ସରକାର ବଞ୍ଚାଇବା ପାଇଁ ଗୁଣିଗାରେଡିର ସହାୟତା ନେଇଛନ୍ତି ଇମରାନ୍ ଖାନ୍ – ଭୋଟ ନ ଦେବାକୁ ଇମ୍ରାନଙ୍କ ହୁଇପ୍
ଇସଲାମାବାଦ,୨୯ା୩: ଅନାସ୍ଥା ପ୍ରସ୍ତାବ ଭୋଟ ପୂର୍ବରୁ ଇମ୍ରାନଙ୍କ ଦଳୀୟ ସଦସ୍ୟ ଓ ସହଯୋଗୀ ଦଳ ସଦସ୍ୟମାନେ ଇସ୍ତଫା ଦେବାରେ ଲାଗିଛନ୍ତି। ଏ ପରିସ୍ଥିତିରେ ସରକାରକୁ ବଞ୍ଚାଇବା ଲାଗି ଇମ୍ରାନ ଗୁଣି ଗାରେଡି ଉପରେ ଭରସା କରିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବିରୋଧରେ ସଂସଦ (ନ୍ୟାସନାଲ ଆସେମ୍ବ୍ଲି)ରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ମାର୍ଚ୍ଚ ୩୧ କିମ୍ବା ଏପ୍ରିଲ ୩ରେ ଭୋଟ୍ ହେବ। ଏହି ଭୋଟ ପାଇଁ ଇମ୍ରାନଙ୍କ ନେତୃତ୍ବ ପାକିସ୍ତାନ ତେହରିକ୍-ଇ ଇନସାଫ (ପିଟିଆଇ) ଏହାର ସଦସ୍ୟଙ୍କୁ ହୁଇପ୍ ଜାରି କରିଛି। ହୁଇପ୍ରେ ଅନାସ୍ଥା ପ୍ରସ୍ତାବ ଭୋଟ୍ ଦିନ ସଂସଦରେ ଅନୁପସ୍ଥିତ ରହି ମତଦାନର ଦୂରେଇ ରହିବାକୁ ନିର୍ଦେଶ ଦିଆଯାଇଛି। ହୁଇପ୍ରେ ସଦସ୍ୟମାନେ କଣ କରିବେ ଓ କଣ ନ କରିବେ ତାର ସବିଶେଷ ସୂଚନା ଦିଆଯାଇଛି।
ବିରୋଧୀ ଦଳ ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜ (ପିଏମ୍ଏଲ୍-ଏନ୍) ମୁଖ୍ୟ ସେହବାଜ୍ ସରିଫ କହିଛନ୍ତି ଯେ ଗୁଣି ଗାରେଡି ପୂର୍ବକ ଇମ୍ରାନଙ୍କ ବାନି ଗାଲା ଘରେ ଟନ୍ ଟନ୍ ଚିକେନ (କୁକୁଡା) ପୋଡା ଯାଉଛି। ଗରିବ ଲୋକମାନେ ଖାଇବାକୁ ପାଉ ନଥିବାବେଳେ ଇମ୍ରାନଙ୍କ ଘରେ ଟନ୍ ଟନ୍ ଚିକେନ ପୋଡା ଯାଉଛି। ଅନ୍ୟପଟେ ମଙ୍ଗଳବାର ଇମ୍ରାନଙ୍କ ସରକାରରୁ ଆଉ ଦୁଇ ଜଣ ସଦସ୍ୟ ଇସ୍ତଫା ଦେଇଛନ୍ତି। ଇମ୍ରାନଙ୍କ ଦଳ ପିଟିଆଇର ସଂସଦୀୟ ସଚିବ ଆସିମ୍ ନାଜିର ଦଳରୁ ଇସ୍ତଫାଦେଇ ବିରୋଧୀ ପିଏମ୍ଏଲ-ଏନ୍ରେ ଯୋଗ ଦେଇଛନ୍ତି।
ସେହିପରି ଇମ୍ରାନଙ୍କ ସରକାରକୁ ସମର୍ଥନ ଜଣାଉଥିବା ବେଲୁଚିସ୍ତାନର ସ୍ବାଧୀନ ସାଂସଦ ଆସଲାମ ଭୁତାନି ମଧ୍ୟ ଇସ୍ତଫା ଦେଇଛନ୍ତି। ସେ ମଧ୍ୟ ବିରୋଧୀ ମେଣ୍ଟରେ ସାମିଲ ହୋଇଛନ୍ତି। ସୋମବାର ପିଟିଆଇର ସହଯୋଗୀ ଦଳ ବେଲୁଚିସ୍ତାନ ଆୱାମି ପାର୍ଟି ଏହାର ୫ ସଦସ୍ୟଙ୍କ ସହିତ ବିରୋଧୀ ଦଳରେ ଯୋଗ ଦେବାକୁ ଘୋଷଣା କରିଥିଲା। ୩୪୨ ସଦସ୍ୟ ସଂସଦରେ ଇମ୍ରାନଙ୍କ ନେତୃତ୍ବ ପାକିସ୍ତାନ ତେହରିକ୍-ଇ ଇନସାଫ (ପିଟିଆଇ)ର ୧୬୫ ସଦସ୍ୟ ଥିବାବେଳେ ସରକାର ବଞ୍ଚାଇବାକୁ ଏହାକୁ ୧୭୨ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ। ବିରୋଧୀ ଦଳଗୁଡିକ ପାଖରେ ଏବେ ୧୬୯ ସଦସ୍ୟ ଅଛନ୍ତି।
Comments are closed.