ମୁମ୍ବଇ: ବଲିଉଡ଼ରେ ମହେନ୍ଦ୍ର ସିଂହ ଧୋନୀ ଓ କପିଲ ଦେବଙ୍କ ଭଳି କ୍ରିକେଟରଙ୍କ ବାୟୋପିକ ନିର୍ମାଣ ହୋଇସାରିଛି। ଏବେ ଏହି ତାଲିକାରେ ଆଉ ଜଣେ କ୍ରିକେଟରଙ୍କ ନାଁ ଯୋଡ଼ି ହୋଇଯାଇଛି। କ୍ରିକେଟର ପ୍ରବୀଣ ତାମ୍ବେଙ୍କ ଜୀବନ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ଏବଂ ଏହି ଫିଲ୍ମର ନାଁ ରହିଛି ‘କୌନ ପ୍ରବୀଣ ତାମ୍ବେ’। ଏହି ଚଳଚ୍ଚିତ୍ରର ଟ୍ରେଲର ଗୁରୁବାର ରିଲିଜ୍ ହୋଇଛି। ଏଥିରେ ଶ୍ରେୟସ ତଲପଡ଼େ କ୍ରିକେଟର ପ୍ରବୀଣ ତାମ୍ବେ ଭୂମିକାରେ ଅଭିନୟ କରିଛନ୍ତି। ଟ୍ରେଲରରେ ତାଙ୍କ ଦମ୍ଦାର୍ ଅଭିନୟର ଝଲକ୍ ଦେଖିବାକୁ ମିଳିଛି। ଟ୍ରେଲରରୁ ଜଣାପଡ଼ୁଛି ଫିଲ୍ମରେ କେବଳ ପ୍ରବୀଣ ତାମ୍ବେଙ୍କ ଖେଳ ବିଷୟରେ ଜାଣିବାକୁ ମିଳିବନି, ବରଂ ଏଥିରେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ବହୁତ କିଛି ଜାଣିବାକୁ ମିଳିବ।

୨ ମିନିଟ୍ ୫୧ ସେକେଣ୍ଡର ଏହି ଟ୍ରେଲର ଆକର୍ଷଣୀୟ ଅନ୍ଦାଜରେ ଆରମ୍ଭ ହୋଇଛି। ଶ୍ରେୟସ ତଲପଡ଼େ ବୋଲିଂ କରୁଥିବା ଦେଖିବାକୁ ମିଳିଛି। ଏହାପରେ ତାଙ୍କ ସଂଘର୍ଷ ଓ ବ୍ୟକ୍ତିଗତ ଜୀବନ ମଧ୍ୟ ଦେଖିବାକୁ ମିଳିଛି, ଯେଉଁଥିରେ ତାଙ୍କୁ ଅନେକ ଅପବାଦ ତଥା ଲୋକହସାର ସାମ୍ନା କରିବାକୁ ପଡ଼ିଛି। ‘କୌନ ପ୍ରବୀଣ ତାମ୍ବେ’ର ନିର୍ଦେଶନା ଦେଇଛନ୍ତି ଜୟପ୍ରଦା ଦେସାଇ। ଏଥିରେ ଶ୍ରେୟସଙ୍କ ବ୍ୟତୀତ ଆଶୀଷ ବିଦ୍ୟାର୍ଥୀ, ପରମବ୍ରତ ଚାଟାର୍ଜୀ ଓ ଅଞ୍ଜଳି ପାଟିଲ ପ୍ରମୁଖ କଳାକାର ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି। ଏପ୍ରିଲ ୧ ତାରିଖରେ ଓଟିଟି ପ୍ଲାଟଫର୍ମ ଡିଜ୍ନୀ ପ୍ଲସ୍ ହଟଷ୍ଟାରରେ ରିଲିଜ୍ ହେବ ଏହି ଫିଲ୍ମ।



