ମଦ ଦୋକାନ ସାମ୍‌ନାରେ ପୁଲିସକୁ ମାଡ଼

ଭୁବନେଶ୍ବର : କମିସନରେଟ୍‌ ପୁଲିସ ପୁଣି ଥରେ ଆକ୍ରମଣର ଶିକାର ହୋଇଛି। କ୍ୟାପିଟାଲ୍‌ ଥାନା ଅଧୀନ ଏକ ମଦ ଦୋକାନ ନିକଟରେ ଶନିବାର ରାତିରେ କିଛି ନିଶାସକ୍ତ ଯୁବକ ପୁଲିସକୁ ନିର୍ଘାତ ମାଡ଼ ମାରିଛନ୍ତି । ଗତ କିଛି ଦିନ ତଳେ ଆଚାର୍ଯ୍ୟବିହାର ଛକ ଓଭରବ୍ରିଜ୍‌ ତଳେ ଜଣେ ନିଶାସକ୍ତ ଯୁବକ ପୁଲିସକୁ ଧମକଚମକ ଦେବା ସହିତ ଠେଲାପେଲା କରିଥିଲା। ଏହି ଘଟଣା ପରେ ଶନିବାର ରାତିରେ ମଦ ଦୋକାନ ସାମ୍‌ନାରେ ପୁଲିସକୁ ମାଡ଼ ମରାଯିବା ଘଟଣା ରାଜଧାନୀରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ କିଛି ସ୍ଥାନୀୟ ଯୁବକ ମଦ ଦୋକାନ ବାହାରେ ଉପସ୍ଥିତ ଥିଲେ, ସେମାନଙ୍କ ସହିତ ପୁଲିସର କଥା କଟାକଟି ହୋଇଥିଲା। ୩ରୁ ୪ ଜଣ ଯୁବକ ସଂଘବଦ୍ଧ ଭାବେ ପୁଲିସକୁ ମାଡ଼ ମାରିଥିଲେ। ଘଟଣାସ୍ଥଳରେ ପିସିଆର୍‌ ଭ୍ୟାନ୍ ଉପସ୍ଥିତ ଥିଲା। ହେଲେ ଅନ୍ୟ ପୁଲିସ କର୍ମଚାରୀ ହସ୍ତକ୍ଷେପ କରିବା ପରେ ଘଟଣା ଶାନ୍ତ ପଡିଥିଲା। ଏହି ଘଟଣା ପରେ ମଦ ଦୋକାନ ନିକଟରେ ଉପସ୍ଥିତ ଥିବା ଅନ୍ୟମାନେ ତୁରନ୍ତ ସେଠାରୁ ପଳାଇଥିଲେ। ପୁଲିସ କହିବା ଅନୁସାରେ ରାତିରେ ଏକ ମଦ ଦୋକାନ ବାହାରେ କିଛି ଲୋକ ନିଶାସେବନ କରୁଥିବା ନେଇ ଅଭିଯୋଗ ପାଇ କ୍ୟାପିଟାଲ୍‌ ଥାନା ପୁଲିସ ଯାଞ୍ଚ କରିବାକୁ ସେଠାକୁ ଯାଇଥିଲା। ତେବେ ସେଭଳି କିଛି ହୋଇ ନ ଥିବା ଥାନା ପୁଲିସ ମନା କରିଛି।

kalyan agarbati

Comments are closed.