‘ଆଧାର’ କ୍ଷତ!

0

ହରିହର ତ୍ରିପାଠୀ

prayash

ସୁବିଧା ପ୍ରଦାନ ନାଁରେ ଏ ଦେଶର ନିର୍ବାଚିତ ସରକାର ଜନସାଧାରଣଙ୍କୁ ଅକଥନୀୟ ଦୁର୍ଦଶାରେ ପକାଉଥିବାର ଅନେକ ଉଦାହରଣ ଭିତରୁ ‘ଆଧାର’ ଗୋଟିଏ । ଏପର୍ଯ୍ୟନ୍ତ ଲାଗୁଥିଲା ଜଣେ ଲୋକର ‘ଆଧାର’ କାର୍ଡଟିଏ ନଥିଲେ ଭାରତୀୟଭାବେ ତା’ର ଜୀବନ ସତେ ଯେପରି ବ୍ୟର୍ଥ । ବ୍ୟାଙ୍କ ଆକାଉଣ୍ଟଟିଏ ଖୋଲ, ଆଗ ଦରକାର ଆଧାର, ସ୍କୁଲ, କଲେଜରେ ନାମଲେଖା ଲାଗି ଆଧାର ଲୋଡା, କୌଣସି ସର୍ବଭାରତୀୟ ପ୍ରତିଯୋଗିତା ପରୀକ୍ଷାରେ ଆଧାର ଦରକାର, ମୋବାଇଲ୍ ସିମ୍‌କାର୍ଡଟିଏ ପାଇଁ ଆଧାର ନହେଲେ ନଚଳେ, ଏମିତି କି ଘରୋଇ ସଂସ୍ଥାରେ ଚାକିରି ବି କଲେ ଉକ୍ତ ସଂସ୍ଥାର ମାଲିକ ଆଧାରକାର୍ଡ ମାଗୁଥିଲା। ତେବେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଜନସାଧାରଣଙ୍କର ଏଇ ଆଧାର ସମସ୍ୟାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି । ଅଦାଲତ ଆଧାରର ସାମ୍ବିଧାନିକ ବୈଧତାକୁ କାଏମ ରଖିଥିବା ବେଳେ ସବୁ କାର୍ଯ୍ୟରେ ଏହାର ବାଧ୍ୟତାମୂଳକ ବ୍ୟବହାର ଉପରେ ରୋକ୍ ଲଗାଇଛନ୍ତି । ମୋଟାମୋଟି ଆଧାର ବାଧ୍ୟତାମୂଳକ ନୁହେଁ ବୋଲି ନ୍ୟାୟାଳୟ କହିବାପରେ ଦେଶର ଅଗଣିତ ଜନତା ଏବେ ଆଧାର ବିନା ଜୀବନ ଯେ ନିରାଧାର, ସେ ପ୍ରକାର ଭାବନାରୁ ନିଷ୍କୃତି ପାଇଛନ୍ତି ବୋଲି କୁହାଯାଇପାରେ । ମାନ୍ୟବର ନ୍ୟାୟାଳୟ କହିଛନ୍ତି ଯେ ‘ଆଧାର’ ପାଇଁ ସାଧାରଣ ଲୋକଙ୍କୁ ମୌଳିକ ସୁବିଧା ଓ ସେବାରୁ ବଞ୍ଚିତ କରାଯାଇପାରିବ ନାହିଁ । ଏଥିପାଇଁ ଆଧାର ଆଇନର ଧାରା ୫୭କୁ କୋର୍ଟ ରଦ୍ଦ କରି କହିଛନ୍ତି ଯେ ସ୍କୁଲରେ ନାମଲେଖା ବେଳେ ‘ଆଧାର’ ଜରୁରୀ ନୁହେଁ । ଘରୋଇ କମ୍ପାନୀ କିମ୍ବା ସଂସ୍ଥା ମଧ୍ୟ “ଆଧାର’ ପାଇଁ କାହାକୁ ବାଧ୍ୟ କରିପାରିବେ ନାହିଁ । ଆଧାର ସହିତ ବ୍ୟାଙ୍କ ଆକାଉଣ୍ଟ, ମୋବାଇଲ ନମ୍ବରର ଲିଙ୍କ ମଧ୍ୟ ବାଧ୍ୟତାମୂଳକ ନୁହେଁ । ଅବଶ୍ୟ ‘ଆଧାର-ପାନ୍’ ଲିଙ୍କ ବ୍ୟବସ୍ଥାକୁ ନ୍ୟାୟାଳୟ ବଳବତ୍ତର ରଖିବା ସହ ସରକାରୀ ସୁବିଧାସୁଯୋଗ ଓ ରିଆତି କ୍ଷେତ୍ରରେ ଆଧାର ଆବଶ୍ୟକ ବୋଲି କହିଛନ୍ତି।
ଆଧାର ହେଉଛି ବିଶ୍ୱର ସର୍ବବୃହତ୍ ବାଇଓମେଟ୍ରିକ୍ ଚିହ୍ନଟ ବ୍ୟବସ୍ଥା । ବିଶ୍ୱବ୍ୟାଙ୍କର ମୁଖ୍ୟ ଅର୍ଥବିଶେଷଜ୍ଞ ପାଉଲ୍ ରୋମରଙ୍କ ମତରେ ଆଧାର ହେଉଛି ବିଶ୍ୱର ସର୍ବାଧୁନିକ ନାଗରିକ ଚିହ୍ନଟ କାର୍ଯ୍ୟକ୍ରମ । ତେବେ ଆଧାର ନାଗରିକତାର ପ୍ରମାଣପତ୍ର ନୁହେଁ। ଏମିତିକି ୨୦୧୭ ମସିହାରେ ଗୃହ ମନ୍ତ୍ରଣାଳୟ ଏକଥା ସ୍ପଷ୍ଟ କରିଥିଲା ଯେ ପଡୋଶୀ ଦେଶ ନେପାଳ ଓ ଭୁଟାନକୁ ମଧ୍ୟ ଯିବା ନିମନ୍ତେ ଏହା କୌଣସିମତେ ଏକ ପ୍ରାମାଣିକ ଦଲିଲ ଭାବେ ବ୍ୟବହାର କରାଯାଇ ପାରିବ ନାହିଁ । ଆଧାର ପ୍ରମାଣପତ୍ର ପ୍ରଦାନ କରୁଥିବା ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ ବା ୟୁଆଇଡିଏଆଇ ନାମକ ସାମ୍ବିଧାନିକ ସଂସ୍ଥାଟିକୁ ୟୁପିଏ ସରକାର ୨୦୦୯ ମସିହାରେ ଗଠନ କରିଥିଲେ। ପ୍ରଥମରୁ ହିଁ ଏହା କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ ଆରମ୍ଭ କରିଥିଲା । ଏହା ପରେ ଦେଶସାରା ନାଗରିକମାନଙ୍କୁ ଆଧାର କାର୍ଡ ଜରିଆରେ ପରିଚୟପତ୍ର ପ୍ରଦାନ ଲାଗି ସରକାର ପ୍ରୟାସ ଆରମ୍ଭ କଲେ ।
ଆରମ୍ଭରୁ ଏବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଆଧାର ବ୍ୟବସ୍ଥାକୁ ବିରୋଧ କରିଥିଲେ ବି ନିଜେ କ୍ଷମତାକୁ ଆସିବା ପରେ ସବୁକ୍ଷେତ୍ରରେ ଆଧାରକୁ ବାଧ୍ୟତାମୂଳକ କରିବାରେ ଲାଗିଲେ । ଏମିତିକି ୨୦୧୬ ମସିହା ମାର୍ଚ୍ଚ ୩ ତାରିଖ ଦିନ ଆଧାରକୁ ବୈଧାନିକ ସ୍ୱୀକୃତି ପ୍ରଦାନ ନିମନ୍ତେ ଏକ ବିଲ୍ ପାର୍ଲିଆମେଣ୍ଟରେ ଆଣିଥିଲେ । ମାର୍ଚ୍ଚ ୨୦୧୬ ମସିହାରେ ଆଧାର ଆକ୍ଟ ୨୦୧୬ ଲୋକସଭାରେ ଗୃହୀତ ହୋଇଯାଇଥିଲା । ତେବେ ଆଧାରକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପାଖରେ ବିଭିନ୍ନ ସମୟରେ ମୋକଦ୍ଦମା ହେବା ପରେ ସୁପ୍ରିମ୍‌କୋର୍ଟ ୨୦୧୩ ମସିହା ସେପ୍ଟେମ୍ବର ୨୩ରେ ତାଙ୍କର ରାୟଦେଇ କହିଥିଲେ ଯେ କୌଣସି ବ୍ୟକ୍ତି ଆଧାର ନମ୍ବର ପାଇନଥିଲେ ତାହାକୁ କୌଣସି ସୁବିଧାରୁ ବଞ୍ଚିତ କରାଯାଇ ପାରିବ ନାହିଁ । ଏହା ବାଧ୍ୟତାମୂଳକ ନୁହେଁ ବରଂ ସ୍ୱେଚ୍ଛାକୃତ । ଆଚମ୍ବିତ କଥା ହେଉଛି ମୋଦୀ ସରକାର ଶାସନକୁ ଆସିଲା ପରେ ଆଧାରକୁ ବହୁ କ୍ଷେତ୍ରରେ ବାଧ୍ୟତାମୂଳକ କରିବାକୁ ଲାଗିଲେ ।
ସବୁଠାରୁ ବଡକଥା ହେଲା ଆଧାର ଦ୍ୱାରା ୟୁଆଇଡିଏଆଇ ନିକଟରେ ନାଗରିକମାନଙ୍କର ରହୁଥିବା ତଥ୍ୟର ଗୋପନୀୟତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଲା । ଦେଶବିଦେଶର ହ୍ୟାକରମାନେ ଆଧାର ପୋର୍ଟାଲରୁ ଜନସାଧାରଣଙ୍କ ବ୍ୟକ୍ତିଗତ ତଥ୍ୟକୁ ହ୍ୟାକ୍ କରିବାକୁ ଚ୍ୟାଲେଞ୍ଜ କଲେ ଏବଂ କେତେକ ଏହାକୁ ସଫଳତାର ସହ ପ୍ରମାଣ କରି ମଧ୍ୟ ଦେଖାଇ ପାରିଲେ । ଏହି ପରିପ୍ରେକ୍ଷୀରେ ଏକାଧିକ ମାମଲା ସୁପ୍ରିମକୋର୍ଟଙ୍କ ନିକଟରେ ଦାଖଲ ହେବା ପରେ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କର ରାୟ ପ୍ରଦାନ କରି ସବୁ ଆଲୋଚନାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ୨୦୧୩ ମସିହାରେ ସୁପ୍ରିମକୋର୍ଟ ଯାହା ରାୟ ଦେଇଥିଲେ ଏବେ ଠିକ୍ ଏକା କଥା ହିଁ କହିଛନ୍ତି । କେବଳ ଆଧାରର ସାମ୍ବିଧାନିକ ବୈଧତାକୁ ମାନ୍ୟବର କୋର୍ଟ ସ୍ୱୀକୃତି ପ୍ରଦାନ କରିଛନ୍ତି ଏବଂ ଏହାର ନିର୍ଦିଷ୍ଟ ପରିସରକୁ ସ୍ପଷ୍ଟ କରିଛନ୍ତି ।
ତେବେ ପ୍ରଶ୍ନ ଉଠୁଛି ଆଧାରକୁ ନେଇ ବିଗତ ୪ ବର୍ଷ ହେଲା ଦେଶର କୋଟିକୋଟି ଜନତା ଯେଉଁ ଅସୁବିଧା ଭୋଗ କରିଛନ୍ତି, ତାହାର କ୍ଷତିପୂରଣ କିଏ ଦେବ ? ଯଦି ସୂଚନା ଓ ପ୍ରଯୁକ୍ତି ବିଦ୍ୟାହିଁ ଆଧାର ସହାୟତାରେ ଦେଶର ଦୁର୍ନୀତି ରୋକିବାକୁ ସମର୍ଥ ହେବ, ତେବେ ଏ ଦେଶର ବିଶାଳ ପ୍ରଶାସନିକ ବ୍ୟବସ୍ଥାରେ ରହିଥିବା ଲୋକଙ୍କର କାମ କ’ଣ? ସେମାନେ କାହିଁକି ସାଧାରଣ ଲୋକଙ୍କର କଷ୍ଟ ଉପାର୍ଜିତ ଅର୍ଥରେ ଦରମା ନେଇ ଅୟସ ଜୀବନ ବିତାଇବେ ? ଏ ଦେଶର ସରକାର ସବୁବେଳେ ସାଧାରଣ ଜନତାଙ୍କୁ ଗବେଷଣାଗାରର ମୂଷା ଭଳି ବ୍ୟବହାର କରିଆସୁଛନ୍ତି । ବିମୁଦ୍ରାୟନ ଓ ଆଧାର ଏହାର ବଡ ପ୍ରମାଣ ।
ବଡବେତରା, କୁଦାନଗରୀ, କେନ୍ଦ୍ରାପଡା

Leave A Reply