ବିମାନ ଦୁର୍ଘଟଣା: ନିଖୋଜ ୪ ଭାରତୀୟ ଭୁବନେଶ୍ବର ବାସିନ୍ଦା
ଭୁବନେଶ୍ବର: ନେପାଳ ବିମାନ ଦୁର୍ଘଟଣାରେ ନିଖୋଜ ୪ ଭାରତୀୟଙ୍କ ପରିଚୟ ମିଳିଛି। ଏହି ୪ଜଣ ଭାରତୀୟ ଓଡ଼ିଶାର ବୋଲି ଜଣାପଡ଼ିଛି। ନିଖୋଜ ୨୨ ଯାତ୍ରୀଙ୍କ ମଧ୍ୟରେ ୪ଜଣ ଭାରତୀୟ ଥିବା ସୂଚନା ଦିଆଯାଇଥିଲା। ନିଖୋଜ ୪ ଭାରତୀୟ ଗୋଟିଏ ପରିବାରର ବୋଲି ସୂଚନା ଦିଆଯାଇଛି। ଓଡ଼ିଶାର ଏହି ୪ଜଣ ଭାରତୀୟ ଭୁବନେଶ୍ବର ଜୟଦେବ ବିହାର ବାସିନ୍ଦା ବୋଲି ଜଣାପଡ଼ିଛି। ସେମାନେ ହେଲେ ଅଶୋକ ତ୍ରିପାଠୀ, ଧନୁଷ, ଋତିକା ଓ ବୈଭବୀ ତ୍ରିପାଠୀ ବୋଲି ପରିଚୟ ମିଳିଛି। ସମସ୍ତେ ଗୋଟିଏ ପରିବାର ହୋଇଥିବା ଜଣାପଡ଼ିଛି। ଅଶୋକ ତ୍ରିପାଠୀ ପରିବାର ସହ ନେପାଳ ବୁଲି ଯାଇଥିବାବେଳେ ବିମାନ ଦୁର୍ଘଟଣା ହୋଇଥିଲା। ଦୁର୍ଘଟଣାସ୍ଥଳ ଯାଞ୍ଚ କରୁଛି ନେପାଳ ସେନା ହେଲିକପ୍ଟର।
ନିଖୋଜ ବିମାନଟି ଘରୋଇ ଏୟାରଲାଇନ୍ ସଂସ୍ଥା ‘ତାରା ଏୟାର’ର। ନେପାଳର ରାଜଧାନୀ କାଠମାଣ୍ଡୁ ଠାରୁ ପ୍ରାୟ ୨୦୦ କିମି ଦୂରରେ ଥିବା ପୋଖରାରୁ ଦୁଇଟି ଇଞ୍ଜିନ ବିଶିଷ୍ଟ ତାରା ଏୟାର-୯ଏନଏଇଟି ବିମାନଟି ଉଡ଼ାଣ ଭରିଥିଲା। ଏହା ସେଠାରୁ ୮୦ କିମି ଦୂର ଜୋମ୍ସୋମ୍ ଅଭିମୁଖେ ଯାତ୍ରା କରୁଥିବା ବେଳେ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ବିମାନଟି ଜୋମସୋମ ଆକାଶରେ ପହଞ୍ଚି ସାରିଥିଲା। କିନ୍ତୁ ହଠାତ୍ ଏହା ରୁଟ୍ ବଦଳାଇ ଦେଇଥିଲା ଓ ନିଖୋଜ ହୋଇଯାଇଥିଲା। ସ୍ଥାନୀୟ ସମୟ ଅନୁସାରେ ସକାଳ ୯ଟା ୫୫ରେ ଏହା ସହିତ କଣ୍ଟ୍ରୋଲ ରୁମ୍ର ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଏହାକୁ ଖୋଜିବା ପାଇଁ ସେଠାକୁ ଦୁଇଟି ହେଲିକପ୍ଟରକୁ ପଠାଯାଇଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ବିମାନଟି ଦୁର୍ଘଟଣାର ଶିକାର ହୋଇଥିବା ସ୍ଥାନୀୟ ପୁଲିସ୍ କହୁଛି। ଏହା ପାହାଡ଼ ପର୍ବତ ଘେରା ମୁସ୍ତାଙ୍ଗ ଜିଲାର ଲେଟେ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଆଶଙ୍କା କରାଯାଉଛି। କାରଣ ଉକ୍ତ ଅଞ୍ଚଳର ଲୋକେ ଏକ ଅସ୍ୱାଭାବିକ ଶବ୍ଦ ଶୁଣିଥିବା ସୂଚନା ଦେଇଛନ୍ତି। କିଛି ବସ୍ତୁ ପିଟି ହୋଇ ବିସ୍ଫୋରଣ ହୋଇଥିବା ସେମାନେ ଶୁଣିଥିବା କହିଛନ୍ତି। ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଥିବା ପୁଲିସ୍ ପକ୍ଷରୁ କୁହାଯାଇଛି।
Comments are closed.