା ଦାସ, ମନସ୍ୱିନୀ ସାହୁ ଏବଂ ତାଙ୍କ ସହଯୋଗୀମାନେ ଏହି ଟୁର୍ଣ୍ଣାମେଣ୍ଟକୁ ପରିଚାଳନା କରିଥିଲେ। ଆୟୋଜକ ଅନୁଷ୍ଠାନର ସଂପାଦକ ସନ୍ତୋଷ କୁମାର ବିଶ୍ୱାଳ, ସଭାପତି ବିଶ୍ୱଜିତ ବେହେରା, ଉପସଭାପତି ପ୍ରସନ୍ନ କୁମାର ସ୍ୱାଇଁ, ସୁମନ୍ତ ବିଶ୍ୱାଳଙ୍କ ସମେତ ସମସ୍ତ ସଦସ୍ୟ ଓ ପୃଷ୍ଠପୋଷକମାନେ ଟୁର୍ଣ୍ଣାମେଣ୍ଟକୁ ପରିଚାଳନା କରିଥିଲେ।
Comments are closed.