ଆଠଗଡ ପଞ୍ଚାୟତ ସମିତିର ପ୍ରଥମ ବୈଠକ

ଆଠଗଡ :  ପଞ୍ଚାୟତ ନିର୍ବାଚନ ପରେ ଆଠଗଡ ପଞ୍ଚାୟତ ସମିତିର ପ୍ରଥମ ପୂର୍ଣ୍ଣାଙ୍ଗ ବୈଠକ ନବ ନିର୍ବାଚିତ ଅଧ୍ୟକ୍ଷା ମୀନତି ଆଚାର୍ଯ୍ୟଙ୍କ ପୌରୋହିତ୍ୟରେ କାର୍ଯ୍ୟାଳୟ ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଠଗଡ ପଞ୍ଚାୟତ ସମିତି ଅଧିନ ୩୪ଟି ପଞ୍ଚାୟତର ନବ ନିର୍ବାଚିତ ସମସ୍ତ ସରପଞ୍ଚ, ସମିତି ସଭ୍ୟ ଏବଂ ୩ଟି ଜିଲ୍ଲା ପରିଷଦ ଜୋନର ସଦସ୍ୟ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସ୍ଥାନୀୟ ବିଧାୟକ ତଥା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏଥିରେ ଯୋଗଦେଇ ବହୁ ଉପାଦେୟ ତଥ୍ୟ ପ୍ରଦାନ କରିବା ସହିତ ଲୋକଙ୍କର ଆଶା ଆକାଂକ୍ଷା ପୂରଣ କରିବା ଏବଂ ବିକାଶ ମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ। ମଣ୍ଡଳ ଉନ୍ନୟନ ଅଧିକାରୀ ଅରୁଣ କୁମାର ଦାସ ଏହି ବୈଠକରେ ଉପସ୍ଥିତ ରହି ସରକାରଙ୍କର ବିଭିନ୍ନ ଜନମଙ୍ଗଳ ଓ ବିକାଶମୂଳକ କାର୍ଯ୍ୟକ୍ରମ ସଂପର୍କରେ ବିଶଦ ଭାବେ ଆଲୋକପାତ କରିଥିଲେ। ମନ୍ତ୍ରୀ ଶ୍ରୀ ସ୍ୱାଇଁ ୧୪ଶ ଓ ୧୫ଶ କେନ୍ଦ୍ର ଅର୍ଥ କମିଶନ ଏବଂ ୪ର୍ଥ ଓ ୫ମ ରାଜ୍ୟ ଅର୍ଥ କମିଶନର ଯେଉଁ ଅନୁଦାନ ଖର୍ଚ୍ଚ ନହୋଇ ପଡିରହିଛି ସେହି ଅର୍ଥ ଉପଯୁକ୍ତ ପ୍ରକଳ୍ପରେ ବିନିଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ । ଆଠଗଡର ସର୍ବାଙ୍ଗୀନ ଉନ୍ନତି ପାଇଁ ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନେ ତ୍ୟାଗପୁତ ଜୀବନ ଶୈଳୀରେ ସମସ୍ତ ଜନମଙ୍ଗଳ କାର୍ଯ୍ୟକୁ ଆଗେଇ ନେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଶପଥ ପାଠ କରାଇଥିଲେ। ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନଙ୍କୁ ଏ ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ । ଏହି ବୈଠକରେ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଏବଂ ମନ୍ତ୍ରୀଙ୍କର ବ୍ଲକ ପ୍ରତିନିଧି ରଞ୍ଜନ କୁମାର ଆଚାର୍ଯ୍ୟ ସ୍ୱତନ୍ତ୍ର ଆମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ପଞ୍ଚାୟତ ପ୍ରତିନିଧିଙ୍କୁ ଉଦ୍‍ବୋଧନ ଦେଇଥିଲେ। ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପେନ୍ଦ୍ର କୁମାର ଜେନାଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ରାରମ୍ଭରେ କୋଭିଡ ୧୯ ସଂକ୍ରମଣରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା । ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଗଗନ ବିହାରୀ ଷଡଙ୍ଗୀଙ୍କ ସମେତ ଅନ୍ୟ କର୍ମଚାରୀମାନେ ବୈଠକ ପରିଚାଳନାରେ ସହଯୋଗ କରିଥିଲେ।

kalyan agarbati

Comments are closed.