ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ, ହେଉନି ବିସ୍ତାପିତଙ୍କ ସମସ୍ୟା ସମାଧାନ
ବଲାଙ୍ଗିର: ବଲାଙ୍ଗିର ଜିଲାର ଜୀବନ ରେଖା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ। ୨ ଦଶନ୍ଧି ପରେ ପ୍ରକଳ୍ପ କାମ କେବେ ଝୁଣ୍ଟୁଛି ତ ପୁଣି କେବେ ଜୋର୍ ଧରୁଛି। ବିସ୍ଥାପିତଙ୍କ ସମସ୍ୟା ସମାଧାନ ହେଉଥିବା ବେଳେ ଅନେକାଂଶରେ ବିସ୍ଥାପିତ ନୂତନ ସ୍ଥାନରେ ଘର ବନାଇଲେଣି, ରହିଲେଣି ମଧ୍ୟ। ବିସ୍ଥାପିତ ଅଞ୍ଚଳର ପଞ୍ଚାୟତରେ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ଆଶାୟୀ ରହିଛନ୍ତି। ବିସ୍ଥାପିତମାନେ ମଧ୍ୟ ଦ୍ୱନ୍ଦ୍ୱରେ। କିଏ କହୁଛି ଭୋଟ୍ ଦେଇ କରି ଲାଭ କ’ଣ? ତ ପୁଣି ଆଉ କିଏ କହୁଛି ଏହା ଆମର ମୌଳିକ ଅଧିକାର।
ଆସନ୍ତା ୨୨ ତାରିଖରେ ବଲାଙ୍ଗିର, ଗୁଡଭେଲା ଓ ଦେଓଗାଁ ପଞ୍ଚାୟତ ସମିତିରେ ସରପଞ୍ଚ, ସମିତି ସଭ୍ୟ, ଜିଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ଭୋଟଦାନ ହେବ। ବଲାଙ୍ଗିର ସଦର ବ୍ଲକର ମାଗୁରବେଡା ପଞ୍ଚାୟତ। ଏହି ପଞ୍ଚାୟତ ଅଧୀନରେ ମାଗୁରବେଡା, ପରଧିଆପାଲି, କୋଏଣ୍ଡାପାଲି ଗାଁ ରହିଛି। ପରଧିଆପାଲି, କୋଏଣ୍ଡାପାଲି ଗାଁର ଅଧାରୁ ଅଧିକ ଲୋକ ଘର ଭାଙ୍ଗି ନୂଆ ଘର ନିର୍ମାଣ କଲେଣି। କୋଳାହଳ ମୟ ରହୁଥିବା ଗାଁ ଏବେ ଶୂନଶାନ। ଖାଁ ଖାଁ ଲାଗୁଛି ଗାଁ ପରିବେଶ। ବିସ୍ଥାପିତମାନେ ଶାନ୍ତିପଡ଼ା, ଝାଙ୍କରପାଲି ସହ ସଦାଇପାଲି-କନ୍ଧପାଲି ରାସ୍ତାରେ ଥିବା କେନ୍ଦ୍ରୀୟ ସୁରକ୍ଷା ବଳର ମୁଖ୍ୟାଳୟ ପଛପଟେ ଶତାଧିକ ଘର ନିର୍ମାଣ କଲେଣି।
ମାଗୁରବେଡ଼ା ପଞ୍ଚାୟତର ସରପଞ୍ଚ ଆଶାୟୀ ଜଣେ ସଂଗ୍ରାମୀ ଯୁବ ନେତା ବିସ୍ଥାପିତମାନେ ରହୁଥିବା କଲୋନି ଅଞ୍ଚଳକୁ ଆସି ଭୋଟ୍ ଭିକ୍ଷା କରିଥିଲେ। ଗାଁକୁ ଯାଇ ଭୋଟ୍ ଦେବାକୁ ଅନୁରୋଧ କରିଥିଲେ। ତେବେ ତାଙ୍କୁ ଲୋକେ କହିଥିଲେ ଯେ, ମାଗୁରବେଡ଼ା ପଞ୍ଚାୟତରେ ଯେଉଁ ଉନ୍ନୟନମୂଳକ କାମ ହେବାର ଅଛି ତାହା ନୂତନ ବିସ୍ଥାପିତ କଲୋନିରେ କରାଯାଉ। କୌଣସି ଉପାୟ ନପାଇ ଓ ପ୍ରତିଶ୍ରୁତି ଦେବା ବି ଭୁଲ ହେବ ଭାବି ଶେଷରେ ସରପଞ୍ଚ ଆଶାୟୀ ଫେରି ଯାଇଥିବା ଜଣାପଡ଼ିଛି।
Comments are closed.