ମାତ୍ର ୭ ଦିନରେ ଟେଲିଭିଜନ୍‌ ହାସ୍ୟ ଅଭିନେତାରୁ ମହାନାୟକ

କିଭ୍‌, : ରୁଷିଆ ଆକ୍ରମଣର ମାତ୍ର ୭ଦିନରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କି ବିଶ୍ବବାସୀଙ୍କ ନଜରରେ ହୀରୋ (ନାୟକ) ପାଲଟି ଯାଇଛନ୍ତି। ଦେଶର ଲୋକପ୍ରିୟ ଟେଲିଭିଜନ୍‌ ହାସ୍ୟ ଅଭିନେତାରୁ ମାତ୍ର କେଇଟା ଦିନରେ ଏମିତି ଜନମାନସର ମହାନାୟକ ପାଲଟିଯିବା ଅନେକଙ୍କୁ ବିସ୍ମିତ କରିଛି। ଅନେକ ଭାବୁଥିଲେ କ୍ଷମତାଶାଳୀ ରୁଷିଆ ଆକ୍ରମଣରୁ ବର୍ତ୍ତିବା ପାଇଁ ସେ ଆତ୍ମସମର୍ପଣ କରିବେ କିମ୍ବା ଦେଶ ଛାଡ଼ି ପଳାଇଯିବେ; କିନ୍ତୁ ଏହା ସତ୍ୟ ତ’ ହେଲା ନାହିଁ; ବରଂ ତାଙ୍କର ମୁକାବିଲା କୌଶଳ କେବଳ ୟୁରୋପ ନୁହେଁ; ସାରା ବିଶ୍ବର ଘରେ ଘରେ ଆଲୋଚନାର ବିଷୟ ହୋଇଛି।

ଅନ୍ୟମାନଙ୍କୁ ଏହା ବେଶ୍‌ ଉତ୍ସାହିତ ମଧ୍ୟ କରିଛି। ଯୁଦ୍ଧ ୯ଦିନ ଅତିକ୍ରମ କରିଥିବାବେଳେ ସେ ସାହସର ସହିତ ଛିଡ଼ା ହୋଇଛନ୍ତି; ଯେମିତି ସେ ଆଡଲଫ୍‌ ହିଟ୍‌ଲରଙ୍କ ମୁକାବିଲା କରୁଛନ୍ତି। ସାଧାରଣ ଜନତା ଓ ସେନା ସହିତ ମିଶି ସେମାନଙ୍କ ମନୋବଳ ବଢ଼ାଉଛନ୍ତି ଓ ସାହସ ଦେଉଛନ୍ତି। କେତେବେଳେ ଉନ୍ମାଦ ଖେଳାଇଦେବା ଭଳି ପ୍ରେରଣଦାୟୀ ଏବଂ ଭାବୋଦ୍ଦୀପକ ଭାଷଣ ଦେଉଛନ୍ତି। ଯୁଦ୍ଧର ପ୍ରଥମ ଦିନ ସେ ରାଜଧାନୀରେ ଜରୁରୀକାଳୀନ ପରିସ୍ଥିତି ଜାରି କରିବା ସହ ନାଗରିକଙ୍କ ହାତରେ ଶତ୍ରୁ ବିପକ୍ଷରେ ଲଢ଼ିବା ପାଇଁ ଅସ୍ତ୍ର ଧରାଇଥିଲେ।

prayash

ଏହା ପୂର୍ବଦିନ ସେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଯେଉଁ ଭାଷଣ ଦେଇଥିଲେ ତାହା ସମସ୍ତଙ୍କୁ ପ୍ରଭାବିତ କରିଥିଲା। ଲୋ​‌‌କେ ମୁକାବିଲା ପାଇଁ ରାସ୍ତାକୁ ଓହ୍ଲାଇଥିଲେ। ଦ୍ବିତୀୟ ଦିନରେ ଗୁଜବକୁ ଖଣ୍ଡନ କରି ପରିବାର ସହ ରାଜଧାନୀରେ ଉପସ୍ଥିତ ଥିବା ଓ ଦେଶ ଛାଡ଼ୁ ନ ଥିବା ଭିଡିଓ ମାଧ୍ୟମରେ ଘୋଷଣା କରିଥିଲେ। ସେ ଓ ତାଙ୍କ ପରିବାର ରୁଷିଆର ପ୍ରଥମ ଦୁଇ ନିଶାଣ ଥିବା କହି ଲୋକଙ୍କୁ ଆକୃଷ୍ଟ କରିଥିଲେ। ସେ ଏକାକୀ ଲ​‌େ​‌ଢ଼ଇ କରୁଥିବାବେଳେ କାହାରି ସାହାଯ୍ୟ ପାଉ ନ ଥିବା କହି ହୃଦୟ ଜିଣିଲେ। ତୃତୀୟ ଦିନରେ ସେ ଦେଶ ଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ଆମେରିକାର ପ୍ରସ୍ତାବକୁ ଖାରଜ କରିଥିଲେ। ପୁନଶ୍ଚ ଆଶ୍ରୟ ନୁହେଁ; ଅସ୍ତ୍ର ଦିଅ ବୋଲି କହି ସେ ରାତାରାତି ନାୟକ ପାଲଟିଗଲେ।

ରାତି ଅଧରେ ବାହାରେ ବୁଲି ସାଧାରଣ ନାଗରିକ ଓ ଯବାନଙ୍କୁ ଭେଟିଥିଲେ। ସାମରିକ ପୋଷାକରେ ବଙ୍କର ଓ ଯୁଦ୍ଧ ଭୂମିରେ ସୈନ୍ୟଙ୍କ ସହ ଗପ ପରିବା ସହ ଖାଦ୍ୟ ଗ୍ରହଣ କରିଥିଲେ ଏବଂ ଅସ୍ତ୍ରଶସ୍ତ୍ର ନିରୀକ୍ଷଣ କରିଥିଲେ। ଚତୁର୍ଥ ଦିନ ରୁଷିଆ ରାଷ୍ଟ୍ରପତି ପୁତିନଙ୍କୁ ଆତଙ୍କବାଦୀ ଓ ସ୍ବେଚ୍ଛାଚାରୀ ବୋଲି ଆକ୍ଷେପ କରିବା ସହ ୟୁକ୍ରେନ୍‌ ମାଟିରେ ଏହା ଧ୍ବଂସ ପାଇବ ବୋଲି ଚେତାବନୀ ଶୁଣାଇଥିଲେ। ପଞ୍ଚମ ଦିନରେ ପ୍ରଥମ ଆଲୋଚନା ଚାଲିଥିବାବେଳେ ସେ ସ୍ପଷ୍ଟ ଭାବେ ଆହ୍ବାନ ଦେଇଥିଲେ ଯେ ରୁଷିଆ ସୈନ୍ୟ ପ୍ରତ୍ୟାହାର କରିବା ପରେ ହିଁ ସମାଧାନ ସମ୍ଭବ। ତାଙ୍କ ଆହ୍ବାନକ୍ରମେ ୟୁକ୍ରେନ୍‌ବାସୀ ମାନସିକ ଲଢ଼େଇ ଆରମ୍ଭ କରିଦେଇଥିଲେ। ସେମାନେ ରୁଷୀୟ ସୈନ୍ୟକୁ ଧରିବା ସହ ଉପଯୁକ୍ତ ସମ୍ମାନ ପ୍ରଦାନ କରି ସେମାନଙ୍କ ହୃଦୟ ଜିଣିଥିଲେ। ତାଙ୍କ ଦାମ୍ଭିକତାପୂର୍ଣ୍ଣ ଭାଷଣରେ ଶତ୍ରୁପକ୍ଷ ଚିନ୍ତାରେ ପଡ଼ିଲା। ରୁଷୀୟ ଅସ୍ତ୍ରଶସ୍ତ୍ରକୁ ଖେଳାଣା କରି ସେମାନେ ମଉଜ କରୁଥିଲେ।

ଏଭଳି ଅନେକ ଦୃଶ୍ୟର ଭିଡିଓ ପ୍ରସାରଣ ମାଧ୍ୟମରେ ୟୁକ୍ରେନ୍‌ବାସୀ ସାମାଜିକ ଗଣମାଧ୍ୟମକୁ ଏକପ୍ରକାର ରଣକୌଶଳରେ ପରିଣତ କରିଥିଲେ। ଏହା ଯେତିକି ବଢ଼ିଚାଲିଲା, ରୁଷିଆ ସେନାର ମନୋବଳ ସେତିକି କମିବାରେ ଲାଗିଲା। ରୁଷିଆ ତାଙ୍କୁ ହତ୍ୟା ପାଇଁ ସୁପାରୀ ଦେଇଥିବା ଜଣାପଡ଼ିବା ପରେ ସେ ଆହୁରି ଉନ୍ମୁକ୍ତ ହୋଇଗଲେ। ଷଷ୍ଠ ଦିନରେ ସେ ରୁଷିଆକୁ ଅଧିକ ରଗାଇବା ପାଇଁ ୟୁରୋପୀୟ ସଂଘ ସଂସଦରେ ଉଦ୍‌ବୋଧନ ଦେଲେ ଏବଂ ତୁରନ୍ତ ସଦସ୍ୟତା ଦାବି କଲେ। ସେମାନେ ବାସ୍ତବରେ ୟରୋପୀୟ ବୋଲି ପ୍ରମାଣ ଦେବାକୁ ସେ ଆହ୍ବାନ ଦେଇଥିଲେ। ଏଠାରେ ତାଙ୍କର ଭାବବିହ୍ବଳ ଭାଷଣ ସାରା ବିଶ୍ବରେ ଜେଲେନ୍‌ସ୍କିଙ୍କୁ ରାଷ୍ଟ୍ରନାୟକତ୍ବ ପ୍ରଦାନ କରିଥିଲା। ସପ୍ତମ ଦିନରେ ଜେଲେନ୍‌ସ୍କି ସିଧାସଳଖ ପୁତିନଙ୍କୁ ଆଣବିକ ଯୁଦ୍ଧ ମସୁଧା ଛାଡ଼ିବା ସହ ପ୍ରତ୍ୟକ୍ଷ ଆଲୋଚନାକୁ ଓହ୍ଲାଇବା ପାଇଁ ଆହ୍ବାନ ଦେବା ସହ ଏହାଦ୍ବାରା ହିଁ ବିବାଦର ସମାଧାନ ସମ୍ଭବ ବୋଲି କହିଲେ। ଏହି ଦାମ୍ଭିକତା ଅନ୍ୟ କୌଣସି ନେତାଙ୍କଠାରେ ଅଦ୍ୟାବଧି ଦେଖିବାକୁ ମିଳି ନାହିଁ।

kalyan agarbati

Comments are closed.