ଆଜି ଦ୍ୱିତୀୟ ଗ୍ଲୋବାଲ କୋଭିଡ-୧୯ ସମ୍ମିଳନୀ; ଯୋଗଦେବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଆଜି ଦ୍ୱିତୀୟ ଗ୍ଲୋବାଲ କୋଭିଡ-୧୯ ସମ୍ମିଳନୀ । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଭିଡିଓ କନଫରେନସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ହେବାକୁ ଥିବାବେଳେ ଏହାକୁ ଆମେରିକା ରାଷ୍ଟ୍ରପତି ଜୋ ବିଡେନ ଆୟୋଜନ କରିଛନ୍ତି । ଭାରତୀୟ ବୈଦେଶୀକ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆମେରିକା ରାଷ୍ଟ୍ରପତି ଜୋ ବିଡେନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏଥିପାଇଁ ନିମନ୍ତ୍ରଣ କରିଛନ୍ତି ।
ଏହି ସମ୍ମିଳନୀର ମୂଳ ଲକ୍ଷ୍ୟ ହେଉଛି ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସୁରକ୍ଷା ଓ କୋଭିଡ ମହାମାରୀ ମୁକାବିଲା ପାଇଁ ନୂତନ ପଦକ୍ଷେପ ବିଷୟରେ ଆଲୋଚନା କରିବା । ପ୍ରଧାନମନ୍ତ୍ରୀ ଏଥିରେ ଯୋଗଦେବା ସହିତ କରୋନାକୁ କିପରି ରୋକା ଯାଇପାରିବ ଓ କରୋନା ବିରୋଧରେ ଆଉ କ’ଣ କରାଯାଇପାରିବ ସେ ନେଇ ନିଜର ଅଭିଭାଷଣ ପ୍ରଦାନ କରିବେ । ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୧ ମଇ ୨୨ ତାରିଖରେ ପ୍ରଥମ ଗ୍ଲୋବାଲ କୋଭିଡ ସମ୍ମିଳନୀରେ ଯୋଗ ଦେଇଥିଲେ । ସେହି ସମ୍ମିଳନୀକୁ ମଧ୍ୟ ଆମେରିକା ରାଷ୍ଟ୍ରପତି ଜୋ ବିଡେନ୍ ଆୟୋଜନ କରିଥିଲେ ।
ଆଜି ହେବାକୁ ଥିବା ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ, ଅନ୍ୟାନ୍ୟ ଦେଶର ମୁଖ୍ୟ ତଥା ଅଧିକାରୀ ମଧ୍ୟ ଯୋଗଦେବେ । ତାହା ସହ ଜି -୨୦ର ରାଷ୍ଟ୍ରପତି ଭାବରେ ଇଣ୍ଡୋନେସିଆ ଏବଂ ଜି-୭ ର ରାଷ୍ଟ୍ରପତି ଭାବରେ ଜର୍ମାନୀ ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ ବୋଲି ସୂଚନା ଦିଆଯାଇଛି ।
Comments are closed.