କ୍ରିକେଟ ଜଗତ ସ୍ତବ୍ଧ : ଥିଲେ ଜଣେ ସ୍ପିନ୍ ଯାଦୁକର
ମେଲବୋର୍ଣ୍ଣ, : ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ସେନ୍ ୱାର୍ଣ୍ଣଙ୍କ ପରଲୋକ କ୍ରିକେଟ ଜଗତକୁ ସ୍ତବ୍ଧ କରିଦେଇଛି। ଥାଇଲାଣ୍ଡରେ ଶୁକ୍ରବାର ୱାର୍ଣ୍ଣଙ୍କ ପରଲୋକ ହୋଇଛି। ତାଙ୍କ ପରଲୋକରେ ଅଷ୍ଟ୍ରେଲିଆ ସମେତ ବିଶ୍ବ କ୍ରିକେଟରେ ଶୋକର ଛାୟା ଖେଳିଯାଇଛି। କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କଠାରୁ ଆରମ୍ଭ କରି ସୁନିଲ ଗାଭାସ୍କର, ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ଅନ୍ୟ କ୍ରିକେଟରମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି।
୧୪ବର୍ଷରେ ୧୦୦୧ ଅନ୍ତର୍ଜାତୀୟ ୱିକେଟ
୧୯୬୯ ସେପ୍ଟେମ୍ବର ୧୩ରେ ଅଷ୍ଟ୍ରେଲିଅାର ଭିକ୍ଟୋରିଆ ସହରରେ ଜନ୍ମିତ ସେନ୍ ୱାର୍ଣ୍ଣ ବିଶ୍ବ କ୍ରିକେଟର ଅଦ୍ବିତୀୟ ସ୍ପିନର ଭାବେ ବେଶ୍ ଖ୍ୟାତି ଅର୍ଜନ କରିଛନ୍ତି। ୱାର୍ଣ୍ଣ ୧୯୯୨ ଜାନୁଆରୀ ୨ରେ ସିଡ୍ନୀରେ ଭାରତ ବିପକ୍ଷରେ ୱାର୍ଣ୍ଣ ପଦାର୍ପଣ କରିଥିଲେ। ସେ ୧୪୫ଟି ଟେଷ୍ଟ ମ୍ୟାଚ ଖେଳି ୨୫.୪୧ ପ୍ରତିଶତ ହାରରେ ୭୦୮ଟି ୱିକେଟ ନେଇଥିଲେ। ସେଥିମଧ୍ୟରୁ ୩୭ଥର ଗୋଟିଏ ଇନିଂସରେ ୫ ଟି ୱିକେଟ ଓ ୧୦ଥର ଗୋଟିଏ ଟେଷ୍ଟ ମ୍ୟାଚରେ ୧୦ଟି ୱିକେଟ ହାସଲ କରିଥିଲେ। ୭୧ରନରେ ୮ଟି ୱିକେଟ ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା। ୨୦୦୭ ଜାନୁଆରୀ ୨ରେ ଇଂଲଣ୍ଡ ବିପକ୍ଷରେ ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ। ବିଶ୍ବର ଦ୍ବିତୀୟ ସର୍ବାଧିକ ଟେଷ୍ଟ ୱିକେଟ ହାସଲକାରୀ ବୋଲର ଭାବେ ୱାର୍ଣ୍ଣ ରହିଥିଲେ।
ସେହିପରି ବ୍ୟାଟିଂରେ ମଧ୍ୟ ୱାର୍ଣ୍ଣ ୧୭. ୩୨ ପ୍ରତିଶତ ହାରରେ ୧୨ଟି ଅର୍ଦ୍ଧଶତକ ସହ ୩୧୫୪ରନ କରିଥିଲେ। ୧୯୯୩ ମାର୍ଚ୍ଚ ୨୪ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ପଦାର୍ପଣ କରିଥିଲେ ୱାର୍ଣ୍ଣ। ସେ ୧୯୪ଟି ଦିନିକିଆ ମ୍ୟାଚ ଖେଳି ୨୫.୭୩ ପ୍ରତିଶତ ହାରରେ ୨୯୩ଟି ୱିକେଟ ନେଇଛନ୍ତି। ୩୩ରନରେ ୫ ୱିକେଟ ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା। ୨୦୧୦ ଜାନୁଆରୀ ୫ରେ ଶେଷ ଦିନିକିଆ ମ୍ୟାଚ ଖେଳିଥିଲେ। ୨୦୦୫ ଅଗଷ୍ଟ ୧୧ ରେ ଓଲ୍ଡ ଟ୍ରାଫେଡ ଆସେସ ଶୃଙ୍ଖଳାରେ ୱାର୍ଣ୍ଣ ବିଶ୍ବର ପ୍ରଥମ ଟେଷ୍ଟ ବୋଲର ଭାବେ ୬୦୦ ୱିକେଟ ନେଇଥିଲେ। ୱାର୍ଣ୍ଣ ଅଷ୍ଟ୍ରେଲିଆର ଅଧିନାୟକ ଦାୟିତ୍ବ ମଧ୍ୟ ତୁଲାଇଥିଲେ। ୱାର୍ଣ୍ଣ ୧୯୯୯ରୁ ୨୦୦୦ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଦିନିକିଆ ଓ ଟେଷ୍ଟ ଦଳର ଉପ ଅଧିନାୟକ ଦାୟିତ୍ବ ତୁଲାଇଥିଲେ।
୧୧ଟି ଦିିନିକିଆ ମ୍ୟାଚରେ ଅଧିନାୟକ ଦାୟିତ୍ବ ତୁଲାଇଥିଲେ। ସେଥିମଧ୍ୟରୁ ୧୦ଟି ମ୍ୟାଚରେ ବିଜୟୀ ହୋଇଥିବାବେଳେ ଗୋଟିଏ ପରାଜିତ ହୋଇଥିଲେ।
୨୦୦୬ ଡିସେମ୍ବର ୨୧ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ୨୦୧୩ରେ ୱାର୍ଣ୍ଣ ଆଇସିସି ହଲ୍ ଅଫ ଫ୍ରେମରେ ସ୍ଥାନ ପାଇଥିଲେ।
୧୯୯୯ ବିଶ୍ବକପ ବିଜେତା ଦଳର ସଦସ୍ୟ : ଇଂଲଣ୍ଡରେ ୧୯୯୯ରେ ଆୟୋଜିତ ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପରେ ଅଷ୍ଟ୍ରେଲିଆ ବିଜେତାହୋଇଥିଲା। ସେମିଫାଇନାଲରେ ୱାର୍ଣ୍ଣଙ୍କ ଯାଦୁ ବଳରେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲା। ଅନ୍ତର୍ଜାତୀୟ କ୍ରିକେଟରେ ୱାର୍ଣ୍ଣଙ୍କ ଏହା ଥିଲା ଅନ୍ୟତମ ଶ୍ରେଷ୍ଠ ସଫଳତା।
୨୦୦୩ ବିଶ୍ବକପରୁ ହୋଇଥିଲେ ବାସନ୍ଦ : ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ୱାର୍ଣ୍ଣ ଭାଷ୍ୟକାର ଭାବେ ମଧ୍ୟ ବେଶ କ୍ରିକେଟ ଜଗତରେ ପରିଚିତ ଥିଲେ। ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ଅର୍ଜୁନ ରଣତୁଙ୍ଗାଙ୍କ ବିରୁଦ୍ଧରେ ଅଭିଯୋଗ ପାଇଁ ୧୯୯୯ ବିଶ୍ବକପ ପୂର୍ବରୁ ଦୁଇଟି ମ୍ୟାଚରୁ ଅନ୍ତର୍ଜାତୀୟ କ୍ରିକେଟ ପରିଚାଳନା ପରିଷଦ ବାସନ୍ଦ କରିଥିଲା। ୱାର୍ଣ୍ଣ ମାଦନ ଦବ୍ର ସେବନ ଲାଗି ୨୦୦୩ ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପରୁ ବାସନ୍ଦ ହୋଇଥିଲେ। ପରବର୍ତ୍ତୀ ସମୟରେ ୨୦୦୪ରେ ପୂନର୍ବାର ଅନ୍ତର୍ଜାତୀୟ କ୍ରିକେଟକୁ ଫେରିଥିଲେ।
ଆଇପିଏଲ୍ : ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ୱାର୍ଣ୍ଣ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ରେ ପ୍ରବେଶ କରିଥିଲେ। ୨୦୦୮ ଆଇପିଏଲ ପ୍ରଥମ ସଂସ୍କରଣ ରେ ସେ ରାଜସ୍ଥାନ ରୟାଲ୍ସର ଅଧିନାୟକ ରହିଥିଲେ। ତାଙ୍କ ଅଧିନାୟତ୍ବାର ରାଜସ୍ଥାନ ରୟାଲ୍ସ ଆଇପିଏଲ ପ୍ରଥମ ସଂସ୍କରଣରେ ବିଜେତା ଆଖ୍ୟା ଅର୍ଜନ କରିଥିଲା। ସେହିପରି ୱାର୍ଣ୍ଣ ୨୦୦୮ରୁ ୨୦୧୩ ପର୍ଯ୍ୟନ୍ତ ଟ୍ବେଣ୍ଟି୨୦ କ୍ରିକେଟ ଖେଳିଥିଲେ। ସେ ଆଇପିଏଲ ସମେତ ବିଗ୍ ବାସ୍ ଲିଗରେ ମଧ୍ୟ ଖେଳିଥିଲେ।
ବ୍ୟକ୍ତିଗତ ଜୀବନ : ସେନ୍ ୱାର୍ଣ୍ଣଙ୍କ କ୍ରିକେଟ ବ୍ୟତୀତ ବ୍ୟକ୍ତିଗତ ଜୀବନ ମଧ୍ୟ ବେଶ ରୋଚକ ରହିଥିଲା । ସେ ୧୯୯୫ରେ ସିମନ କାଲାହାନଙ୍କୁ ବିବାହ କରିଥିଲେ। ତାଙ୍କର ୩ଟି ସନ୍ତାନ ଥିବାବେଳେ ୨୦୦୫ରେ ବିବାହ ବିଛେଦ ଘଟିଥିଲା। ୱାର୍ଣ୍ଣ ୨୦୦୪ରେ ୱାର୍ଣ୍ଣ ଫାଉଣ୍ଡେସନ ନାମକ ଏକ ସ୍ବେଚ୍ଛାସେବୀ ସଂଗଠନ ଗଢି ଦୂରାରୋଗରେ ପିଡିତ ଶିଶୁ ଓ ବିଭିନ୍ନ ସମସ୍ୟା ମଧ୍ୟ ଦେଇ ଗତି କରୁଥିବା ଶିଶୁମାନଙ୍କ ନିମନ୍ତେ ବହୁ କାର୍ଯ୍ୟ କରି ପ୍ରଶଂସିତ ହୋଇଥିଲେ। ଏହା ବାଦ୍ ସେ ସଡକ ସୁରକ୍ଷା ଅଭିଯାନ ଅନ୍ତର୍ଗତ କ୍ରିକେଟ ପ୍ରତିଯୋଗିତା ବିଶ୍ବ ସଡକ ସୁରକ୍ଷା କ୍ରିକେଟ ଶୃଙ୍ଖଳାରେ ଭାଗ ନେଇ ସଡକ ସୁରକ୍ଷା ନେଇ ସଚେତନତା ସୃଷ୍ଟି କରିଥିଲେ।
Comments are closed.