ଭାରତ ପାଇଁ ୬ ଘଣ୍ଟା ଯୁଦ୍ଧ ବନ୍ଦ -‘ଅପରେସନ ଗଙ୍ଗା’କୁ ରୁଷର ସମର୍ଥନ
କିଭ୍/ମସ୍କୋ,: ବିଶ୍ୱ ଦରବାରରେ ଭାରତର କୂଟନୈତିକ ସଫଳତାକୁ ନେଇ ଏବେ ଚର୍ଚ୍ଚା। ରୁଷ-ୟୁକ୍ରେନ ଯୁଦ୍ଧରେ ୟୁକ୍ରେନରେ ଫସିରହିଥିବା ଭାରତୀୟ ଛାତ୍ରଙ୍କ ସମେତ ନାଗରିକଙ୍କୁ ସେଠାରୁ ଆଣିବାକୁ ଭାରତ ସରକାରଙ୍କ ପ୍ରୟାସ ସଫଳ ହୋଇଛି। ୟୁକ୍ରେନ ସୀମାନ୍ତକୁ ଲାଗିଥିବା ପୋଲାଣ୍ଡ, ହଙ୍ଗେରୀ ଆଦି ରାଷ୍ଟ୍ର ୟୁକ୍ରେନ ଛାଡୁଥିବା ଭାରତୀୟ ଛାତ୍ର ଓ ନାଗରିକଙ୍କୁ ଆଶ୍ରୟ ଦେଉଥିବାବେଳେ ସେଠାରୁ ସେମାନଙ୍କୁ ‘ଅପରେସନ ଗଙ୍ଗା’ରେ ସ୍ୱଦେଶ ଫେରାଇ ଅଣାଯାଉଛି। ଏୟାର ଇଣ୍ଡିଆ ବିମାନଗୁଡିକ ସହିତ ଭାରତୀୟ ବାୟୁସେନାର ବିଶାଳ ବିମାନ ଗ୍ଲୋବମାଷ୍ଟରକୁ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି। ତେବେ ଯେଉଁ ବିଷୟକୁ ନେଇ ଭାରତ ଏବେ ବିଶ୍ୱରେ ଚର୍ଚ୍ଚାରେ ରହିଛି, ତାହା ହେଉଛି, ୟୁକ୍ରେନର ଖାର୍କିଭ ସହରରେ ଅଟକି ରହିଥିବା ଭାରତୀୟଙ୍କୁ ସେଠାରୁ ପଳାୟନ ସୁଯୋଗ ଦେବା ପାଇଁ ରୁଷ ସୈନ୍ୟଙ୍କ ପକ୍ଷରୁ ୬ ଘଣ୍ଟା ଯୁଦ୍ଧ ବନ୍ଦ ରଖାଯିବା। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନରେ ଅଟକି ରହିଥିବା ଭାରତୀୟଙ୍କୁ ରୁଷ ବାଟଦେଇ ସ୍ୱଦେଶ ଫେରିବା ସମ୍ପର୍କରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ଆଲୋଚନା କରିଥିଲେ। ମୋଦୀଙ୍କ କଥାକୁ ସମ୍ମାନ ଜଣାଇ ଏବଂ ଦୁଇ ଦେଶ ମଧ୍ୟରେ ରହିଥିବା ପୁରାତନ ବନ୍ଧୁତାକୁ ଗୁରୁତ୍ୱ ଦେଇ ପୁଟିନଙ୍କ ଆଦେଶରେ ଖାର୍କିଭରେ ଗୁରୁବାର ୬ ଘଣ୍ଟା ପର୍ଯ୍ୟନ୍ତ ରୁଷ ସୈନ୍ୟଙ୍କ ପକ୍ଷରୁ ଆକ୍ରମଣକୁ ବନ୍ଦ ରଖାଯାଇଥିଲା।
ଏହି ଅବସରରେ ରୁଷ ପକ୍ଷରୁ ଭାରତୀୟଙ୍କ ସମେତ ଅନ୍ୟ ବିଦେଶୀ ନାଗରିକଙ୍କୁ ସ୍ଥାନାନ୍ତର କରିବାକୁ ୧୩୦ଟି ଆରାମଦାୟକ ବସ୍ ମଧ୍ୟ ଯୋଗାଇ ଦିଆଯାଇଥିବା ଜଣାଯାଇଛି। ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଏପର୍ଯ୍ୟନ୍ତ ୟୁକ୍ରେନରୁ ୬୪୦୦ ଭାରତୀୟଙ୍କୁ ‘ଅପରେସନ ଗଙ୍ଗା’ରେ ସ୍ୱଦେଶ ଫେରାଇ ଅଣାଯାଇସାରିଛି। କେବଳ ଦିନକ ମଧ୍ୟରେ ୧୫ଟି ବିମାନରେ ୩ ହଜାର ଭାରତୀୟ ଛାତ୍ରଙ୍କ ସମେତ ନାଗରିକ ସ୍ୱଦେଶ ଫେରିଛନ୍ତି। ଇତିମଧ୍ୟରେ ୧୮ ହଜାର ଭାରତୀୟ ୟୁକ୍ରେନ ଛାଡିସାରିଥିବା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗ୍ଚୀ ଗୁରୁବାର ଦିନ କହିଛନ୍ତି। ସେ କହିଛନ୍ତି, ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆଉ ୧୮ଟି ବିମାନ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ଉଡାଣ କରିବ। ଏହାସତ୍ୱେ ଆଉ କେତେଶହ ଭାରତୀୟ ଛାତ୍ର ଏବେ ମଧ୍ୟ ଖାର୍କିଭରେ ଅଟକି ରହିଛନ୍ତି। ଏହାର ନିକଟବର୍ତ୍ତୀ ସହର ପିସୋଚିନ୍ରେ ମଧ୍ୟ ପ୍ରାୟ ୧ ହଜାର ଭାରତୀୟ ରହିଥିବା ସେ କହିଛନ୍ତି। ସେମାନେ ଯେକୌଣସି ଉପାୟରେ, ଏପରିକି ଆବଶ୍ୟକ ହେଲେ ଚାଲି ଚାଲି ଖାର୍କିଭ ଛାଡି ନିରାପଦ ସ୍ଥାନକୁ ଚାଲିଯିବାକୁ ସେମାନଙ୍କୁ କୁହାଯାଇଛି।
ଗୁରୁବାର ସୁଦ୍ଧା ରୁଷ ପକ୍ଷରୁ ୟୁକ୍ରେନ ଉପରେ ଚାଲିଥିବା ଆକ୍ରମଣ ଅଷ୍ଟମ ଦିନରେ ପହଞ୍ଚିଥିବାବେଳେ ଯେତେ ଶୀଘ୍ର ସମ୍ଭବ ସମ୍ପୂର୍ଣ୍ଣ ୟୁକ୍ରେନ ଦଖଲ କରିବାକୁ ରୁଷ ରାଷ୍ଟ୍ରପତି ପୁଟିନ ନିଜ ଦେଶର ସେନାକୁ ଆଦେଶ ଦେଇଛନ୍ତି। ତଦନୁଯାୟୀ ଗୁରୁବାର ୟୁକ୍ରେନର ଦ୍ୱିତୀୟ ବୃହତ୍ତମ ସହର ତଥା ବାଣିଜ୍ୟ କେନ୍ଦ୍ର ଖାର୍କିଭ ଏବଂ ବନ୍ଦର ନଗରୀ ଓଡ଼େସା ସମେତ ମାରିଉପୋଲ ଉପରେ ରୁଷ ପକ୍ଷରୁ କ୍ଷେପଣାସ୍ତ୍ର, ରକେଟ ସହାୟତାରେ ଭୀଷଣ ଆକ୍ରମଣ ଜାରି ରହିଛି। ରୁଷ ଆକ୍ରମଣରେ ୟୁକ୍ରେନର ସମସ୍ତ ମୁଖ୍ୟ ମୁଖ୍ୟ ସହର ବସ୍ତୁତଃ ଧ୍ୱଂସସ୍ତୁପ ପାଲଟିବାରେ ଲାଗିଛି। ରୁଷର ଯୁଦ୍ଧ ବିମାନ ଓ ହେଲିକପ୍ଟରଗୁଡିକ ଏହିସବୁ ସହରଗୁଡିକ ଉପରେ ଉଡାଣ କରି କ୍ଷେପଣାସ୍ତ୍ର ମାଡ କରିଚାଲିଥିବାବେଳେ କୃଷ୍ଣ ସାଗରରେ ମୁତୟନ ରୁଷୀୟ ଯୁଦ୍ଧ ଜାହାଜଗୁଡିକରୁ ମଧ୍ୟ ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ବର୍ଷା ଚାଲିଛି। ରୁଷ ଆକ୍ରମଣ ଆରମ୍ଭ ହେବାର ସପ୍ତାହକ ମଧ୍ୟରେ ୟୁକ୍ରେନରୁ ପ୍ରାୟ ୧୦ ଲକ୍ଷ ଲୋକ ପଡୋଶୀ ରାଷ୍ଟ୍ରଗୁଡିକୁ ଚାଲିଯାଇ ସେଠାରେ ଶରଣ ନେଇଥିବା ଜାତିସଂଘ ମାନବାଧିକାର ସଂସ୍ଥା ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ରୁଷ ଆକ୍ରମଣରୁ ନିଜ ଦେଶକୁ ସୁରକ୍ଷା ଦେବାପାଇଁ ହାତରେ ବନ୍ଧୁକ ଧରିବାକୁ ୟୁକ୍ରେନ ଛାଡି ଚାଲିଥିବା ପ୍ରାୟ ୫୦ ହଜାର ନାଗରିକ ପୁଣି ୟୁକ୍ରେନକୁ ଫେରିଆସିଛନ୍ତି। ଇତିମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସ୍କି କହିଛନ୍ତି ଯେ ସେମାନେ ଶେଷପର୍ଯ୍ୟନ୍ତ ୟୁକ୍ରେନକୁ ସୁରକ୍ଷା ପ୍ରଦାନ କରିବେ ଏବଂ ରୁଷ ଅର୍ଥରେ ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନର ପୁନଃନିର୍ମାଣ କରିବେ। ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଅବସାନ ଘଟାଇବାକୁ ରୁଷ ଓ ୟୁକ୍ରେନ ମଧ୍ୟରେ ଗୁରୁବାର ଦ୍ୱିୀତୟ ପର୍ଯ୍ୟାୟ ଆଲୋଚନା ଅନୁଷ୍ଠିତ ହୋଇଛି। ଅନ୍ୟପକ୍ଷରେ କ୍ୱାଡ୍ ରାଷ୍ଟ୍ରସମୂହର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଭାସୀ ଜରିଆରେ ଗୁରୁବାର ରାତିରେ ଅନୁଷ୍ଠିତ ହୋଇଛି। ଏଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସାମିଲ ହୋଇଛନ୍ତି।
ଆମେରିକାର ଦକ୍ଷିଣ ଓ କେନ୍ଦ୍ର ଏସିଆ ବ୍ୟାପାର ଦାୟିତ୍ୱରେ ଥିବା ସହକାରୀ ସଚିବ ଡୋନାଲ୍ଡ ଲୁ କହିଛନ୍ତି, ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ନେଇ ରୁଷ ବିରୋଧରେ ଆମେରିକା ପକ୍ଷରୁ କଟକଣା ଜାରି କରାଯାଇଥିବା ପରିପ୍ରେକ୍ଷୀରେ ଭାରତ ରୁଷ ନିକଟରୁ ଏସ-୪୦୦ କ୍ଷେପଣାସ୍ତ୍ର ନିରୋଧୀ ବ୍ୟବସ୍ଥା କ୍ରୟ କରିବା କଷ୍ଟକର ହୋଇପଡ଼ିବ। ଆମେରିକା ଉପରେ ଯେଉଁଭଳି କଟକଣା ଲାଗୁ କରାଯାଇଛି ଭାରତ ବିରୋଧରେ ମଧ୍ୟ ରୁଷରୁ ଅସ୍ତ୍ରଶସ୍ତ୍ର ଖରିଦ କ୍ଷେତ୍ରରେ ଅନୁରୂପ କଟକଣା ଲଗାଇବାକୁ ତାଙ୍କ ଦେଶରେ ସାଂସଦମାନେ ଦାବି ଉଠାଉଥିବା ଲୁ କହିଛନ୍ତି। ପ୍ରାୟ ୯୦ ମିନିଟ କାଳ ହୋଇଥିବା ଆଲୋଚନାରେ ଏହି ପ୍ରସଙ୍ଗ ସମେତ ଭାରତ ପ୍ରତି ଆମେରିକାର ନୀତି, ଭାରତ-ଚୀନ ବିବାଦ ଏବଂ କ୍ୱାଡ, ଭାରତର ଗଣତନ୍ତ୍ର, ଏହାର ସ୍ୱାଧୀନତା, ରାହୁଳ ଗାନ୍ଧୀଙ୍କ ଉପରେ ଏନଏସଓର ସତର୍କଦୃଷ୍ଟି ରଖାଯିବା ବ୍ୟବସ୍ଥା, କାଶ୍ମୀର ପ୍ରସଙ୍ଗ, ପାକିସ୍ତାନ ସହିତ ସମ୍ପର୍କ ଏବଂ ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ ସ୍ୱଚ୍ଛ ଶକ୍ତି ଉତ୍ପାଦନ ନିମନ୍ତେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିଶ୍ରୁତି ଆଦି ମଧ୍ୟ ସ୍ଥାନ ପାଇଥିଲା। ଲୁ ଏହାମଧ୍ୟ କହିଥିଲେ ଯେ ଆମେରିକା ପାଇଁ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ନିରାପତ୍ତା ସହଭାଗୀ ଏବଂ ଏହି ସମ୍ପର୍କକୁ ନେଇ ଆଗକୁ ବଢ଼ିବାକୁ ଆମେରିକା ଚାହୁଁଛି। ସାମ୍ପ୍ରତିକ ପରିସ୍ଥିତିରେ ରୁଷ ସବୁଆଡୁ ଯେଉଁଭଳି ସମାଲୋଚନାର ଶିକାର ହେଉଛି ସେହିଦୃଷ୍ଟିରୁ ଭାରତ ଏହାଠାରୁ ଦୂରତା ବୃଦ୍ଧି କରିବା ଆଶା କରାଯାଉଛି। ସେ ଏହା ମଧ୍ୟ କହିଥିଲେ ଯେ, ଗତ କିଛି ସପ୍ତାହ ତଳେ ଭାରତ ମିଗ୍ ୨୯ ବିମାନ, ରୁଷ ହେଲିକପ୍ଟର ଏବଂ ଟ୍ୟାଙ୍କ ବିଧ୍ୱଂସୀ କ୍ଷେପଣାସ୍ତ୍ର ଯୋଗାଣ ଆଦେଶକୁ ବାତିଲ କରିଥିଲା। ରୁଷର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଉପରେ କଟକଣା ଲାଗୁ କରାଯାଇଥିବାବେଳେ ଅନ୍ୟ କୌଣସି ରାଷ୍ଟ୍ର ଏଭଳି ପ୍ରତିରକ୍ଷା ସାମଗ୍ରୀ ପାଇଁ ଏହାକୁ ଡଲାର, ରୁବଲ, ୟୁରୋ ଆକାରରେ କୋଟି କୋଟି ଦେବା ମଧ୍ୟ ଅତ୍ୟନ୍ତ କଷ୍ଟକର ହୋଇପଡ଼ିବ।
ଇତିମଧ୍ୟରେ ୟୁକ୍ରେନ ଉପରେ ରୁଷ ଆକ୍ରମଣରେ ପ୍ରାୟ ୩ ଶହରୁ ଅଧିକ ସାଧାରଣ ନାଗରିକଙ୍କର ପ୍ରାଣହାନି ଘଟିଥିବା ୟୁକ୍ରେନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେହି ସମୟରେ ୟୁକ୍ରେନ ସୈନ୍ୟଙ୍କ ପାଲଟା ଆକ୍ରମଣରେ ରୁଷର ୯ ହଜାରରୁ ଅଧିକ ସୈନ୍ୟ ନିହତ ହୋଇଥିବା ୟୁକ୍ରେନ ଦାବି କରିଛି। ରୁଷ ପକ୍ଷରୁ ୟୁକ୍ରେନର ସରକାରୀ ଦପ୍ତର, ସାମରିକ ସ୍ଥଳ ସମେତ ଜନବସତିଗୁଡିକୁ ଲକ୍ଷ୍ୟକରି ଘନ ଘନ କ୍ଷେପଣାସ୍ତ୍ର ମାଡ କରାଯାଉଛି। ୟୁକ୍ରେନ ସହର ଖେର୍ସନ, ଖାର୍କିଭ, ଓଡ଼େସା, ଚେର୍ଣ୍ଣହିଭ ଉପରେ ରୁଷର ଆକ୍ରମଣ ଜୋର୍ଦାର ହେବାରେ ଲାଗିଛି। ୟୁକ୍ରେନ ଦଖଲ ପାଇଁ ରୁଷ ଏପର୍ଯ୍ୟନ୍ତ ସଫଳ ହୋଇନଥିବାବେଳେ ଏହା ପରମାଣୁ ଅସ୍ତ୍ର ପ୍ରୟୋଗ କରିବା ଆଶଙ୍କା ପ୍ରକାଶ ପାଇଛି। ଏପରିକି ଏହା ବେଲାରୁଷର ପରମାଣୁ ଅସ୍ତ୍ର ମୁତୟନ କରିବା ସମ୍ଭାବନା ସୃଷ୍ଟି ହୋଇଥିବାବେଳେ ଏହାକୁ ନେଇ ୱାଶିଂଟନ ପକ୍ଷରୁ ମସ୍କୋକୁ ଚେତାବନୀ ଦିଆଯାଇଛି। ଯୁଦ୍ଧ ଲାଗିବାପରେ ରୁଷରୁ ଏକାଧିକ ଆମେରିକୀୟ ଓ ୟୁକ୍ରେନ କମ୍ପାନୀ ସେମାନଙ୍କର ବ୍ୟବସାୟ, ଉତ୍ପାଦନ ଆଦି ବନ୍ଦ କରିସାରିଲେଣି। ସେମାନଙ୍କ ମଧ୍ୟରେ ଯାନବାହନ ଉତ୍ପାଦନକାରୀ ପ୍ରମୁଖ କମ୍ପାନୀ ଭୋକ୍ସୱାଗନ, ସ୍କୋଡା, ଆଇକେଇଏ ଆଦି ଅନ୍ତର୍ଭୁକ୍ତ।
ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ଗୁରୁବାର ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ପ୍ରାୟ ୯୦ ମିନିଟ ଆଲୋଚାନ କରିଛନ୍ତି। ଆଲୋଚନା କାଳରେ ୟୁକ୍ରେନକୁ ସେନାମୁକ୍ତ କରିବା ଏବଂ ଏକ ନିରପେକ୍ଷ ଅଞ୍ଚଳ ମାନ୍ୟତା ପ୍ରଦାନ ଲକ୍ଷ୍ୟରେ ରୁଷ ଅଗ୍ରସର ହେଉଥିବା ପୁଟିନ କହିଥିଲେ। ଅନ୍ୟପକ୍ଷରେ ମାକ୍ରନ ୟୁକ୍ରେନ ରାଷ୍ଟ୍ରପତି ଏବଂ ଦେଶର ଜନସାଧାରଣଙ୍କ ଦେଶପ୍ରେମକୁ ପ୍ରଶଂସା କରିଥିଲେ। ଏଥିସହିତ ଯୁଦ୍ଧ ଚାହୁଁନଥିବା ରୁଷ ନାଗରିକଙ୍କ ସହିତ ମଧ୍ୟ ଫ୍ରାନ୍ସ ରହିଛି ମାକ୍ରନ ପ୍ରକାଶ କରିଥିଲେ। ଯୁଦ୍ଧ ପ୍ରଭାବିତ ୟୁକ୍ରେନରୁ ପଳାଇ ଆସୁଥିବା ନାଗରିକଙ୍କୁ ପହଞ୍ଚିବାମାତ୍ରେ ଭିସା ପ୍ରଦାନ କରାଯିବ ବୋଲି ୟୁଏଇ ପକ୍ଷରୁ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ ଯେ ଜାତିସଂଘ ସାଧାରଣ ପରିଷଦରେ ରୁଷକୁ ନିନ୍ଦା କରାଯିବା ପ୍ରସ୍ତାବ ଉପରେ ଦିଆଯାଇଥିବା ଭୋଟରେ ୟୁଏଇ ସମେତ ସମସ୍ତ ଛଅଟି ଆରବ ରାଷ୍ଟ୍ର ପ୍ରସ୍ତାବକୁ ସମର୍ଥନ କରିଥିଲେ। ୟୁକ୍ରେନ ସହିତ ଲଢେଇ ଚାଲିଥିବାବେଳେ ରୁଷ ତାହାର ମହାକାଶ ରକେଟରୁ ଆମେରିକା, ବ୍ରିଟେନ ଓ ଜାପାନର ଜାତୀୟ ପତାକାକୁ କାଢି ଦେଇଥିବାବେଳେ ସେଠାରେ କେବଳ ଭାରତର ଜାତୀୟ ପତାକା ଶୋଭା ପାଉଛି। ଏଥିସହିତ ମସ୍କୋ ପକ୍ଷରୁ ନିଜର ସର୍ବଶକ୍ତିଶାଳୀ ଏସ-୪୦୦ କ୍ଷେପଣାସ୍ତ୍ର ନିରୋଧୀ ବ୍ୟବସ୍ଥା କାର୍ଯ୍ୟକାରିତା ଅଭ୍ୟାସ ଆରମ୍ଭ ହୋଇଛି। ରୁଷର ବୈଦେଶିକ ମନ୍ତ୍ରୀ ସର୍ଗି ଲାଭରୋଭ କହିଛନ୍ତି ତାଙ୍କ ଦେଶ ଶାନ୍ତି ପ୍ରତିଷ୍ଠା ନିମନ୍ତେ ଆଲୋଚନା ପାଇଁ ପ୍ରସ୍ତୁତ, କିନ୍ତୁ ୟୁକ୍ରେନ ଉପରେ ଆକ୍ରମଣ ବନ୍ଦ ହେବନାହିଁ।
Comments are closed.