ଥିଲେ ସରପଞ୍ଚ…ଏବେ ପେଟ୍ରୋଲ ପମ୍ପରେ ଦିନ ମଜୁରିଆ ଶ୍ରମିକ
ଚିକିଟି : ଗ୍ରାମାଞ୍ଚଳର ବିକାଶ ପାଇଁ ପଞ୍ଚାୟତିରାଜ ବ୍ୟବସ୍ଥା ଗ୍ରହଣ କରାଯାଇଛି ଓ ପଞ୍ଚାୟତ ଜରିଆରେ ଜଣାସାଧାରଣଙ୍କ ସାମଗ୍ରୀକ ବିକାଶ ନିର୍ଣ୍ଣୟ ହୋଇଥାଏ, ଆଉ ତା’ର ଦାୟିତ୍ୱ ନେଇଥାନ୍ତି ସରପଞ୍ଚ। ସେ ଜଣାସାଧାରଣଙ୍କ ଦ୍ଵାରା ସିଧାସଳଖ ନିର୍ବାଚିତ ହୋଇଥାନ୍ତି । ଗଣତନ୍ତ୍ରକୁ ଆୟୁଧ କରି କିଏ ମାଲା ମାଲ ହେଉଛି ତ, କିଏ ଯଥା ପୂର୍ବଂ ତଥା ପରମ ସ୍ଥିତିରେ ରହିଯାଆନ୍ତି। ସେଦିନର ସରପଞ୍ଚ ଆଜ୍ଞା ଆଜିର ପେଟ୍ରୋଲ ପମ୍ପ କର୍ମଚାରୀ। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଚିକିଟି ବ୍ଲକ ଗିରିସୋଲା ସ୍ଥିତ ଏକ ପ୍ରଟ୍ରୋଲ ପମ୍ପରେ। ଯାହା ଦେଖିଲୁ ପ୍ରଥମେ ବିଶ୍ୱାସ କରିହେଲାନି, ତଥାପି ଆମେ ସତ୍ୟାସତ୍ୟ ବୁଝିବାକୁ ଚେଷ୍ଟା କଲୁ, ଯାହା ଶୁଣିଲୁ….. ଏହି ବ୍ଲକ ଝାଟିପଦର ପଞ୍ଚାୟତର ପୂର୍ବତନ ସରପଞ୍ଚ ଗୋପାଳ ନାଇକ ପେଟ୍ରୋଲ ପମ୍ପରେ ଦିନ ମଜୁରିଆ ଭାବେ କାମ କରୁଛନ୍ତି। ଦିନକୁ ୮ଘଣ୍ଟା ଡ୍ୟୁଟି କରନ୍ତି ଓ ଲୋକଙ୍କ ଗାଡ଼ିରେ ତେଲ ପକାନ୍ତି। ମାସିକ ଆଠ ହଜାର ଟଙ୍କା ପାଇ ପରିବାର ପ୍ରତିପୋଷଣ କରନ୍ତି। ଘରେ ତାଙ୍କ ସ୍ତ୍ରୀ ଓ ଦୁଇ ଛୁଆ ସେଥିରେ କଷ୍ଟେ ମଷ୍ଟେ ଚଳନ୍ତି। ସେ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ସରପଞ୍ଚ ଦାୟୀତ୍ୱରେ ଥିଲେ। ୫ବର୍ଷ ସରପଞ୍ଚ ଆସନରେ ବସି ଲୋକଙ୍କ ପାଇଁ ସେବା କରୁଥିଲେ ଏବେ ତେଲ ଟାଙ୍କିରେ ସେବା ଯୋଗାଉଛନ୍ତି । ସୂଚନା ଯୋଗ୍ୟ ଯେ ୨୦୧୩ରେ ସେ ସରପଞ୍ଚ ଥିବାବେଳେ ଇନ୍ଦିରା ଆବାସ ଯୋଜନାରେ ନିଜ ସ୍ତ୍ରୀଙ୍କ ନାମରେ ତାଙ୍କୁ ଏକ ଘର ଯୋଗାଇ ଦିଆଯାଇଥିଲା । ସେ ଜମିହୀନ ଓ ଅତ୍ୟନ୍ତ ଗରିବ ଶ୍ରେଣୀର, ସରପଞ୍ଚ ଥିବାବେଳେ ସ୍ଥିତି ଯେମିତି ଥିଲା ଏବେବି ସେମିତି ଅଛି । ପେଟ ଚାଖଣ୍ଡକ ପାଇଁ ସେ ପେଟ୍ରୋଲ ପମ୍ପରେ ତିନି ବର୍ଷ ହେଲା କାମ କରୁଛନ୍ତି ବୋଲି ସେ ଅତ୍ୟନ୍ତ ଦୁଃଖର ସହ ପ୍ରକାଶ କରିଛନ୍ତି। ଯଦି କିଛି ସରକାରୀ ସାହାୟତା ମିଳେ ତେବେ ପୂର୍ବତନ ସରପଞ୍ଚ ହିସାବରେ ଆଦର୍ଶର ସହ ବଞ୍ଚିବି ବୋଲି କହିଛନ୍ତି ଗୋପାଳ। ଏହି ପୂର୍ବତନ ସରପଞ୍ଚଙ୍କ ପାଇଁ କି ପ୍ରକାର ପ୍ରଶାସନିକ ବ୍ୟବସ୍ଥା ହୋଇପାରିବ ତାହା ସମୟ କହିବ।
Comments are closed.