କୁଇ ସମାଜ ପକ୍ଷରୁ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ
ଫୁଲବାଣୀ : ନିକଟରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡ. ସୁବାଷ ସରକାର କନ୍ଧମାଳ ଜିଲା ଗସ୍ତରେ ଆସିଥିବା ବେଳେ କୁଇ ସମାଜ ସେବା ସମିତି ପକ୍ଷରୁ କନ୍ଧମାଳ ଜିଲାର ବିଭିନ୍ନ ସମସ୍ୟା ସମ୍ବଳିତ ଏକ ଆଠ ଦଫା ଦାବୀପତ୍ର ପ୍ରଦାନ କରାଯାଇଛି । ଆଦିବାସୀ ବହୁଳ କନ୍ଧମାଳ ଜିଲାରେ ଶିକ୍ଷା,ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ କ୍ଷେତ୍ରରେ ରହିଥିବା ବିଭିନ୍ନ ସମସ୍ୟା ଉଲ୍ଲେଖ କରି କୁଇ ସମାଜ ଏହାର ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛି। କନ୍ଧମାଳ ଜିଲାରେ ୧୨ଟି ବ୍ଲକ ଥିବା ବେଳେ ଏଠାରେ ମାତ୍ର ଦୁଇଟି ଏକଲବ୍ୟ ବିଦ୍ୟାଳୟ ରହିଛି । ଏହି ଦୁଇଟି ମଧ୍ୟ ଠିକ ଭାବେ ଚାଲୁ ନାହିଁ। ତେଣୁ ଏହାର ସଠିକ ପରିଚାଳନା ସହ ଜିଲାର ଅନ୍ୟ ୧୦ଟି ବ୍ଲକରେ ମଧ୍ୟ ଏକଲବ୍ୟ ବିଦ୍ୟାଳୟ ଖୋଲିବା ପାଇଁ କୁଇ ସମାଜ ଦାବି ଜଣାଇଛି । ସେହିଭଳି ଜିଲାରେ ମଙ୍ଗଳ ବିଭାଗର ବିଭିନ୍ନ ବିଦ୍ୟାଳୟ ନାନାଦି ସମସ୍ୟା ଭିତରେ ରହିଥିବା ଦର୍ଶାଯାଇଛି। ଏସବୁର ଭିତ୍ତିଭୂମି ବିକାଶ ସହ ଛାତ୍ର ଛାତ୍ରୀ ମାନଙ୍କୁ ଏକ ଉନ୍ନତ ମାନର ଶିକ୍ଷାର ସୁଯୋଗ ଦେବା ପାଇଁ ଦାବି କରାଯାଇଛି। ପିଲାମାନଙ୍କୁ ଖାଦ୍ୟ ବାବଦରେ ରାଜ୍ୟ ସରକାରଙ୍କ ତରଫରୁ ଦିଆ ଯାଉଥିବା ଦୈନିକ ୩୦/୪୦ ଟଙ୍କା ଯଥେଷ୍ଟ ହେଉ ନ ଥୁିବାରୁ ଏହାକୁ ବୃଦ୍ଧି କରିବା ପାଇଁ ଅନୁରୋଧ କରାଯାଇଛି । କନ୍ଧମାଳ ଜିଲାରେ ଖୋଲିଥିବା ଦୁଇ ଗୋଟି ବିଏଡ କଲେଜ ଏବେ ବିଭିନ୍ନ କାରଣରୁ ବନ୍ଦ ହେବାକୁ ଯାଉଛି, ଯାହାକି ଜିଲାର ଶିକ୍ଷା ବ୍ୟବସ୍ଥାକୁ ଆହୁରି ପଛୁଆ କରିଦେବ। ତେଣୁ ଏ ସଂପର୍କରେ ଅନୁଧ୍ୟାନ କରି ଏହାର ସୁପରିଚାଳନା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ର ମନ୍ତ୍ରୀଙ୍କୁ କୁଇ ସମାଜ ନିବେଦନ କରିଛି । ସେହିଭଳି ଆଦିବାସୀ ମାନଙ୍କ ମାତୃଭାଷା କୁଇକୁ ଶିକ୍ଷା ବ୍ୟବସ୍ଥାରେ ଲାଗୁ କରିବା ପାଇଁ ଦାବି କରାଯାଇଛି । ପ୍ରାଥମିକ ବିଦ୍ୟାଳୟରେ କୁଇ ଭଷାରେ ଶିକ୍ଷାଦାନ କରାଯିବା ପାଇଁ ଏହି ଦାବୀପତ୍ରରେ ପ୍ରସ୍ତାବ ଦିଆ ଯାଇଛି । ଫୁଲବାଣୀ ସରକାରୀ ମହାବିଦ୍ୟାଳୟରେ ଶତକଡା ୭୦ ଭାଗ ଶିକ୍ଷକ ଓ ଅଣଶିକ୍ଷକ ପଦ ଖାଲି ପଡିଥିବା ଉଲ୍ଲେଖ କରି ଏସବୁର ପୂରଣ ପାଇଁ ମଧ୍ୟ ଦାବୀ କରାଯାଇଛି । ସେହିଭଳି ରାଜ୍ୟର ଛାତ୍ର ଛାତ୍ରୀ ମାନଙ୍କୁ ଉନ୍ନତ ମାନର ଶିକ୍ଷା ଦେବା ଉଦ୍ଦେଶ୍ୟରେ କୋରାପୁଟଠାରେ ସ୍ଥାପିତ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟର ଅବସ୍ଥା ଏବେ ଦୟନୀୟ ହୋଇ ପଡିଥିବା କୁଇ ସମାଜ କହିଛି। ତେଣୁ ଏହାର ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କ ନିକଟରେ ଦାବୀ ଉପସ୍ଥାପନ କରାଯାଇଛି । କୁଇ ସମାଜ ସଭାପତି ସୁଦର୍ଶନ କହଁରଙ୍କ ନେତୃତ୍ୱରେ ସଂପାଦକ ଅବନୀ କହଁର, କୋଷାଧ୍ୟକ୍ଷ ଭାବୀନ୍ଦ୍ର କହଁର, ସହ ସଂପାଦକ ଅଚ୍ୟୁତ ଜାନୀ, ଗୋଚ୍ଛାପଡା ଶାଖାର ଉପସଭାପତି ଗୋଲୋକ ବିହାରୀ କହଁର, ସଂପାଦକ ଆଲୋକ କହଁର, ସହ ସଂପାଦକ ଅର୍ଜୁନ କହଁର ଓ ଅନ୍ୟ କର୍ମକର୍ତ୍ତାମାନେ କେନ୍ଦ୍ରମନ୍ତ୍ରୀ ଶ୍ରୀ ସରକାରଙ୍କୁ ଭେଟି ଏହି ଦାବୀପତ୍ର ପ୍ରଦାନ କରିଥିଲେ।
Comments are closed.