ମହମ୍ମଦ ଆଜାରୁଦ୍ଧିନଙ୍କ ତତ୍ତ୍ବାବଧାନରେ ଖୋର୍ଦ୍ଧାରେ ଆରମ୍ଭ ହେବ ଆଇଆଇଜି କ୍ରିକେଟ୍ ଏକାଡେମୀ
ଓଡିଶାରୁ ଜାତୀୟ ଓ ଆନ୍ତର୍ଜାତୀୟ ଖେଳାଳୀ ସୃଷ୍ଟି ପାଇଁ ହେବ ପ୍ରୟାସ
ଭୁବନେଶ୍ୱର: କ୍ରିକେଟ୍ରେ ରୁଚି ରଖୁଥିବା ଓ କ୍ୟାରିୟର ଗଠନ କରିବାକୁ ଆଗ୍ରହୀ ଥିବା ଯୁବ କ୍ରିକେଟ ଖେଳାଳୀଙ୍କ ପାଇଁ ଏକ ଭଲ ଖବର। ଖୋର୍ଦ୍ଧାର ବରୁଣେଇ ସ୍ଥିତ କେଟି ଗ୍ଲୋବାଲ ସ୍କୁଲ ପରିସରରେ ଖୋଲିବ ଆଇଆଇଜି କ୍ରିକେଟ୍ ଏକାଡେମୀ। ଆନ୍ତର୍ଜାତୀକ ଖ୍ୟାତି ସମ୍ପନ୍ନ କ୍ରିକେଟ୍ ଖେଳାଳୀ ତଥା ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ମହମ୍ମଦ ଆଜାରୁଦ୍ଧିନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏଠାରେ ଖୋଲିବ ଆଇଆଇଜି କ୍ରିକେଟ୍ ଏକାଡେମୀ ଚାଲିବ। ବରୁଣେଇ ପାହାଡ ତଳେ ପ୍ରକୃତିର ମନୋରମ ପରିବେଶ କୋଳରେ ଏଥିପାଇଁ ଏକ ବିଶ୍ୱ ସ୍ତରୀୟ କ୍ରିକେଟ୍ ଖେଳର ଭିତିଭୂମି ସୃଷ୍ଟି ହୋଇଛି। ଉନ୍ନତ ମାନର ଖେଳ ପଡିଆ, ଦୈନଦିନ ଅଭ୍ୟାସ ପାଇଁ ଅତ୍ୟନ୍ତ ଉଚ୍ଚ କୋଟିର ବ୍ୟବସ୍ଥା ଓ ସରଞ୍ଜାମ ସହିତ ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ସୁନାମ ଅର୍ଜନ କରିଥିବା କୋଚ୍ ଓ ଖେଳାଳୀମାନେ ଏଠାରେ ଯୋଗଦେଇ ପ୍ରଶିକ୍ଷଣ ଦେବାର କାର୍ଯ୍ୟକ୍ରମ ରହିଛି। ଆଇଆଇଜି କ୍ରିକେଟ୍ ଏକାଡେମୀର ଷ୍ଟାଡିୟମ ତଥା ଅନ୍ୟାନ୍ୟ ସୁବିଧା ସୁଯୋଗର ଅଗ୍ରଗତିକୁ ନୀରିକ୍ଷଣ ଓ ପରିଦର୍ଶନ ପାଇଁ ମହମ୍ମଦ ଆଜାରୁଦ୍ଧିନ ଓଡିଶା ଆସିଛନ୍ତି। କ୍ୟାମ୍ପସ ପରିଦର୍ଶନ ପରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ସେ କହିଛନ୍ତି ଯେ ସଂପ୍ରତି ଓଡିଶା, ଜାତୀୟ ଓ ଆନ୍ତର୍ଜାତୀୟ କ୍ରିଡା ମାନଚିତ୍ରରେ ଏକ ବିଶେଷ ସ୍ଥାନ ଗ୍ରହଣ କରିଛି। ବିଶ୍ୱ ହକି ଚମ୍ପିୟାନସିପ ମ୍ୟାଚ୍ ଆୟୋଜନ ଦ୍ବାରା ଆନ୍ତର୍ଜାତୀୟସ୍ତରରେ ଓଡିଶାର ଏକ ପରିଚୟ ସୃଷ୍ଟି ହୋଇଛି। ଅଳମ୍ପିକ୍ ଓ ଅନ୍ୟାନ୍ୟ ଆନ୍ତର୍ଜାତୀୟ ଖେଳରେ ଓଡିଶାର ଖେଳାଳୀମାନେ ବେଶ ପାରଦର୍ଶିତା ପ୍ରଦର୍ଶନ କରିଛନ୍ତି। ହକିରେ ଓଡିଶାର ଯୁବକ ଯୁବତୀମାନଙ୍କ ପାରଦର୍ଶତାକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ସରକାର ନିର୍ମାଣ କରୁଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ନିର୍ମାଣ କରି ଖେଳ କୁଦର ବିକାଶ ପାଇଁ ପ୍ରୟାସ ଜାରି ରଖିଛନ୍ତି। ରାଜ୍ୟ ସରକାରଙ୍କୁ ସେଥିପାଇଁ ମହମ୍ମଦ ଆଜାରୁଦ୍ଧିନ ଧନ୍ୟବାଦ ଜଣାଇବା ସହିତ କ୍ରିକେଟ୍ ପାଇଁ ସେହିଭଳି ଭିତ୍ତିଭୂମି ସୃଷ୍ଟିକରି ରାଜ୍ୟର ଲୁକାୟାତ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପିତ କରିବା ପାଇଁ ପ୍ରୟାସର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଛନ୍ତି। ଆଇଆଇଜି କ୍ରିକେଟ୍ ଏକାଡେମୀ ଏହି କ୍ଷେତ୍ରରେ ଏକ ବଡ ପ୍ରୟାସ କରିବ। ଓଡିଶାର କୋଣ ଅନୁକୋଣରେ ଅନେକ କ୍ରିକେଟ ପ୍ରେମୀ ବାଳକ ବାଳିକା ଅଛନ୍ତି, ଯେଉଁମାନେ କ୍ରିକେଟରେ ସେମାନଙ୍କର କ୍ୟାରିୟର୍ ଗଠନ କରିବାକୁ ଚାହାନ୍ତି। ସେମାନଙ୍କ ପାଇଁ ପ୍ରତିବର୍ଷ ଟ୍ୟାଲେଣ୍ଟ ସର୍ଚ୍ଚ କାର୍ଯ୍ୟକ୍ରମ କରାଯିବ। ଓସିଏ ସହଯୋଗରେ ପ୍ରତି ଜିଲା ଏବଂ ରାଜ୍ୟ ସ୍ତରରେ ଓଡିଶା କ୍ରିକେଟ୍ ଲିଗ୍ ଆୟୋଜିତ ହେବ। ସେମାନଙ୍କ ଭିତରୁ ଭଲ ଖେଳାଳୀଙ୍କୁ ଚୟନ କରାଯାଇ ଆଇଆଇଜି କ୍ରିକେଟ୍ ଏକାଡେମୀରେ କୋଚିଂ ଦିଆଯିବ, ଯେପରି ସେମାନେ ଜାତୀୟ ଓ ଆର୍ନ୍ତଜାତୀୟ କ୍ରିକେଟ୍ ଖେଳିବାକୁ ସମର୍ଥ ହେବେ। ସେଥିପାଇଁ ସେ ନିଜେ ସମୟ ଦେବା ସହିତ ତାକୁ ନିକଟରୁ ତଦାରଖ କରିବେ। ଓଡିଶାର ଆଦିବାସୀ ଯୁବକ ଯୁବତୀମାନଙ୍କ ଭିତରେ କ୍ରିକରଟର ପ୍ରତିଭାମାନଙ୍କ ପାଇଁ ଆଇଆଇଜି କ୍ରିକେଟ୍ ଏକାଡେମୀ ବିଶେଷ ଧ୍ୟାନ ଦେବ ବୋଲି ମହମ୍ମଦ ଆଜାରୁଦ୍ଧିନ କହିଛନ୍ତି।
କେଟି ଗ୍ଲୋବାଲ ସ୍କୁଲର ଟ୍ରଷ୍ଟି ସୋମଦତ୍ତ ବେହୁରା, ଉପଦେଷ୍ଟା ତଥା ଚିଫ୍ ମେଣ୍ଟର ଅରୁଣ ଦାସ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।
Comments are closed.