ପରିତ୍ୟକ୍ତ ସିନ୍ଧୁକରୁ ମିଳିଲା ୧୩ କିଲୋ ରୁପା ଅଳଙ୍କାର
ବୌଦ୍ଧ: ବୌଦ୍ଧର ଐତିହାସିକ ଜିଲା ସଂଗ୍ରହାଳୟ ମଧ୍ୟରେ ଖୋଲା ଆକାଶ ତଳେ ପଡିଥିବା ଏକ ଲୁହା ସିନ୍ଧୁକରୁ ୧୩ କିଲୋ ୨୩୨ ଗ୍ରାମ ରୁପା ଓ ୮ ଗ୍ରାମ ଓଜନର ଅଷ୍ଟଧାତୁ ଅଳଙ୍କାର ଉଦ୍ଧାର କରାଯାଇଥିବା ଜଣାଯାଇଛି। ରାଜାଙ୍କ ସମୟର ପ୍ରାୟ ଦୁଇଶହ ବର୍ଷ ପୂରାତନ ଏହି ଅଳଙ୍କାର ବୋଲି କୁହାଯାଉଥିବାବେଳେ ଏହାର ରେକର୍ଡପତ୍ର କାହା ପାଖରେ ନଥିବା ସମସ୍ତଙ୍କୁ ବିସ୍ମିତ କରିଛି।
ସୂଚନା ଅନୁଯାୟୀ ଗତ ଦୁଇବର୍ଷ ତଳେ ବୌଦ୍ଧ ଟ୍ରେଜେରୀ କାର୍ଯ୍ୟାଳୟ ପରିଦର୍ଶନ ସମୟରେ ଜିଲାପାଳ ଲଲାଟେନ୍ଦୁ ମିଶ୍ର ତିନୋଟି ଲୁହା ସିନ୍ଧୁକ ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ। ସେତେବେଳେ ତିନୋଟି ଲୁହା ସିନ୍ଧୁକ ମଧ୍ୟରୁ ଗୋଟିଏ ସିନ୍ଧୁକରେ ତାଲା ପଡିଥିବାବେଳେ ଗୋଟିଏ ଖାଲିଥିଲା ଏବଂ ଆଉ ଗୋଟିଏ ସିନ୍ଧୁକର ଉପର ଢାଙ୍କୁଣି ନଷ୍ଟ ହୋଇଯାଇଥିଲା ଯାହାକୁ ଟ୍ରେଜେରୀ କର୍ମଚାରୀମାନେ ଡଷ୍ଟବିନ ଭାବରେ ବ୍ୟବହାର କରୁଥିଲେ। ସେହି ସମୟରେ ଜିଲା ସଂଗ୍ରାହାଳୟ ପାଇଁ ଯୋଜନା ଚାଲିଥିବାବେଳେ ଶାସକ ରାଜାଙ୍କ ସନ୍ତକ ହିସାବରେ ଉକ୍ତ ଲୁହା ସିନ୍ଧୁକ ତିନୋଟିକୁ ସଂଗ୍ରହାଳୟ ମଧ୍ୟରେ ରଖିବାର ନିଷ୍ପତ୍ତି ନେଇ ଜିଲାପାଳ ଶ୍ରୀ ମିଶ୍ର ତାହାକୁ ଉଦ୍ଧାର କରି ସଂଗ୍ରହାଳୟ ମଧ୍ୟକୁ ଅଣାଇଥିଲେ। ସଂଗ୍ରହାଳୟ ମଧ୍ୟରେ ଅନ୍ୟାନ୍ୟ ସାମଗ୍ରୀ ସଜାଇ ରଖାଯାଇଥିବାବେଳେ ସିନ୍ଧୁକ ତିନୋଟି ବହୁତ ଭାରି ଥିବାରୁ ସଂଗ୍ରହାଳୟ ପରିସରରେ ବାହାରେ ପଡି ରହିଥିଲା।
ପ୍ରାୟ ଏକବର୍ଷ ସଂଗ୍ରହାଳୟ ବାହାରେ ପଡିରହିବାପରେ ରବିବାର ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଶିକ୍ଷକ ବସନ୍ତ କୁମାର ସାହୁ, ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ ଓ ସହକାରୀ କୋଷାଗାର ଅଧିକାରୀଙ୍କ ଉପସ୍ଥିତିରେ ଜଣେ ତାଲା ମରାମତି କାରିଗରକୁ ଡାକି ବନ୍ଦ ହୋଇ ରହିଥିବା ସିନ୍ଧୁକର ତାଲା ଖୋଲାଯାଇଥିଲା। ବନ୍ଦ ଥିବା ସିନ୍ଧୁକ ମଧ୍ୟରୁ ମଳିନ ଦେଖାଯାଉଥିବା କିଛି ଅଳଙ୍କାର ଦେଖାଯିବା ପରେ ତୁରନ୍ତ ଏ ସଂପର୍କରେ ଜିଲାପାଳଙ୍କୁ ସୂଚନା ଦିଆଯାଇଥିଲା। ଜିଲାପାଳଙ୍କ ଉପସ୍ଥିତିରେ ସମସ୍ତ ପୂରାତନ ଅଳଙ୍କାର ସିନ୍ଧୁକରୁ ଉଦ୍ଧାର କରାଯାଇ ଦୁଇଜଣ ସୁନାରୀଙ୍କ ଦ୍ୱାରା ତାହାକୁ ସଫା କରାଯାଇଥିଲା। ଉଦ୍ଧାର କରାଯାଇଥିବା ଅଳଙ୍କାର ଗୁଡିକୁ ଓଜନ କରାଯିବାପରେ ୧୩ କିଲୋ ୨୩୨ ଗ୍ରାମର ରୁପା ଅଳଙ୍କାର ଓ ୮ ଗ୍ରାମର ଏକ ଅଷ୍ଟଧାତୁ ଅଳଙ୍କାର ମିଳିଥିବା ଜଣାଯାଇଛି। ଅଳଙ୍କାର ଗୁଡିକ ମଧ୍ୟରେ ୫୯ଟି ଛତ୍ର, ୪୩ଟି ନାଗ, ୮ଟି ମୁକୁଟ, ୨ଟି ଚାମର ବେଣ୍ଟ, ୮ ଗୋଟି ଗଦା, ୭ ଗୋଟି ଥାଳି ଗିନା, ୩ଟି ଖଗଳା, ୪୭ ଟି ପତ୍ର, ୧୫ଟି ମାଳା ପଦକ, ୨୨ ଟି ବିନ୍ଦି ସମେତ ଅନେକ ଭଙ୍ଗା ଅଳଙ୍କାର ଉଦ୍ଧାର କରାଯାଇଛି। ଅଳଙ୍କାର ଗୁଡିକ ରାଜା ରାଜୁଡା ସମୟର ହୋଇଥିବାବେଳେ ସେଥିରେ ୧୯୦୬ ମସିହାର କିଛି ରୁପା ମୁଦ୍ରା ରହିଥିବା ଜଣାଯାଇଛି। ଉଦ୍ଧାର କରାଯାଇଥିବା ପୂରାତନ ଅଳଙ୍କାରର ମୂଲ୍ୟ ବର୍ତମାନ ବଜାର ଦର ହିସାବରେ ୮ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଉଦ୍ଧାର କରାଯାଇଥିବା ଅଳଙ୍କାର ଗୁଡିକୁ ଉପଜିଲାପାଳ ସନତ କୁମାର ନାଏକ, ତହସିଲଦାର ଦେବୀପ୍ରସାଦ ଦାଶଙ୍କ ଉପସ୍ଥିତିରେ ଏକ ଟିଣ ବାକ୍ସରେ ସିଲ କରାଯିବା ସହିତ ଟ୍ରେଜେରୀ ମଧ୍ୟରେ ରଖାଯାଇଥିବା ଜଣାଯାଇଛି। ପରବର୍ତ୍ତି ସମୟରେ ଉକ୍ତ ଅଳଙ୍କାର ଗୁଡିକୁ ଜିଲା ସଂଗ୍ରହାଳୟ ମଧ୍ୟରେ ସ୍ଥାନ ଦିଆଯିବ ବୋଲି ଜଣାପଡିଛି। ଟ୍ରେଜେରୀ ମଧ୍ୟରେ ଅନେକ ମନ୍ଦିରର ଅଳଙ୍କାର ସହିତ ସରକାରୀ ସମ୍ପତି ରହିଥିବାବେଳେ ଏତେ ମାତ୍ରାରେ ଅଳଙ୍କାର ଥିବା ଲୁହା ସିନ୍ଧୁକ କିଭଳି ବାହାରେ ପଡି ରହିଥିଲା। ଯଦି ଟ୍ରେଜେରୀ ରେକର୍ଡରେ ଉକ୍ତ ସିନ୍ଧୁକ ନାହିଁ ତାହେଲେ ଏହା କେବେ ଅଣାଯାଇଥିଲା ଏବଂ କିଏ ଆଣିଥିଲା ତାହା ମଧ୍ୟ ତଦନ୍ତ ସାପେକ୍ଷ। ତେବେ କିଛି ଅଳଙ୍କାରରେ ବୌଦ୍ଧ ରାଜମାତା ବୋଲି ଉଲ୍ଲେଖ ରହିଥିବା ଜଣାପଡିଛି। ତେଣୁ ସ୍ୱାଧୀନତା ପରେ ଏହି ଲୁହା ସିନ୍ଧୁକ ଗୁଡିକୁ ଆଣି ଟ୍ରେଜେରୀରେ ରଖାଯାଇଥିବା ଅନୁମାନ କରାଯାଉଅଛି। ଦୁଇ ଗୋଟି ଲୁହା ସିନ୍ଧୁକ ଖାଲି ପଡିଥିବାବେଳେ ତାହାରି ମଧ୍ୟରେ କଣ ରହିଥିଲା ଏବଂ କେବେ ଖୋଲାଗଲା ତାହାର ମଧ୍ୟ କୌଣସି ରେକର୍ଡ ନଥିବା ଜଣାଯାଇଛି। ଜୈନିକ ଟ୍ରେଜେରୀ କର୍ମଚାରୀଙ୍କ ସୂଚନା ଅନୁଯାୟୀ ଲୁହା ସିନ୍ଧୁକ ତିନୋଟି ପୁରୁଣା ଟ୍ରେଜେରୀ କାର୍ଯ୍ୟାଳୟ ବାରଣ୍ଡାରେ ପଡି ରହିଥିଲା। ନୂତନ କୋଠାକୁ ଟ୍ରେଜେରୀ କାର୍ଯ୍ୟାଳୟ ଉଠିଯିବାପରେ ଲୁହା ସିନ୍ଧୁକ ତିନୋଟିକୁ ବହୁ କଷ୍ଟରେ ସେଠାକୁ ନିଆଯାଇଥିଲା ଏବଂ ସେହିଦିନଠାରୁ ସେସବୁ ଟ୍ରେଜେରୀ ପରିସରରେ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିଲା। ତେବେ ସିନ୍ଧୁକ ମଧ୍ୟରୁ ରୁପା ଅଳଙ୍କାର ବାହାରିବା ପରେ ତାହାକୁ ଦେଖିବା ପାଇଁ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବୃଦ୍ଧି ପାଇଛି। ତୁରନ୍ତ ସେଗୁଡିକୁ ସଂଗ୍ରହାଳୟ ମଧ୍ୟରେ ସ୍ଥାନ ଦେବାକୁ ସାଧାରଣରେ ମତପ୍ରକାଶ ପାଉଅଛି। ଅଳଙ୍କାର ଗୁଡିକ ସଫେଇ କାର୍ଯ୍ୟରେ ସଂଜିବ କୁମାର ସାହୁ ,ଦତାଦ୍ରୟ ସାହ,ନିଳଲୋହିତ ମହାପାତ୍ର,ସ୍ୱାଧୀନ କୁମାର ପରିଡା ପ୍ରମୁଖ ସହଯୋଗ କରିଥିଲେ।
Comments are closed.