ମତ୍ସ୍ୟଜିବୀଙ୍କ ଜୀବନ ଜୀବିକା ସୁଧାର ଆଣିବାରେ ସମର୍ଥ ହେଉନାହିଁ ଅଂଶୁପା

ବାଙ୍କୀ: ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ସରଣ୍ଡାଗଡ ପାଦଦେଶରେ ବୃହତ୍ତମ ମଧୁର ହ୍ରଦ ଅଂଶୁପା ଏବେ ଅଂଚଳବାସୀଙ୍କ ଜୀବନ ଜୀବିକାର ସୁଧାର ଆଣିବାରେ ସମର୍ଥ ହୋଇପାରୁନାହିଁ। ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ତମ ମଧୁର ହ୍ରଦର ମାନ୍ୟତା ପାଇଥିବା ଅଂଶୁପାର ବିକାଶ ପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ବ୍ୟେୟ କରାଯାଉଥିଲେ ବି ବାସ୍ତବରେ ଲୋକଲୋଚନରେ ଏହା ସେତେ ପ୍ରଭାବ ପକାଇ ପାରିନାହିଁ। ଚିଲିକା ଉନ୍ନୟନ ପରିଷଦ କର୍ତ୍ତୃପକ୍ଷଙ୍କ ପରିଚାଳନାରେ ସରଣ୍ଡାଗଡ ପାର୍ଶ୍ବସ୍ଥ ଅଂଶୁପା ପ୍ରାକୃତିକ ଉଦ୍ୟାନର ସୈାନ୍ଦର୍ଯ୍ୟକରଣ, ଅଂଶୁପାର କିଛି ଅଂଶ ଦଳ ସଫେଇ, ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ନୌକା ବିହାରର ବ୍ୟବସ୍ଥା, ପ୍ରାକୃତିକ ଉଦ୍ୟାନର ସୈାନ୍ଦର୍ଯ୍ୟୀକରଣ ଓ ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ବିବିଧ ବ୍ୟବସ୍ଥା କରାଯାଇଛି। ଯଦ୍ୱାରା ପର୍ଯ୍ୟଟକମାନେ ପର୍ଯ୍ୟଟନ ସ୍ଥଳୀକୁ ଆକୃଷ୍ଟ ହୋଇ ଆସି ପିକ୍ନିକ୍ ଓ ମନୋରଞ୍ଜନର ସୁବିଧା ନେଉଛନ୍ତି। ମାତ୍ର ବିଡମ୍ବନାର ବିଷୟ ଏଠାରେ ମହିଳା ସ୍ୱଂୟସହାୟକ ଗୋଷ୍ଠୀର ମହିଳା ମାନଙ୍କ ରୋଜଗାର କ୍ଷମତାକୁ ବଢାଇବା ପାଇଁ ସ୍ଥାନୀୟ ସୁବର୍ଣ୍ଣପୁର ଗ୍ରାମର ମତ୍ସ୍ୟଜିବୀ ପରିବାରର ମହିଳା ସ୍ୱଂୟସହାୟକ ଗୋଷ୍ଠୀର ମା’ମାନଙ୍କୁ ସହଯୋଗର ସୁଯୋଗ ଦିଆଯାଇଛି।

prayash

ମତ୍ସ୍ୟଜିବୀ ପରିବାରର ସଦସ୍ୟମାନେ ଅଂଶୁପା ହ୍ରଦକୁ ନିଜ ଜୀବନ ଓ ଜୀବିକାର ଜୀବନରେଖା ବୋଲି ବିବେଚନା କରିବା ସହ ପୁରୁଷାନୁକ୍ରମେ ଏହା ଉପରେ ନିର୍ଭର କରି ଆସୁଛନ୍ତି। କାଳକ୍ରମେ ଅଂଶୁପା ହ୍ରଦର ପୂର୍ବ ଓ ଉତ୍ତର ପାର୍ଶ୍ବ ଯଥା ସମ୍ଭବ ସଫେଇ ନହେବା, ନାଗା ଦଳ, ପଦ୍ମ ଦଳରେ ଭର୍ତ୍ତି ହେବା ପାଣି ହ୍ରାସ ପାଇଯିବା ଫଳରେ ପଙ୍କରେ ବୁଡି ରହିଥିବା ଅଂଶୁପାରେ ସୁବର୍ଣ୍ଣପୁର ଓ ମାଳବିହାରପୁର ଗ୍ରାମର ମତ୍ସଜିବୀମାନେ ପ୍ରଭାବିତ ହୋଇଛନ୍ତି। ଏପରିକି ଦିନେ ଦିନେ ଜାଲ କାଠୁଆ ଧରି ମାଛ ମାରିବାକୁ ଯାଇଥିଲେ ବି ନିରାଶ ହୋଇ ଫେରୁଛନ୍ତି। ପୂର୍ବପରି ଅଂଶୁପାର ସୁଆଦିଆ ରୋହି, ଭାକୁର, ମିରିକାଳି, ଚୁଙ୍ଗୁଡି, ମାଗୁର, ତୋଡି, ମହୁରାଡି କିମ୍ବା ପୋହଳା ମାଛ ମିଳୁନାହିଁ। କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଛ ଧରୁଥିବା ମତ୍ସ୍ୟଜିବୀ ରୋଜଗାର ନପାଇ ଏବେ ଦୁର୍ଦ୍ଦିନରେ ଜୀବନ କାଳାତିପାତ କରୁଛନ୍ତି। ସେହିପରି ବିଷ୍ଣୁପୁର ପାର୍ଶ୍ବରେ ଥିବା ଅଂଶୁପାର ଜଳସେଚନ ବ୍ୟବସ୍ଥା ପଙ୍କରେ ପୋତି ବିପର୍ଯ୍ୟସ୍ତ ହେବାରୁ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଚାଷ କରିବା ସଂକଟଜନକ ପରିସ୍ଥିତି ସୃଷ୍ଟି ହୋଇଛି। ବିଷ୍ଣୁପୁର ଗ୍ରାମର ଗ୍ରାମବାସୀଙ୍କ ଗାଧୋଇବା ତୁଠ ମଧ୍ୟ ପଙ୍କ ଓ ନାଗା ଦଳରେ ଭର୍ତ୍ତି ହୋଇଯିବାରୁ ଗ୍ରାମବାସୀଙ୍କ ସ୍ନାନାଦି କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଗ୍ରାମର କୌଣସି ଶୁଦ୍ଧକ୍ରିୟା କାର୍ଯ୍ୟ ସମ୍ପାଦନ ପାଇଁ ତୁଠ ସଂକଟ ପରିସ୍ଥିତି ସୃଷ୍ଟି କରିଛି। ଅଂଶୁପା ହ୍ରଦର ପୂର୍ବ ପାର୍ଶ୍ବର ଦଳ ସଫେଇ, ପଙ୍କ ଉଦ୍ଧାର କାର୍ଯ୍ୟ ଏବଂ ମତ୍ସ୍ୟଜିବୀମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଅଂଶୁପାରେ ଭରପୁର ମତ୍ସ୍ୟ ଚାଷ ପାଇଁ ସୁଯୋଗ ସୃଷ୍ଟି ହେଲେ ମତ୍ସ୍ୟଜିବୀମାନେ ବର୍ଷସାରା ରୋଜଗାର କରିପାରିବେ ବୋଲି ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ ଯେ ଅଂଶୁପା କୂଳରେ ଓସ୍ତିଆ ପଞ୍ଚାୟତର ଅନନ୍ଦପୁର ଠାରୁ ବିଷ୍ଣୁପୁର ଦେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ସ୍ୱତନ୍ତ୍ର ପିଚୁ ଓ କଂକ୍ରିଟ ରାସ୍ତା ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ସଂଯୋଗ ହେଲା ପରେ ପୂର୍ବପାର୍ଶ୍ବର ‌ସୌନ୍ଦର୍ଯ୍ୟକରଣ, ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ପାଇଁ ଦୃଷ୍ଟି ଓ ସରଣ୍ଡାଗଡ ପାର୍ଶ୍ବରୁ ବିଷ୍ଣୁପୁରକୁ ରୋପ୍ ୱେ ବ୍ୟବସ୍ଥା କରାଯିବା ଉଚିତ ବୋଲି ବୁଦ୍ଧିଜୀବି ମାନେ ପ୍ରକାଶ କରିଛନ୍ତି।

 

kalyan agarbati

Comments are closed.