ଅବସର ଆଇଏଏସଙ୍କୁ ପୁନଃନିଯୁକ୍ତି ପ୍ରସଙ୍ଗରେ କୈଫିୟତ ତଲବ
ଭୁବନେଶ୍ୱର :ରାଜ୍ୟ ସରକାରଙ୍କ ପକ୍ଷରୁ ଅବସରପ୍ରାପ୍ତ ଅଧିକାରୀଙ୍କୁ ଲୋକସେବା ଭବନଠାରୁ ଆରମ୍ଭ କରି ଖାରବେଳେ ଭବନ, କୃଷି ଭବନ ଓ ରାଜୀବ ଭବନ ଭଳି ବିଭିନ୍ନ ସ୍ଥାନରେ ପୁନଃନିଯୁକ୍ତି ଦିଆଯାଉଛି। ଏଥିପାଇଁ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ନୀତି ରହିଛି। ହେଲେ ପୁନଃନିଯୁକ୍ତି ବେଳେ ଏସବୁକୁ କେତେକ କ୍ଷେତ୍ରରେ ପାଳନ କରାଯାଉନାହିଁ। କେତେବେଳେ ବିଭାଗୀୟ ମୁଖ୍ୟ ସମ୍ପୃକ୍ତ ଅଧିକାରୀଙ୍କ ଆନୁଗତ୍ୟ ଦେଖି ଓ ଅନୁକମ୍ପା ଦେଖାଇ ସିଧାସଳଖ ନିଯୁକ୍ତି ଦେଉଛନ୍ତି ତ ଆଉ କେତେବେଳେ ଅର୍ଥବିଭାଗର ଅନୁମତି ନେଇ ନିଯୁକ୍ତି ଦିଆଯାଉଛି। ହେଲେ ସରକାର ଏହି କ୍ଷେତ୍ରରେ ନିଜସ୍ବ ନିଯୁକ୍ତି ନିୟମ ପାଳନ କରୁନାହାନ୍ତି। ଏମିତିରେ ବହୁ ଅବସରପ୍ରାପ୍ତ କର୍ମଚାରୀ ପୁନଃନିଯୁକ୍ତି ପାଇସାରିଲେଣି। ଏହାକୁ ନେଇ ଅଧିକାଂଶ ସମୟରେ ସରକାର ବିରୋଧୀଙ୍କ ଶରବ୍ୟ ହେଉଥିବାବେଳେ ସମବାୟ ବିଭାଗ ପକ୍ଷରୁ ନିକଟରେ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦେଶକଙ୍କୁ ପୁନଃନିଯୁକ୍ତି ଦିଆଯିବା ଘଟଣା ହାଇକୋର୍ଟରେ ପହଞ୍ଚିଛି। ରାଜ୍ୟ ସରକାର କେଉଁ ପରିସ୍ଥିତିରେ ନିଜ ନିୟମ ଉଲ୍ଲଘଂନ କଲେ ଏବଂ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ନାବାର୍ଡ କର୍ତ୍ତୃପକ୍ଷ ନଜର ଦେଲେନାହିଁ ତାକୁ ନେଇ ହାଇକୋର୍ଟଙ୍କ ପକ୍ଷରୁ ନୋଟିସ ଜାରି କରିଛି।
ମୁଖ୍ୟ ବିଚାରପତି ଏସ୍. ମୁରଲୀଧର ଏବଂ ବିଚାରପତି ରାଧାକୃଷ୍ଣ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏଭଳି ନିର୍ଦେଶନାମା ଜାରି କରିଛନ୍ତି। ବ୍ୟାଙ୍କିଙ୍ଗ ରେଗୁଲେସନ ଆଇନର ଉଲ୍ଲଘଂନ କରାଯାଇ ରିଜର୍ଭ ବ୍ୟାଙ୍କର ବିନା ଅନୁମୋଦନରେ ରାଜ୍ୟ ସରକାର ଜଣେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀଙ୍କୁ ପୁନଃନିଯୁକ୍ତି ଦେଇଥିବାରୁ ମୁଖ୍ୟଶାସନ ସଚିବଙ୍କ ସହିତ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ, ରାଜ୍ୟ ସମବାୟ ବିଭାଗ ସଚିବ, ସମବାୟ ସମିତି ସମୂହ ନିବନ୍ଧକ, ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଓ ନାବାର୍ଡ ଅଧ୍ୟକ୍ଷଙ୍କୁ କୈଫିଏତ ତଲବ କରିଛନ୍ତି। ଜୁଲାଇ ୪ରେ ମାମଲାର ପରବର୍ତ୍ତୀ ଶୁଣାଣି ରହିଛି।
Comments are closed.