ବିଦ୍ୟୁତ କାଟ ଓ ଲୋ ଭୋଲଟେଜକୁ ନେଇ ତୀବ୍ର ଅସନ୍ତୋଷ ; ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର

ଆଠଗଡ: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜନଜୀବନକୁ ଅସ୍ତବ୍ୟକ୍ତ କରିପକାଉଥିବାବେଳେ ଆଠଗଡରେ ଘନଘନ ବିଦ୍ୟୁତ କାଟ ଏବଂ ଲୋ ଭୋଲଟେଜ ସମସ୍ୟା ଦୁର୍ଦଶାକୁ ବହୁଗୁଣିତ କରିଛି । ସକାଳେ ଅଧଘଣ୍ଟା ଓ ରାତିରେ ଅଧଘଣ୍ଟା ବିଦ୍ୟୁତ୍‍ କାଟ ହେଉଥିବା ବେଳେ ଦିନତମାମ ୧୫-୨୦ଥର ୧୦ମିନିଟରୁ ଅଧିକ ସମୟ ଲେଖାଏଁ ବିଦ୍ୟୁତ୍‍ କାଟ ହେଉଥିବାରୁ ଲୋକମାନେ ନାହିଁ ନ ଥିବା କଷ୍ଟ ପାଉଛନ୍ତି । ଟାଟା ବିଦ୍ୟୁତ ବିତରଣ କମ୍ପାନୀ ବିଭିନ୍ନ ପ୍ରକାର ଆଳ ଦେଖାଇ ବିଦ୍ୟୁତ୍‍ ବିଚ୍ଛିନ୍ନ କରୁଥିବାରୁ ଅସହ୍ୟ ଗରମରେ ଘରେ ରହୁଥିବା ମହିଳା, ଶିଶୁ, ବୟସ୍କ ବ୍ୟକ୍ତି ଓ ରୋଗୀଙ୍କ ଜୀବନ ଦୁର୍ବିସହ ହୋଇପଡିଛି ଏବଂ ଜଳଯୋଗାଣ ମଧ୍ୟ ବାଧାପ୍ରାପ୍ତ ହେଉଛି। ୨୨୦ଭୋଲ୍ଟ ସ୍ଥାନରେ ୧୨୦ରୁ ୧୫୦ ଭୋଲ୍ଟ ବିଦ୍ୟୁତ୍‍ ଶକ୍ତି ମିଳୁଥିବାରୁ ଫ୍ୟାନ ସମେତ ଅନ୍ୟ ବିଦ୍ୟୁତ ଉପକରଣ ଅଚଳ ହୋଇପଡୁଛି । ବିଦ୍ୟୁତ୍‍ ଉତ୍ପାଦନରେ ଓଡିଶା ବଳକା ରାଜ୍ୟ ବୋଲି ସରକାର ଡିଣ୍ଡିମ ପିଟୁଥିବାବେଳେ ବିଦ୍ୟୁତ କାଟ କାହିଁକି ହେଉଛି ତା’ର ସନ୍ତୋଷ ଜନକ ଉତ୍ତର ବିଦ୍ୟୁତ ବିଭାଗୀୟ କର୍ତ୍ତୃପକ୍ଷଙ୍କଠାରୁ ମିଳୁନାହିଁ । ୨ଦିନ ପୂର୍ବରୁ ରାଜ୍ୟର ବିଦ୍ୟୁତ ଯୋଗାଣ ସଂପର୍କରେ ସମୀକ୍ଷା ବୈଠକ କରିବା ପରେ ରାଜ୍ୟ ମୁଖ୍ୟ ଶାସନ ସଚିବ ରାଜ୍ୟରେ ବିଦ୍ୟୁତ୍‍ କାଟ ହେବ ନାହିଁ ବୋଲି କହିଥିଲେ ମଧ୍ୟ ଯଥା ପୂର୍ବ ବିଦ୍ୟୁତ୍‍ କାଟ ଚାଲିଛି । ଏବେ +୨ ଓ ମାଟ୍ରିକ ପରୀକ୍ଷା ଆରମ୍ଭ ହେବାକୁ ଯାଉଥିବାବେଳେ ଏହି ବିଦ୍ୟୁତ୍‍ କାଟ ବିଦ୍ୟାର୍ଥୀଙ୍କ ପାଠ ପଢାରେ ଘୋର ବ୍ୟାଘାତ ସୃଷ୍ଟି କରୁଛି । ଏହି ବିଦ୍ୟୁତ୍‍ ଜନିତ ସମସ୍ୟାକୁ ନେଇ ବୁଧବାର ଆଠଗଡ ଏନଏସିର ନଗରପାଳ ପ୍ରାର୍ଥୀନୀ ଇଲା ପଣ୍ଡା, ୩ନଂ ୱାର୍ଡ ପାରିଷଦ ମନୋରଞ୍ଜନ ପଟ୍ଟନାୟକ, ପ୍ରଦୀପ କୁମାର ଦାସ, ସନ୍ଦିପ ତ୍ରିପାଠୀ ଓ ସାମ୍ବାଦିକ ସନ୍ତୋଷ ବାରିକଙ୍କ ସମେତ ବହୁ ସଚେତନ ନାଗରିକ ଉପଜିଲ୍ଲାପାଳଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ୨ଦିନ ମଧ୍ୟରେ ବିଦ୍ୟୁତ୍‍ କାଟ ବନ୍ଦ କରାନଗଲେ ଆଠଗଡ ବିଦ୍ୟୁତ୍‍ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି କହିଛନ୍ତି।

kalyan agarbati

Comments are closed.