ଅଜଣା ଗାଡି ଧକ୍କାରେ ଦୁଇ ନାବାଳକ ଭାଇ ମୃତ
ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଅା ଥାନା ଅନ୍ତର୍ଗତ ଡିଣ୍ଡିରା ଗାଁ ନିକଟ ଆଦର୍ଶ ବିଦ୍ୟାଳୟ ନିକଟରେ ଆଜି ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ନାବାଳକ ଭାଇଙ୍କ ମୃତ୍ୟୁ ହୋଇଥିବା ବେଳେ ମା ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଦୁଇ ପୁଅ ଓ ମା’ ଏକ ବାଇକରେ ଯାଉଥିବା ସମୟରେ ସେମାନଙ୍କୁ ଏକ ଅଜଣା ଗାଡି ସେମାନଙ୍କୁ ଧକ୍କାଦେଇ ଚାଲି ଯାଇଥିଲା। ଗ୍ରାମବାସୀ ମାନେ ଦୁଇ ଭାଇଙ୍କ ମୃତଦେହକୁ ରାସ୍ତା ଉପରେ ରଖି ରାସ୍ତା ଅବରୋଧ କରିଥିଲେ। ଫିରିଙ୍ଗିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ସୂଚନା ପ୍ରକାରେ ଫିରିଙ୍ଗିଆ ବ୍ଲକ ଜାଜେଶପଙ୍ଗା ପଞ୍ଚାୟତ ଉପର ଦାମିଙ୍ଗିଆ ଗ୍ରାମର ପ୍ରଶାନ୍ତ ଦିଗାଲଙ୍କ ମା’ ତରୁ ଦିଗାଲ ଫୁଲବାଣୀ ଜିଲା ମୂଖ୍ୟ ଚିକିତ୍ସାଳୟରେ ଚିକିିତ୍ସାଧିନ ଅଛନ୍ତି। ତାଙ୍କୁ ଦେଖିବା ପାଇଁ ପ୍ରଶାନ୍ତଙ୍କ ସ୍ତ୍ରୀ ଜ୍ୟୋତ୍ସ୍ନା ଦିଗାଲ ଓ ଦୁଇ ପୁଅ ଚନ୍ଦନ(୧୫) ଓ ଅାୟୁଷ (୪) ଏକ ମୋଟର ସାଇକେଲ ଯୋଗେ ଫୁଲବାଣୀ ଆସିଥିଲେ। ଅପରାହ୍ନ ପ୍ରାୟ ୩ଟା ବେଳେ ସେମାନେ ନିଜ ଗ୍ରାମକୁ ଫେରୁଥିବା ସମୟରେ ଡିଣ୍ଡିରାଗାଁ ଅଦର୍ଶ ବିଦ୍ୟାଳୟ ନିକଟରେ ଏକ ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇ ଚାଲିଯାଇଥିଲା। ଫଳରେ ତିନି ଜଣ ଗାଡିରୁ ଛିଟିକି ପଡିଥିଲେ। ଘଟଣାସ୍ଥଳରେ ଚନ୍ଦନ ଓ ଅାୟୁଷଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ଆହତ ଜ୍ୟୋତ୍ସ୍ନାଙ୍କୁ ୧୦୮ ଆମ୍ବୁଲାନସ ଯୋଗେ ଗ୍ରାମବାସୀମାନେ ତୁରନ୍ତ ଫିରିଙ୍ଗଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ତାଙ୍କର ପ୍ରାାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଜିଲା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଛି। ମୃତ ଚନ୍ଦନ ଚଳିତ ବର୍ଷ ଟିକାବାଲି ବ୍ଲକ ବୁର୍ବିନାଜୁ ଆଶ୍ରମ ଉଚ୍ଚ ବିଦ୍ୟାଳୟରୁ ଦଶମ ଶ୍ରେଣୀ ପରୀକ୍ଷା ଦେଇଛନ୍ତି। ଖବର ପାଇ ମୃତକମାନଙ୍କ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚିଥିଲେ।
ଉତ୍ୟକ୍ତ ଗ୍ର୍ରାମବାସୀମାନେ ରାସ୍ତା ଉପରେ ଦୁଇ ଭାଇଙ୍କ ମୃତଦେହ ରଖି ରାସ୍ତା ଅବରୋଧ କରିବା ଫଳରେ ଫୁଲବାଣୀ-ଫିରିଙ୍ଗଆ ରାସ୍ତାରେ ପ୍ରାୟ ତିନି ଘଣ୍ଟା ଧରି ଯାନବାହନ ଯାତାୟତ ବ୍ୟାହତ ହୋଇଥିଲା। ମୃତଦେହ ଆଣିବା ପାଇଁ ଯାଇଥିବା ଅଗ୍ନିଶମ ବିଭାଗ ଗାଡିକୁ ମଧ୍ୟ ଲୋକେ ଅଟକାଇ ରଖିଥିଲେ। ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ଶ୍ୟାମ ସୁନ୍ଦର ରାଓ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ ହଟାଇଥିଲେ। ଏପଟେ ଫିରିଙ୍ଗିଆ ପୁଲିସ ସନ୍ଦେହରେ ଦୁଇଟି ମାଲବାହୀ ଟ୍ରକକୁ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡିଛି। ଏହି ମାମଲାରେ ଫିରିଙ୍ଗିଆ ଥାନାରେ କେସ ନଂ ୭୬/୨୨ ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଥିବା ଥାନା ଅଧିକାରୀ ସୂଚାନା ଦେଇଛନ୍ତି।
Comments are closed.