୪୫୦୦ ପଞ୍ଚାୟତ ବ୍ୟାଙ୍କ ସେବାରୁ ବଞ୍ଚିତ

ଭୁବନେଶ୍ବର :  ରାଜ୍ୟରେ ସବୁ ପଞ୍ଚାୟତରେ ବ୍ୟାଙ୍କ ସେବା ଯୋଗାଇ ଦେବାପାଇଁ କେନ୍ଦ୍ର ଅର୍ଥମନ୍ତ୍ରାଳୟଠାରୁ ଆରମ୍ଭ କରି ରାଜ୍ୟ ଅର୍ଥ ଆୟୋଗଙ୍କ ପକ୍ଷରୁ ବ୍ୟାପକ ତତ୍ପରତା ଦେଖାଦେଉଛି। ଏହାକୁ ନେଇ ରାଜ୍ୟ ସରକାରଙ୍କ ଉଚ୍ଚପଦାଧିକାରୀଙ୍କ ସ୍ତରରେ ଘନ ଘନ ବୈଠକ ବସୁଛି। ହେଲେ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ ହୋଇପାରୁନି। ଓଡ଼ିଶା ୬ଟି ପ୍ରମୁଖ ପଡୋଶୀ ରାଜ୍ୟ ତୁଳନାରେ ବ୍ୟାଙ୍କ ସେବା କ୍ଷେତ୍ରରେ ସହରାଞ୍ଚଳରେ ଦିନକୁ ଦିନ ଅଗ୍ରଗତି କରୁଥିଲେ ହେଁ ଦୁର୍ଗମ ଅଞ୍ଚଳବାସୀଙ୍କ ପାଇଁ ଏବେବି ବ୍ୟାଙ୍କ ସେବା ସାତସପନ ପାଲଟିଛି। ରାଜ୍ୟରେ ଥିବା ୬୭୯୪ ପଞ୍ଚାୟତ ମଧ୍ୟରୁ ଏବେବି ୪୫୦୦ରୁ ଊର୍ଦ୍ଧ୍ବ ପଞ୍ଚାୟତରେ ବ୍ୟାଙ୍କ ସେବା ପହଞ୍ଚି ପାରିନ ଥିବା ଅର୍ଥବିଭାଗ ତଥ୍ୟରୁ ଜଣାଯାଇଛି।
ଅନ୍ୟପକ୍ଷରେ ଓଡ଼ିଶାରେ ବ୍ୟାଙ୍କ ସେବାକୁ ପ୍ରାଥମିକତା ଦେଇ ୨୦୧୯ରେ କେନ୍ଦ୍ର ଅର୍ଥମନ୍ତ୍ରାଳୟ ପକ୍ଷରୁ ନିର୍ଦେଶକ ଦେବାଶିଷ ପଣ୍ଡା ଏକ ସ୍ବତନ୍ତ୍ର ନିର୍ଦେଶନାମା ଜାରି କରିଥିଲେ। ନିର୍ଦେଶରେ ରହିଥିଲା ଯେ ଉକ୍ତ ବର୍ଷ ଅତି କମରେ ରାଜ୍ୟରେ ୬୪ଟି ବ୍ୟାଙ୍କ ଦୁର୍ଗମ ଅଞ୍ଚଳରେ ଖୋଲାଯିବ। ଏହାକୁ ନେଇ ତତ୍କାଳୀନ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ନିର୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହେଲା। ହେଲେ ଉକ୍ତ ବର୍ଷ ମାତ୍ର ୩ଟି ବ୍ୟାଙ୍କ ଖୋଲିଲା। ଦୁର୍ଗମ ଅଞ୍ଚଳବାସୀଙ୍କୁ କିଭଳି ବ୍ୟାଙ୍କ ସେବା ସୁବିଧାରେ ମିଳିପାରିବ ତାକୁ ନେଇ ପଞ୍ଚମ ଅର୍ଥ ଆୟୋଗଙ୍କ ସୁପାରିସକ୍ରମେ ମୁଖ୍ୟଶାସନ ସଚିବଙ୍କ ସ୍ତରରେ ଘନଘନ ବୈଠକ ବସୁଛି। ହେଲେ ବାସ୍ତବ କ୍ଷେତ୍ରରେ ଏହାର ସଫଳ ରୂପାୟନ ହୋଇପାରୁନାହିଁ।
ବ୍ୟାଙ୍କ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ଅବହେଳା ପାଇଁ ସାଧାରଣ ଲୋକେ ଏହି ସୁବିଧାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି।
ଅନ୍ୟପକ୍ଷରେ ରାଜ୍ୟ ବ୍ୟାଙ୍କ ସମୂହ କମିଟି ବୈଠକର ୨୦୨୧ ଡିସେମ୍ବର ତଥ୍ୟ କହୁଛି ଯେ ଓଡ଼ିଶା ତା’ର ୬ଟି ପଡୋଶୀ ରାଜ୍ୟ ତୁଳନାରେ ବ୍ୟାଙ୍କ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରୁଛି। କୃଷିକ୍ଷେତ୍ରକୁ ଋଣ ପ୍ରଦାନ ହେଉ କିମ୍ବା ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗୀ(ଏମଏସଏମଇ) ଓ ସାଧାରଣବର୍ଗଙ୍କୁ ଋଣ ପ୍ରଦାନରେ ଓଡ଼ିଶାର ପ୍ରଦର୍ଶନ ଭଲ ରହିଛି। ମାର୍ଚ୍ଚ ୨୦୨୧ ସୁଦ୍ଧା ରାଜ୍ୟରେ ୫ହଜାର ୫୪୮ଟି ସମ୍ପୂର୍ଣ୍ଣ ବ୍ୟାଙ୍କ ରହିଥିବାବେଳେ ଜୁନରେ ଏହା ୫୫୨୧, ସେପ୍ଟେମ୍ବରରେ ୫୫୪୬ ଏବଂ ଡିସେମ୍ବରରେ ୫୫୮୪ରେ ପହଞ୍ଚିଛି। ବ୍ୟାଙ୍କ ମିତ୍ର ନିୟୋଜିତ କ୍ଷେତ୍ରରେ ଏହି ଅବଧି ମଧ୍ୟରେ ଯଥାକ୍ରମେ ୧୨ହଜାର ୩୮୫ରୁ ବଢ଼ି ୧୩ହଜାର ୬୪୭ରେ ପହଞ୍ଚିଥିବାବେଳେ ବ୍ୟାଙ୍କ ଏଟିଏମ ସଂଖ୍ୟା ୭ହଜାର ୩୩୩ରେ ପହଞ୍ଚିଛି। ସେହିପରି ବ୍ୟାଙ୍କିଂ ନେଟୱର୍କ କ୍ଷେତ୍ରରେ ମାର୍ଚ୍ଚରେ ୨୪ହଜାର ୯୩୦ ରହିଥିବାବେଳେ ଗତ ଡିସେମ୍ବର ସୁଦ୍ଧା ୨୬ହଜାର ୫୬୪କୁ ଛୁଇଁଛି। ହେଲେ ତେଲିଆ ମୁଣ୍ଡରେ ତେଲ ନ୍ୟାୟରେ ବ୍ୟାଙ୍କ କର୍ତ୍ତୃପକ୍ଷ କେବଳ ସହରାଞ୍ଚଳରେ ‌େ‌ସମାନଙ୍କର ନେଟୱର୍କ ବଢ଼ାଉଛନ୍ତି। ରାଜ୍ୟ ସରକାରଙ୍କ ବଜେଟକୁ ମାତ୍ର ହାତ ଗଣତି କେତୋଟି ବ୍ୟାଙ୍କ ହାତଉଥିଲେ ହେଁ ଦୁର୍ଗମ ଅଞ୍ଚଳ କଥା କିଏ ପଚାରୁଛି ବୋଲି ଅଭିଯୋଗ ହୋଇଛି।
ତଥ୍ୟ ଅନୁଯାୟୀ ରାଜ୍ୟ ସରକାର ଗତବର୍ଷ କୃଷି କ୍ଷେତ୍ର ଲାଗି ଏହି ଅବଧି ମଧ୍ୟରେ ୪୬ହଜାର ୫୮୬କୋଟି ଟଙ୍କାର ଋଣ ଦେବାକୁ ଲକ୍ଷ୍ୟଧାର୍ଯ୍ୟ କରିଥିବାବେଳେ ୨୫ହଜାର ୭୪୩କୋଟି ଟଙ୍କା ଅର୍ଥାତ ୬୧.୭୦ପ୍ରତିଶତ ଋଣ ପ୍ରଦାନ କରାଯାଇଛି। ସେହିପରି ଏମଏସଏମଇ କ୍ଷେତ୍ରରେ ୪୧ହଜାର ୩୨୪କୋଟି ଟଙ୍କା ଋଣ ଦେବାକୁ ଲକ୍ଷ୍ୟ ଥିବାବେଳେ ୨୮ହଜାର ୧୬୭କୋଟି ଟଙ୍କା ପ୍ରଦାନ କରାଯାଇଛି, ଯାହାକି ଏହି କ୍ଷେତ୍ରରେ ହାର ୬୮ ପ୍ରତିଶତରୁ ଊର୍ଦ୍ଧ୍ବ ରହିଛି। କୃଷି ଓ ଏମଏସଏମଇ ଋଣ ପ୍ରଦାନରେ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ଗୁଜରାଟ, ମହାରାଷ୍ଟ୍ର ଓ କର୍ଣ୍ଣାଟକଠାରୁ ଓଡ଼ିଶା ଆଗରେ ରହିଛି। ଏହି ଦୁଇଟି କ୍ଷେତ୍ରରେ ଓଡ଼ିଶା ପ୍ରଦର୍ଶନ ଯଥାକ୍ରମେ ୬୨ପ୍ରତିଶତ ଏବଂ ୬୮.୧୮ପ୍ରତିଶତ ରହିଥିବାବେଳେ ପଶ୍ଚିମବଙ୍ଗର ୩୨ ଏବଂ ୪୫ପ୍ରତିଶତ, ଆନ୍ଧ୍ରପ୍ରଦେଶର ୪୭.୫୦ ଏବଂ ୫୫.୯୫ ପ୍ରତିଶତ, ତେଲଙ୍ଗାନାର ୪୬.୯୫ ଏବଂ ୫୪.୪୪ ପ୍ରତିଶତ, ଗୁଜରାଟର ୬୧. ୩୪ ଏବଂ ୬୦.୭୩ ପ୍ରତିଶତ, ମହାରାଷ୍ଟ୍ରର ୪୯ ଏବଂ ୩୯ ପ୍ରତିଶତ ଏବଂ କର୍ଣ୍ଣାଟକର ୪୦.୬୯ ଏବଂ ୩୦.୮୦ ପ୍ରତିଶତ ରହିଛି।

kalyan agarbati

Comments are closed.