ଗାନ୍ଧିଗିରି: ଏକ ଲୋକପ୍ରିୟ ସଂସ୍କୃତିର ଧାରଣା

ଜାତିର ପିତା, ସାମ୍ବାଦିକ, ଲେଖକ, ସମ୍ପାଦକ, ବକ୍ତା, ପ୍ରକାଶକ, ଚିନ୍ତକ, ଦାର୍ଶନିକ, କୂଟନୀତିଜ୍ଞ, ସ୍ୱାଧୀନତା ସଂଗ୍ରାମୀ, ଆଇନ ବିଶେଷଜ୍ଞ, ରାଜନେତା, ରାଷ୍ଟ୍ର ନୀତିଜ୍ଞ, ସଙ୍କଟ ପରିଚାଳକ, ଶିଶୁ ଲେଖକ, ଡାଏଟିସିଆନ୍, ପରିବେଶବିତ୍, ଶାନ୍ତି-ପ୍ରେମୀ, ଅହିଂସାର ପୁରୋହିତ, ପ୍ରକୃତ ଦେଶ ପ୍ରେମୀ, ସ୍ୱରାଜବାଦୀ, ସତ୍ୟାଗ୍ରହୀ, ମହିଳା ଅଧିକାରର ପ୍ରବକ୍ତା, ଆଦିବାସୀ-ଦଳିତ ଦକ୍ଷିଣ ଆଫ୍ରିକାର କୃଷ୍ଣକାୟ ଆଫ୍ରିକୀୟ-ଆମେରିକୀୟଙ୍କ ପାଇଁ ଏକ ଆଦର୍ଶ-ପ୍ରେରଣାର ଉତ୍ସ, କୃଷକ ଅଧିକାରର ସତ୍ୟାଗ୍ରହୀ , ମାନବ ଅଧିକାର କର୍ମୀ …. ଏକାଧାରରେ କ’ଣ ନୁହନ୍ତି ଗାନ୍ଧୀ !
ଜାତିର ପିତା ମହାତ୍ମା ଗାନ୍ଧୀ କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ସମସ୍ତ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପଥରେ ଚାଲିବାକୁ ପ୍ରେରଣା ଦେଇଛନ୍ତି। ମହାତ୍ମା ଗାନ୍ଧୀଙ୍କ ଜୀବନ ମାର୍ଟିନ୍ ଲୁଥର୍ କିଙ୍ଗ(କନିଷ୍ଠ), ନେଲସନ ମଣ୍ଡେଲା, ବାରାକ ଓବାମା, ବିନୋବା ଭାବେ ଏବଂ ଜୟପ୍ରକାଶ ନାରାୟଣଙ୍କ ସମେତ ଅନେକ ବିଶ୍ବ-ବ୍ୟକ୍ତିତ୍ବଙ୍କୁ ପ୍ରେରଣା ଦେଇଛି। ଗାନ୍ଧୀ ଦର୍ଶନ ପ୍ରକୃତରେ ଗାନ୍ଧିଗିରି ଭାବରେ ବହୁତ ଲୋକପ୍ରିୟ ହୋଇପାରିଛି। ଏହା ଗାନ୍ଧୀଙ୍କ ମହାନ ଆଦର୍ଶ, ଏକ ବିଶ୍ୱ -ସନ୍ଦେଶ ଓ ବାର୍ତ୍ତା-ରୂପକୁ ସୂଚିତ କରେ ଓ ମଣିଷ ରୂପେ ଗାନ୍ଧିଜୀଙ୍କ ଦେହାବସାନ ଘଟିଛି କିନ୍ତୁ ଗାନ୍ଧିବାଦ ଆଜି ସମଗ୍ର ବିଶ୍ୱରେ ଜୀବନ୍ତ ହୋଇ ରହିଛି । ଅହିଂସା, ସତ୍ୟାଗ୍ରହ, ମାଧ୍ୟମ-ଲକ୍ଷ୍ୟ ସମ୍ପର୍କ, ସର୍ବୋଦୟ, ସ୍ୱରାଜ, ନ୍ୟାସ, ଶିକ୍ଷା, ସାମାଜିକ-ସଂସ୍କାର, ଜାତୀୟତାବାଦ ଏବଂ ଆନ୍ତର୍ଜାତୀୟତାବାଦ ଭଳି ଗାନ୍ଧୀଙ୍କ ଆଦର୍ଶ ଓ ନୀତି ଆଧୁନିକ ମଣିଷ ପାଇଁ ଯଥେଷ୍ଟ ପ୍ରାସଙ୍ଗିକ ଅଟେ। ଗାନ୍ଧୀ ନିଜେ କୌଣସି ଦାର୍ଶନିକ ନୀତି ପ୍ରସ୍ତୁତ କରି ନଥିଲେ । ଗାନ୍ଧୀଙ୍କ ଶବ୍ଦରେ, “ମୁଁ କୌଣସି ନୂତନ ନୀତି ଓ ଆଦର୍ଶର ସୃଷ୍ଟିକର୍ତ୍ତା ବୋଲି ଦାବି କରେ ନାହିଁ । ଆମର ଦୈନନ୍ଦିନ ଜୀବନ ଏବଂ ସମସ୍ୟାର ଅନନ୍ତ ସତ୍ୟକୁ ପ୍ରୟୋଗ କରିବାକୁ ମୁଁ କେବଳ ନିଜ ଉପାୟରେ ଚେଷ୍ଟା କରିଛି। ” ଗାନ୍ଧିଗିରି ଏକ ହେଉଛି ନୈତିକ, ଅହିଂସା, ଧାର୍ମିକ ଏବଂ ସାମାଜିକ ଚିନ୍ତାଧାରା ଯାହାକି ଗାନ୍ଧୀଙ୍କ ଦ୍ୱାରା ଗ୍ରହଣ କରାଯାଇଥିଲା ଓ ସେ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ୧୮୯୩ରୁ ୧୯୧୪ ମଧ୍ୟରେ ଏବଂ ପରେ ଭାରତରେ ଏହାକୁ ପ୍ରୟୋଗ କରିଥିଲେ।
ଗାନ୍ଧୀଙ୍କ ଦର୍ଶନ ଆତ୍ମ-ଉପଲବ୍ଧିର ଏକ ଦର୍ଶନ ଅଟେ। ଧର୍ମ ଓ ନୈତିକତା, ସତ୍ୟ ଏବଂ ଅହିଂସା ନୀତି ଅନୁଯାୟୀ ବଞ୍ଚିବା ପାଇଁ ଏହା ଏକ ଆନ୍ତରିକ ପ୍ରୟାସ ଅଟେ। ତେଣୁ ଏହାର ମୌଳିକ ନିୟମଗୁଡ଼ିକ ନୈତିକ ଅଟେ। ସେଗୁଡିକ ମଧ୍ୟରେ – ଅନ୍ୟାୟକୁ ପ୍ରତିରୋଧ କରିବା, ସେବା କରିବାର ନିଃସ୍ୱାର୍ଥପରତା ଏବଂ ବଳିଦାନର ବିକାଶ, ଆତ୍ମ-ଶୃଙ୍ଖଳା, ଜୀବନ ଶୈଳୀର ସରଳତା ଆଦି ଅନ୍ତର୍ଭୁକ୍ତ ଅଟେ। ଗାନ୍ଧୀଙ୍କ ଅହିଂସା ଆଦର୍ଶର ଏକବିଂଶ ଶତାବ୍ଦୀରେ ପ୍ରାସଙ୍ଗିକତା ଅଛି। ବିଶ୍ବର ଅଧିକାଂଶ ବିବାଦ ଏବଂ ଉଗ୍ରବାଦୀ ବିପ୍ଳବଗୁଡିକ ଗାନ୍ଧୀଙ୍କ ଆଦର୍ଶ ଅନୁସାରେ ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ ହେବାକୁ ଯାଉଛି। ଗାନ୍ଧୀ ଧର୍ମକୁ ଏକ ଶକ୍ତିଶାଳୀ ବୃକ୍ଷ ଭାବରେ ବର୍ଣ୍ଣନାକରି କହିଛନ୍ତି ଯେ ଏହା ଲୋକଙ୍କ ନୈତିକ-ମୂଲ୍ୟବୋଧ ସୃଷ୍ଟି କରିଥାଏ । ଧର୍ମ ବିନା ଜୀବନ ହେଉଛି ନୀତିହୀନ ଜୀବନ, କୌଣସି ଲକ୍ଷ୍ୟହୀନ ଜାହାଜ ଭଳି। ନିଜ ଧର୍ମ ପ୍ରତି ଗାନ୍ଧୀଙ୍କର ବହୁତ ସମ୍ମାନ ଥିଲା, ଯାହା ସେ ତାଙ୍କ ପିତାମାତାଙ୍କଠାରୁ ଶିଖିଥିଲେ। ଗାନ୍ଧୀ ମୂଳତଃ ଜଣେ ମାନବବାଦୀ ଥିଲେ । ତାଙ୍କର ମାନବବାଦୀ ଧର୍ମର ମୂଳ ଉଦ୍ଦେଶ୍ୟ ହେଉଛି ଆତ୍ମ ଉପଲବ୍ଧି, ଯାହା ଭଗବାନଙ୍କ ଉପରେ ବିଶ୍ୱାସ ଏବଂ ସତ୍ୟର ନିରନ୍ତର ଅନୁସରଣ ଅଟେ। ଗାନ୍ଧୀଙ୍କ ଅନୁଯାୟୀ ଜଗତ ଏକ ବାସ୍ତବତା ଏବଂ ଭଗବାନ ଏହାର ସୃଷ୍ଟିକର୍ତ୍ତା। ପ୍ରକୃତି ହେଉଛି ଭଗବାନଙ୍କର ଅଭିବ୍ୟକ୍ତି- ଏହା ସର୍ବବ୍ୟାପୀ ବାସ୍ତବତାର ଏକ ପ୍ରମାଣ।
ଅହିଂସାର ଦୁଇଟି ମୌଳିକ ନୀତି – ସତ୍ୟ ଏବଂ ଅହିଂସା- ଗାନ୍ଧୀଙ୍କ ଦର୍ଶନର ମୂଳଦୁଆ ଅଟେ। ଅଭିଜ୍ଞତାର ସର୍ବୋଚ୍ଚ ସ୍ତରରେ ସେମାନେ ମିଶ୍ରଣ ହୋଇ ଭଗବାନଙ୍କ ସହିତ ଏକ ହୁଅନ୍ତି। ତେଣୁ ଭଗବାନଙ୍କୁ ଗାନ୍ଧୀ ସତ୍ୟ ବା ପ୍ରେମ (ଅହିଂସା) ବୋଲି କହିଛନ୍ତି । ଗାନ୍ଧୀଙ୍କ ମତରେ ଅନ୍ୟ ସମସ୍ତ ଶାନ୍ତିପୂର୍ଣ୍ଣ ଉପାୟ ବିଫଳ ହେବା ପରେ ହିଁ ସତ୍ୟାଗ୍ରହ ଅଭିଯାନ କରାଯାଏ। ଏହାର ପ୍ରକୃତି ଅହିଂସା ଅଟେ। ପ୍ରତିପକ୍ଷକୁ ମନାଇବା କିମ୍ବା ଜିତିବା ପାଇଁ ଏକ ପ୍ରୟାସ ଅଟେ। ଏଥିରେ ଶାରୀରିକ ଶକ୍ତି ବା ବଳର କୌଣସି ସ୍ଥାନ ନାହିଁ। ଗାନ୍ଧୀ ମତରେ ସତ୍ୟାଗ୍ରହର ପଦ୍ଧତିଗୁଡ଼ିକ ଭିନ୍ନ ଭିନ୍ନ ହୋଇଥାଏ, ଯଥା – ବନ୍ଦ ପାଳନ, ଉପବାସ, ଅସହଯୋଗ, ଆଇନ ଅମାନ୍ୟ ଆନ୍ଦୋଳନ, ହିଜରା ଇତ୍ୟାଦି। ଗାନ୍ଧୀ ରାମାୟଣର ଶିକ୍ଷା ଦ୍ୱାରା ବହୁତ ପ୍ରଭାବିତ ହୋଇଥିଲେ। ଗାନ୍ଧୀ କହିଛନ୍ତି ଯେ ତାଙ୍କ ପାଇଁ ବାସ୍ତବ ରାମରାଜ୍ୟ ନିଶ୍ଚିତ ହେବ ଯେତେବେଳେ “ରାଜା ଏବଂ ସାଧାରଣ ଜନତାଙ୍କ ସମାନ ଅଧିକାର” ପ୍ରତିଷ୍ଠା ହେବ।
ଭାରତର ଆର୍ଥିକ ସମସ୍ୟା ପାଇଁ ଗାନ୍ଧୀଙ୍କ ସ୍ପଷ୍ଟ ଆଭିମୁଖ୍ୟ ଥିଲା। ପରିବେଶର ସୁରକ୍ଷା ପାଇଁ ବୃହତ୍‌ ଶିଳ୍ପାୟନକୁ ପ୍ରୋତ୍ସାହିତ କରିବାରେ ସେ ମୂଳତଃ ବିଶ୍ୱାସ କରିନଥିଲେ। ଗାନ୍ଧୀ ଅର୍ଥନୀତି ଆମ ସମୟ ପାଇଁ ତଥାପି ପ୍ରାସଙ୍ଗିକ ଅଟେ। ଏଥିପାଇଁ ସେ ନ୍ୟାସର ପରିକଳ୍ପନା କରିଥିଲେ। ନ୍ୟାସ ହେଉଛି ଏକ ସାମାଜିକ- ଅର୍ଥନୈତିକ ଦର୍ଶନ ଯାହା ଦ୍ୱାରା ଧନୀ ଲୋକମାନେ ନ୍ୟାସର ଟ୍ରଷ୍ଟି ହେବେ ଏବଂ ସାଧାରଣ ଲୋକଙ୍କ କଲ୍ୟାଣର ଯତ୍ନ ନେବ। ଗାନ୍ଧୀଙ୍କ ଅନୁଯାୟୀ ଟ୍ରଷ୍ଟି ହେଉଛି ଏକମାତ୍ର ମଞ୍ଚ ଯେଉଁଥିରେ ଅର୍ଥନୀତି ଏବଂ ନୈତିକତାର ଆଦର୍ଶ ମିଶ୍ରଣ ଭାବେ କାର୍ଯ୍ୟ କରିପାରିବ।
ଗାନ୍ଧୀଙ୍କ ଗଣତନ୍ତ୍ର ଏବଂ କ୍ଷମତାର ଵିକେନ୍ଦ୍ରୀକରଣ ନୀତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗଣତନ୍ତ୍ର ସମସ୍ତ ମନୁଷ୍ୟର ସମାନତା ଉପରେ ନିର୍ଭର କରେ; ସାମାଜିକ ଏବଂ ରାଜନୈତିକ ପରିବର୍ତ୍ତନରେ ଅଂଶଗ୍ରହଣ କରିବା ଅଧିକାର, ସମ୍ମାନରେ ବଞ୍ଚିବା ଅଧିକାର ଓ ନିଷ୍ପତ୍ତି ଗ୍ରହଣରେ ସମସ୍ତେ ଭାଗନେବା ଅଧିକାର ପ୍ରଦାନ କରିଥାଏ। ଗାନ୍ଧୀ ଚାହୁଁଥିଲେ ଯେ ଭାରତର ଗ୍ରାମ ମଧ୍ୟରେ ରାଜନୈତିକ କ୍ଷମତା ବଣ୍ଟନ କରାଯାଉ, ଯାହାକୁ ସେ ପ୍ରକୃତ ଗଣତନ୍ତ୍ର ବୋଲି ବର୍ଣ୍ଣନା କରିବାକୁ ଯାଇ ସେ ‘ସ୍ୱରାଜ’ ଶବ୍ଦକୁ ପସନ୍ଦ କରିଥିଲେ। ଗାନ୍ଧୀ ମୌଳିକ ଶିକ୍ଷା’ ନାମକ ଏକ ଶିକ୍ଷଣ ପାଠ୍ୟକ୍ରମକୁ ପ୍ରୋତ୍ସାହିତ କରିଥିଲେ। ମାତୃଭାଷା ଉପରେ ସେ ଅଧିକ ଗୁରୁତ୍ୱ ଦେଇ ବୈଷୟିକ ଓ ମହିଳା ଶିକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ। ତାଙ୍କ ମତରେ ବିଦେଶୀ ଭାଷା ପିଲାମାନଙ୍କ ମୂଳ-ଚିନ୍ତାଧାରା ପାଇଁ ଅନୁପଯୁକ୍ତ ଅଟେ।
ଲକ୍ଷ୍ୟ ଏବଂ ମାଧ୍ୟମ ମଧ୍ୟରେ ସମ୍ପର୍କ ବିଷୟରେ ତାଙ୍କର ଧାରଣା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତାଙ୍କ ପାଇଁ, ଯଦି ମାଧ୍ୟମ /ଉପାୟଗୁଡ଼ିକ ନୈତିକ ଏବଂ ଉତ୍ତମ, ତେବେ ଶେଷ ଲକ୍ଷ୍ୟ ବିପରୀତ ହେବ ନାହିଁ। ଯଦି ଏକ ନଦୀର ଉତ୍ସ ପ୍ରଦୂଷିତ ହୁଏ ତେବେ ଏହାର ଗତିପଥରେ ସ୍ୱଚ୍ଛ ଏବଂ ଶୁଦ୍ଧ ଜଳ ଆଶା କରାଯାଇପାରିବ ନାହିଁ। ବର୍ତ୍ତମାନର ସାମାଜିକ-ଅର୍ଥନୈତିକ, ସାଂସ୍କୃତିକ ଏବଂ ରାଜନୈତିକ ସଙ୍କଟର ଲକ୍ଷ୍ୟ ହାସଲ ପାଇଁ ଖରାପ ଉପାୟ ଅନୁସରଣ କରିବା କାରଣରୁ ଆମେ ଉତ୍ତମ ଫଳ ପାଇପାରୁନାହୁଁ।
ଗାନ୍ଧୀଙ୍କର ଅସାଧାରଣ ଜୀବନକୁ ନେଇ ‘ଗାନ୍ଧିଗିରି’ ଭଳି ଲୋକପ୍ରିୟ ସଂସ୍କୃତିରେ ପରିଣତ କରିବା ପାଇଁ ଅନେକ ଚଳଚ୍ଚିତ୍ର, ପୁସ୍ତକ ଏବଂ ସଙ୍ଗୀତ ସୃଷ୍ଟି କରାଯାଇଛି। ଗାନ୍ଧିଜୀଙ୍କ ଛବି ଭାରତୀୟ ମୁଦ୍ରାଗୁଡିକ​‌େ​‌ର ସ୍ଥାନ ପାଇ ଆସୁଛି । ଅନେକ ଗୀତ ତାଙ୍କ ଶ୍ରଦ୍ଧାଞ୍ଜଳି ପାଇଁ ଲେଖାଯାଇଛି। କବି ପ୍ରଦୀପଙ୍କ ଦ୍ୱାରା ଲିଖିତ ଏବଂ ଆଶା ଭୋସଲେଙ୍କ ଦ୍ୱାରା ଗାୟନ ଗାନ୍ଧିଜୀଙ୍କ ଉପରେ ସବୁଠାରୁ ଲୋକପ୍ରିୟ ଗୀତ ହେଉଛି “ସାବରମତିକେ ସନ୍ଥ ତୁନେ କରଦିୟା କମାଲ”। ଗାନ୍ଧୀଙ୍କ ଜୀବନୀ ଉପରେ ନିର୍ମିତ ୧୯୮୨ ମସିହାର ‘ଗାନ୍ଧୀ’ ଚଳଚ୍ଚିତ୍ର ଭାରତ ଏବଂ ଇଂଲଣ୍ଡର ସହ-ପ୍ରଯୋଜନାରେ ରିଚାର୍ଡ ଆଟେନବୋରୋଙ୍କ ନି‌େ‌ର୍ଦଶନାରେ ପ୍ରସ୍ତୁତ ହୋଇଥିଲା। ଚଳଚ୍ଚିତ୍ର ନି‌େ‌ର୍ଦଶକମାନେ ଗାନ୍ଧୀଙ୍କୁ ଏକ ମୁଖ୍ୟ ଚରିତ୍ର ଭାବେ ଚିତ୍ରଣକରି ଯେଉଁ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି ସେଗୁଡିକ ମଧ୍ୟରୁ କେତେନ ମେହେଟାଙ୍କ ‘ସରଦାର’, ଶ୍ୟାମ ବେନେଗାଲଙ୍କ ‘ମେକିଂ ଅଫ୍ ମହାତ୍ମା’, ଜାମିଲ ଦେହଲବିଙ୍କ ‘ଜିନ୍ନା’ ଏବଂ ତିରଲୋକ ମଲିକଙ୍କ ‘ଡକ୍ଟର ବାବାସାହେବ ଆମ୍ବେଦକର’, କମଲ ହାସନଙ୍କ ‘ହେ ରାମ’ (୨୦୦୦), ରାଜକୁମାର ସନ୍ତୋଷୀଙ୍କ ‘ଦି ଲିଜେଣ୍ଡ୍ ଅଫ୍ ଭଗତ୍‌ ସିଂ’ (୨୦୦୨), ଜାହନୁ ବରୁଆଙ୍କ ‘ମୈନେ ଗାନ୍ଧୀ କୋ ନାହିଁ ମାରା’(୨୦୦୫), ରାଜକୁମାର ହିରାନୀଙ୍କ ‘ଲଗେ ରହୋ ମୁନ୍ନା ଭାଇ’ (୨୦୦୬), ଫିରୋଜ଼ ଅବାସ ଖାନଙ୍କ ‘ଗାନ୍ଧୀ-ମୋ ପିତା (୨୦୦୭), ଜୟନ କେ ଚେରିଆନଙ୍କ ‘ପପିଲିଓ ବୁଦ୍ଧ’ (୨୦୧୪) ପ୍ରମୁଖ ଅଟେ। ଲଗେ ରହୋ ମୁନ୍ନା ଭାଇ ଚଳଚ୍ଚିତ୍ରର ନାୟକ ମୁନ୍ନା ଭାଇଙ୍କୁ ‘ଦାଦାଗିରି’ ବଦଳରେ ‘ଗାନ୍ଧିଗିରି’ ଆପଣାଇବାକୁ ପଡ଼ିଥିଲା। ମୁନ୍ନା ଭାଇଙ୍କ ଗାନ୍ଧିଗିରି ଅଭ୍ୟାସ ଦ୍ୱାରା ଅନୁପ୍ରାଣିତ ହୋଇ ଅନେକଲୋକ ଗାନ୍ଧୀ ଦର୍ଶନକୁ ଗ୍ରହଣକରି, ଅହିଂସା ବିରୋଧରେ ପ୍ରଦର୍ଶନକଲେ, ଶତ୍ରୁମାନଙ୍କୁ ଗୋଲାପ ପ୍ରଦାନକଲେ ଏବଂ ଗାନ୍ଧିଯୁଗର ଧଳାଟୋପି ପିନ୍ଧିଲେ। ଗାନ୍ଧିଗିରି ଅହିଂସା ବିରୋଧର ଏକ ବାର୍ତ୍ତା ଏବଂ ପ୍ରତୀକ ପାଲଟିଛି । ଗାନ୍ଧିଗିରି ଦର୍ଶନକୁ ଉତ୍ସାହିତ କରି ଅନେକ ୱେବସାଇଟ୍ ଏବଂ ଇଣ୍ଟରନେଟ୍ ଫୋରମ୍ ସୃଷ୍ଟି ହୋଇଛି। ୨୦୦୭ ମସିହା ଜୁନ୍ ୧୫ରେ ମିଳିତ ଜାତିସଂଘର ସାଧାରଣସଭା ସର୍ବସମ୍ମତି ପ୍ରସ୍ତାବକ୍ରମେ ଗାନ୍ଧୀଙ୍କ ଜନ୍ମଦିନକୁ ‘ଆନ୍ତର୍ଜାତୀୟ ଅହିଂସା ଦିବସ’ ରୂପେ ପାଳନ କରିବାକୁ ଘୋଷଣା କରିଥିଲା। ଯୀଶୁ, ବୁଦ୍ଧଙ୍କ ପରେ ଗାନ୍ଧୀ ଅହିଂସାର ଅନ୍ୟତମ ପୂଜାରୀ ଅଟନ୍ତି।

kalyan agarbati

Comments are closed.