ଦୂଷିତା ନଦୀମାତୃକା
ଆମ ଭାରତୀୟ ସଂସ୍କୃତି ଏବଂ ପରମ୍ପରାରେ ମୁନି ଋଷିମାନେ ପ୍ରକୃତିର ଜଡ ବସ୍ତୁକୁ ନିର୍ମଳ ଓ ଅକ୍ଷତ ଅବସ୍ଥାରେ ରଖିବାକୁ ଅଗ୍ନି ପାଇଁ ଅଗ୍ନିଦେବତା, ଜଳ (ସାଗର) ପାଇଁ ବରୁଣ ଦେବତା, ବାୟୁ ପାଇଁ ପବନଦେବ, ବର୍ଷାପାଇଁ ଇନ୍ଦ୍ରଦେବ ଏବଂ ମୃତ୍ତିକା ପାଇଁ ମା’ ବସୁନ୍ଧରାଙ୍କ ଭଳି ଯେଉଁ ଅଦୃଶ୍ୟ ଶକ୍ତିମାନଙ୍କର ବା ଦେବଦେବୀଙ୍କର ଚିନ୍ତନ କରିଯାଇଥିଲେ, ସେମାନଙ୍କର ମୂଳ ଲକ୍ଷ୍ୟ ଥିଲା- “ମନୁଷ୍ୟ ମନରେ ଧାର୍ମିକ ଚେତନା ଜାଗ୍ରତ ପୂର୍ବକ ତା’ମନରେ ପୃଥିବୀର ଜଡବସ୍ତୁର ସଂରକ୍ଷଣ ପାଇଁ ଏକ ସ୍ଥାୟୀଭାବ ସୃଷ୍ଟି କରିବା ଯାହା ବ୍ୟତିରେକେ ସେ ନିଜକୁ ଧର୍ମଦ୍ରୋହୀ ଏବଂ ପାପୀଭାବରେ ବିବେଚନା କରିବ।” ଆଜି ପରିବେଶ ବିଜ୍ଞାନୀମାନଙ୍କ ଚିନ୍ତାଧାରାରେ ପ୍ରକୃତିର ସଂରକ୍ଷଣ ମୁଖ୍ୟ ସ୍ଥାନ ଅଧିକାର କରିଛି। ପ୍ରକୃତରେ ଭାରତୀୟ ମୁନିଋଷିମାନଙ୍କର ଧାର୍ମିକ ଚିନ୍ତନ ଏବଂ ଆଧୁନିକ ବୈଜ୍ଞାନିକମାନଙ୍କର ପରୀକ୍ଷଣ, ନିରୀକ୍ଷଣର ଲକ୍ଷ୍ୟସ୍ଥଳ ଯେ ଏକ, ଏହା ଆଶ୍ଚର୍ଯ୍ୟଜନକ ଭାବେ ସତ୍ୟ। ପରିବେଶ ଓ ପ୍ରକୃତିରୁ ମନୁଷ୍ୟର ସୃଷ୍ଟି। ପରିବେଶ ଧ୍ୱଂସ କରିଚାଲିଲେ ମନୁଷ୍ୟର ମୃତ୍ୟୁ ଅବଶ୍ୟମ୍ଭାବୀ। ଇଂରାଜୀରେ କୁହାଯାଏ, “ପ୍ରୋଟେକ୍ଟ ଅର୍ ପେରିଶ୍” ଅର୍ଥାତ୍ ପରିବେଶକୁ ରକ୍ଷାକରି ନିଜେ ବଞ୍ଚିରୁହ, ପକ୍ଷାନ୍ତରେ ମୃତ୍ୟୁ ବରଣ କର।
ଆଜିର ସଭ୍ୟ ମନୁଷ୍ୟ ପ୍ରାକୃତିକ ସମ୍ପଦର ବ୍ୟବହାର ଏତେ ଅଧିକ ପରିମାଣରେ କରିବାରେ ଲାଗିଛି ଯେ ଯାହାଦ୍ୱାରା ପରିବେଶ, ପ୍ରାକୃତିକ ସ୍ୱୟଂକ୍ରିୟ ଉପାୟରେ ନିଜର କ୍ଷୟକ୍ଷତିକୁ ଭରଣା ବା ପୂରଣ କରିବାେର ଅସମର୍ଥ। ତେଣୁ ଜଳ, ବାୟୁ, ମୃତ୍ତିକା, ଆକାଶରୁ ଅନ୍ତରୀକ୍ଷ ପର୍ଯ୍ୟନ୍ତ ସବୁଠାରେ ପ୍ରଦୂଷଣର କରାଳ ଛାୟା ଦେଖିବାକୁ ମିଳୁଛି। ଅଧୁନା ମନୁଷ୍ୟ ସଭ୍ୟତାର ପ୍ରଗତି କେବଳ ପ୍ରାକୃତିକ ସମ୍ପଦର ଅକଥନୀୟ ବ୍ୟବହାର ବା ଅପଚୟ ଉପରେ ପର୍ଯ୍ୟବସିତ। ତେଣୁ ବାସ୍ତବତା ହେଉଛି ପୃଥିବୀର ସମସ୍ତ ପ୍ରାଣୀଙ୍କ ମଧ୍ୟରୁ କେବଳ ମନୁଷ୍ୟ ହିଁ ପରିବେଶ ଧ୍ୱଂସର ମୁଖ୍ୟ କର୍ତ୍ତା। ପରିବେଶକୁ ପଦାନତ କରି ନିଜ ସୁଖ ସ୍ୱାଚ୍ଛନ୍ଦ୍ୟରେ ଆତ୍ମହରା ତଥା ସ୍ୱାର୍ଥପର ମଣିଷ ପରିବେଶ ଭଳି ଅମୂଲ୍ୟ ସମ୍ପଦକୁ ଧ୍ୱଂସ କରିଦେବାରେ ବ୍ୟସ୍ତ।
ପ୍ରାଚୀନ କାଳରୁ ଆମ ଦେଶର ନଦନଦୀ ତଟରେ ବହୁ ଜନାକୀର୍ଣ୍ଣ ନଗରୀ, ସହର ଅଥବା ଜନପଦମାନ ଗଢ଼ିଉଠି ଆମ ସଭ୍ୟତାକୁ ଆଗେଇ ନେବା ସହ ଆମ ସଂସ୍କୃତିକୁ ମଧ୍ୟ ମହନୀୟ କରିଛନ୍ତି। ଏହି ନଦୀଗୁଡିକର ପାର୍ଶ୍ବଦେଶରେ ଅନେକ ସାଧୁସନ୍ଥଙ୍କର ଆଶ୍ରମ, ମନ୍ଦିର ଇତ୍ୟାଦି ଗଢ଼ିଉଠି ସେସବୁ ନଦୀଗୁଡିକର ପବିତ୍ରତାକୁ ଆହୁରି ମହିମାମଣ୍ଡିତ କରିପାରିଛନ୍ତି। ଆମ ଭାରତୀୟ ସଂସ୍କୃତିରେ ସ୍ନାନ ସମୟରେ ନିମ୍ନୋକ୍ତ ଶ୍ଳୋକଟି ପାଠକରାଯାଏ –
“ଗଙ୍ଗେଶ୍ଚ ଯମୁନେଶ୍ଚୈବ ଗୋଦାବରୀ ସରସ୍ୱତୀ
ନର୍ମଦେ ସିନ୍ଧୁ କାବେରୀ ଜଳେସ୍ମିନ୍ ସନ୍ନିଧିଭବ।”
ଅର୍ଥାତ୍ ସ୍ନାନ ସମୟରେ ଗଙ୍ଗା, ଯମୁନା, ଗୋଦାବରୀ, ସରସ୍ୱତୀ, ନର୍ମଦା, ସିନ୍ଧୁ ଏବଂ କାବେରୀ ଇତ୍ୟାଦି ସପ୍ତନଦୀର ପବିତ୍ର ଜଳ ମୋ ସ୍ନାନ ପାଇଁ ଉପଲବ୍ଧ ହୁଅନ୍ତୁ। ଏହି ସପ୍ତ ନଦୀଗୁଡିକର ଜଳ ଆମ ପାଇଁ ଅତି ପବିତ୍ର ଏବଂ ନଦୀ ଗୁଡିକ ମଧ୍ୟ ଆମ ପାଇଁ ମୋକ୍ଷଦାୟିନୀ ଅଟନ୍ତି। ସେହିପରି ଅଯୋଧ୍ୟା ତଟବର୍ତ୍ତୀ ସରଯୂ ନଦୀ, ପଞ୍ଚବଟୀ ମଧ୍ୟରେ ପ୍ରବାହିତ ଗୋଦାବରୀ ନଦୀ, ବାଲ୍ମୀକିଙ୍କ ଆଶ୍ରମ ସନ୍ନକଟ ତମସା ନଦୀ ଯାହାକି ଦଣ୍ଡକାରଣ୍ୟ ଦେଇ ପ୍ରବାହିତ, ଗୌତମ ଋଷିଙ୍କ ଆଶ୍ରମ ପାଖର ସୁପ୍ରଭା ନଦୀ, ମାର୍କଣ୍ଡେୟ ଋଷିଙ୍କ ଆଶ୍ରମ ସନ୍ନିକଟ ପୁଷ୍ପଭଦ୍ରା ନଦୀ ଏବଂ ଦିଲ୍ଲୀ-ବୃନ୍ଦାବନ ତଥା ମଥୁରା ତଟବର୍ତ୍ତୀ ଯମୁନା ନଦୀ ସ୍ୱ-ସ୍ୱ ସ୍ଥିତି ଯୋଗୁ ମହିମାନ୍ୱିତ ହୋଇପାରିଛନ୍ତି ଏବଂ ଆମ ସଂସ୍କୃତି ସେମାନଙ୍କୁ ନଦୀମାତୃକା ଭାବରେ ବରଣ କରିନେଇଛି। ଦିନେ ଭଗବାନ ଶ୍ରୀକୃଷ୍ଣଙ୍କ ସୁଲଳିତ ବଂଶୀସ୍ୱନରେ ଯେଉଁ ନଦୀ ତରଙ୍ଗାୟିତ ହୋଇଉଠୁଥିଲା ଆଜି ସେହି ଯମୁନା ନଦୀ ବୃନ୍ଦାବନ ଏବଂ ମଥୁରାଠାରେ ମୃତ।
ଭାରତବର୍ଷରେ ତଥା ଆମ ରାଜ୍ୟରେ ବର୍ତ୍ତମାନ ‘ନଦୀ’ ଶବ୍ଦଟି ଉଚ୍ଚାରଣ କଲେ ଆମ ମାନସପଟଳରେ ଯେଉଁ ଛବିଟି ଭାସିଉଠେ ତାହା ହେଲା ପୂର୍ବବର୍ଣ୍ଣିତ ନଦୀଗୁଡିକ ଆଉ ପୂର୍ଣ୍ଣଗର୍ଭା ନୁହନ୍ତି ବରଂ ବର୍ଷାଦିନରେ ମଧ୍ୟ ତଳ ମୁଣ୍ଡରେ ଶୂନ୍ୟଗର୍ଭା, କ୍ଷୀଣସ୍ରୋତା ଏବଂ ସେମାନେ ଆଉ ପୂତ-ପବିତ୍ର ସଲୀଳା ନୁହନ୍ତି ବରଂ ପୂତିଗନ୍ଧମୟ ସଲିଳା। ତେଣୁ ଆଜିର ଜଳବାୟୁ ଏବଂ ପରିବେଶ ଭିତରେ ଚିରସ୍ରୋତା, ଋତୁସ୍ରାବୀ ନଦୀମାନଙ୍କ ସଂଖ୍ୟା କମି କମି ଯାଉଥିବାବେଳେ ଅଧିକାଂଶ ନଦୀ ଶୁଷ୍କତାଉନ୍ନୁଖୀ। ନଦୀଟି ଯଦି ଆନ୍ତଃରାଜ୍ୟ ଦେଇ ପ୍ରବାହିତ ହେଉଥାଏ ତେବେ ଉପର ମୁଣ୍ଡରେ ଥିବା ରାଜ୍ୟ ସେହି ନଦୀ ଜଳର ସୁବିଧାବାଦୀ ଉପଭୋକ୍ତା ଏବଂ ତଳମୁଣ୍ଡର ରାଜ୍ୟ ଉପଭୋକ୍ତା ନଦୀଗୁଡିକରୁ ଟୋପାଏ ପାଣି ପାଇବାରୁ ବଞ୍ଚିତ। ଆନ୍ତଃରାଜ୍ୟ ଜଳବିବାଦ କମିସନ, କେନ୍ଦ୍ର ସରକାର ମଧ୍ୟ ଏ ଦିଗରେ ଫଳପ୍ରଦ ତଥା ତ୍ୱରିତ ପଦକ୍ଷେପ ନେବାରେ ବ୍ୟଗ୍ରତା ପ୍ରକାଶ କରୁଥିବାର ମନେ ହୁଏନାହିଁ।
ଏଥିପାଇଁ ଦାୟୀ କଳକାରଖାନାରୁ ବାହାରୁଥିବା ବର୍ଜ୍ୟବସ୍ତୁ, ଉଡନ୍ତା ପାଉଁଶର ପ୍ଲାବନ, ପୌର ଆବର୍ଜନା, ଡାକ୍ତରଖାନା ଏବଂ ନର୍ସିଂହୋମ୍ଗୁଡିକର ସଂକ୍ରମିତ ବର୍ଜ୍ୟଆବର୍ଜନା, ମୂର୍ତ୍ତି ଭସାଣି, ପର୍ବପର୍ବାଣିରେ ନଦୀ ଅଥବା ଜଳାଶୟ ଗର୍ଭକୁ ପୂଜା ଅବଶେଷ ନିକ୍ଷେପ ତଥା ନଦୀ ତୀରବର୍ତ୍ତୀ ତୀର୍ଥସ୍ଥାନଗୁଡ଼ିକରେ ମକରମେଳା ଏବଂ ପ୍ରୟାଗ (ଆଲ୍ଲାହାବାଦ୍), ନାଶିକ୍ ଓ ହରିଦ୍ୱାର ଆଦି ସ୍ଥାନରେ କୁମ୍ଭମେଳାର ଆୟୋଜନ ଇତ୍ୟାଦି ଜଳ ପ୍ରଦୂଷଣର ପ୍ରମୁଖ କାରଣ। ଏହାର ନିରାକରଣ ବ୍ୟବସ୍ଥା ସମସ୍ତଙ୍କୁ ଜଣାଥିଲେ ମଧ୍ୟ ବିଭିନ୍ନ ସ୍ତରରେ ନିଷ୍ଠା ତଥା ଆନ୍ତରିକତାର ଅଭାବ ଯୋଗୁଁ ଏହାର ସଫଳ ରୂପାୟନ ସମ୍ଭବ ହୋଇପାରୁନାହିଁ।
ଓଡ଼ିଶାର ଜୀବନରେଖା ମହାନଦୀ ଆଜି ବିପର୍ଯ୍ୟସ୍ତ। ଅଧିକାଂଶ ସ୍ଥାନରେ ଏହାର ଶଯ୍ୟା ବର୍ଷାଦିନେ ବି ଶୁଷ୍କ ରହୁଛି। ନିତ୍ୟ ବ୍ୟବହାର୍ଯ୍ୟ ଜଳ, ଜଳସେଚନ ତଥା ଶିଳ୍ପ ଶିଳ୍ପଉତ୍ପାଦନ ପାଇଁ ଆବଶ୍ୟକ ଜଳର ୬୫ପ୍ରତିଶତରୁ ଅଧିକ ଜଳ ନଦୀମାନଙ୍କଠାରୁ ହିଁ ମିଳିଥାଏ। ଇତିହାସର ମୂଖସାକ୍ଷୀ ପାଲଟିଥିବା ଆମ ରାଜ୍ୟର ଧଉଳି ପାହାଡ ତଳେ ପ୍ରବାହିତ ଦୟାନଦୀ ଆଜି ନିଜର ଅସ୍ତିତ୍ୱ ପାଇଁ ସଂଘର୍ଷ କରୁଛି। ଭୁବନେଶ୍ୱର ଉପକଣ୍ଠସ୍ଥ ଗଙ୍ଗୁଆ ନଦୀ ଓ କେନ୍ଦ୍ରାପଡା ସହର ଦେଇ ପ୍ରବାହିତ ଗୋବରୀ ନଦୀ ଆଜି ସହରର ବର୍ଜ୍ୟଜଳ ନିଷ୍କାସନର ପ୍ରମୁଖ ମାଧ୍ୟମ ପାଲଟିଛନ୍ତି। ଏହାଛଡା ମହାନଦୀ, ବ୍ରାହ୍ମଣୀ, ବିରୂପା ଓ ଋଷିକୁଲ୍ୟା ଭଳି ରାଜ୍ୟର ପ୍ରମୁଖ ନଦୀଗୁଡିକ ଆଜି ବିଭିନ୍ନ କାରଣରୁ ବହୁମାତ୍ରାରେ ପ୍ରଦୂଷିତା। ଏସବୁ ନଦୀର ଜଳସ୍ତର ମଧ୍ୟ କ୍ରମାଗତଭାବେ କମିଚାଲିଛି। ଖଣିଜଭିତ୍ତିକ ଶିଳ୍ପ ପ୍ରଭାବରେ ବ୍ରାହ୍ମଣୀ ନଦୀ ଅତିମାତ୍ରାରେ ପ୍ରଦୂଷିତା। ଦୂଷିତକମାନଙ୍କର ନିୟନ୍ତ୍ରଣ, ନଦୀରେ ମିଶିବା ପୂର୍ବରୁ ସେଗୁଡିକର ସଂଗ୍ରହ, ସେଗୁଡିକର ପୁନଶ୍ଚକ୍ରଣ ଇତ୍ୟାଦି ପଦକ୍ଷେପ ଦ୍ୱାରା ଆମେ ଜଳପ୍ରଦୂଷଣରୁ କିଛି ମାତ୍ରାରେ ନଦୀମାନଙ୍କୁ ରକ୍ଷା କରିପାରିବା। ଦୃଢ଼ ଇଚ୍ଛାଶକ୍ତି ବିନା ଏସବୁ କାର୍ଯ୍ୟ ସମ୍ଭବ ହୋଇପାରିବ ନାହିଁ।
ଓଡ଼ିଶାରେ ଊଣେଇଶିଟି ନଦୀର ଜଳ ପ୍ରଦୂଷିତ ହୋଇଥିବା, ଗଲା ତିନିବର୍ଷ ତଳୁ ଜାତୀୟ ସବୁଜ ପ୍ରାଧିକରଣ, ଓଡ଼ିଶା ସରକାରଙ୍କୁ ବାରମ୍ବାର ତାଗିଦା କରିଚାଲିଛନ୍ତି। ମାତ୍ର ସରକାରୀସ୍ତରରେ ବାରମ୍ବାର ବୈଠକ ବସୁଥିଲେ ମଧ୍ୟ ନଦୀଜଳ ବିଶୋଧନର ଠୋସ୍ ବ୍ୟବସ୍ଥା ଏ ପର୍ଯ୍ୟନ୍ତ କିଛି କରାଯାଇପାରିନାହିଁ। (ଦ୍ରଷ୍ଟବ୍ୟ : ‘ସମାଜ’ ତା.୫ା୦୧ା୨୦୨୨)
ଶେଷରେ ଅପପୁଷ୍ଟି ଜନିତ କାରଣରୁ ଯଦି ପରିବାରରେ ମା’ର ମୃତ୍ୟୁ ଘଟେ ତେବେ ପିଲାମାନଙ୍କ ଜୀବନରେ ଯେଉଁ ଭୟଙ୍କର କଳାବାଦଲ ଘୋଟିଆସେ ତାକୁ ପ୍ରତିହତ କରିବାରେ ମାତୃହୀନ ପରିବାରଟି ଅସମର୍ଥ ହେବାଭଳି, ନଦୀମାତୃକାଙ୍କୁ ପ୍ରଦୂଷିତା କରି ଆମେ ତାଙ୍କୁ ଯେଉଁ ମୃତ୍ୟୁମୁଖକୁ ଠେଲିଦେଉଛୁ ସେଥିରୁ ରକ୍ଷାପାଇବାର ବିକଳ୍ପ ବ୍ୟବସ୍ଥା ଆମ ପାଖରେ ଅଛି ତ ? ତେଣୁ ବିଜ୍ଞ ପାଠକମାନଙ୍କ ନିକଟରେ ପରିସ୍ଥିତିର ଭୟାଭୟତା ଦୃଷ୍ଟିରୁ ମାନବ ସମାଜକୁ ରକ୍ଷା କରିବା ପାଇଁ କିଛି ସମୁଚିତ ଚିନ୍ତନ ଏବଂ ତା’ର ତ୍ୱରିତ କାର୍ଯ୍ୟାନ୍ୱୟନ ପାଇଁ ଅନୁରୋଧଟିଏ ରଖୁଛି ମାତ୍ର। ବିଚାର ଆପଣମାନଙ୍କର।
Comments are closed.