୨୩ ନଂ ଜୋନ ଏଥର ଦେଖିବ ନୂଆ ମୁହଁ, ବିଜେଡ଼ି ଓ ବିଜେପି ମଧ୍ୟରେ ହେବ କଡା ଟକ୍କର

ପାଟଣା: ପାଟଣା ବ୍ଲକର ୨୩ ନଂ ଜୋନରେ ଏଥର ସବୁ ଦଳ ପକ୍ଷରୁ ନୂଆ ଚେହେରାଙ୍କୁ ପ୍ରାର୍ଥୀ କରାଯାଇଛି। ଯେଉଁ ଦଳର ପ୍ରାର୍ଥୀ ଜିତିଲେ ବି ୨୩ନଂ ଜୋନ ଏଥର ନୂଆ ମୁହଁ ଦେଖିବ। ଏଥର ୨୩ ନଂ ଜୋନ ରେ ୪ ଜଣ ପ୍ରାର୍ଥିନୀ ମଇଦାନରେ ଅଛନ୍ତି । କୌଣସି ସ୍ୱାଧିନ ପ୍ରାର୍ଥିନୀ ମଇଦାନରେ ନ ଥିବା ବେଳେ କଂଗ୍ରେସ ପକ୍ଷରୁ କୁମୁଳାବାହାଳି ଗାଁର ପଦ୍ମାବତୀ ମହାନ୍ତ, ଆମ ଆଦମୀ ପାର୍ଟି ପକ୍ଷରୁ କୋଡଖମଣ ଗାଁର ବାସନ୍ତୀ ମହାନ୍ତ, ବିଜୁ ଜନତା ଦଳ ପକ୍ଷରୁ ଡିଆନାଳୀ ଗାଁର ରୁନୁ ମହାନ୍ତ ଓ ବିଜେପି ପକ୍ଷରୁ ମଙ୍ଗଳପୁର ଗାଁର ସଙ୍ଗୀତାରାଣୀ ପଣ୍ଡା ନିଜ ନିଜ ଦଳୀୟ ସଙ୍କେତ ରେ ନିର୍ବାଚନ ଲଢୁଛନ୍ତି । ୨୩ ନଂ ଜୋନ ଅଂଚଳରେ ବିଜୁ ଜନତା ଦଳର ସଙ୍ଗଠନ ଅଧିକ ସୁଦୃଢ ଥିବାବେଳେ ବିଜେପି ମଧ୍ୟ ସଙ୍ଗଠନକୁ ସୁଦୃଢ କରୁଛି । କଂଗ୍ରେସ ନିଜର ପୁରୁଣା ସଙ୍ଗଠନକୁ ନୂଆ ଚେହେରା ଦେବା ପାଇଁ ପୂର୍ବତନ ବିଧାୟକ ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାଏକଙ୍କ ଜରିଆରେ ଚେଷ୍ଟା ଜାରି ରଖିଛି । ଏଠାରେ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେବ ବୋଲି ଦାବି କରାଯାଉଥିଲେ ମଧ୍ୟ ପ୍ରକୃତ ପକ୍ଷେ ଏହି ଜୋନରେ ବିଜେଡି ଓ ବିଜେପି ମଧ୍ୟରେ ଜୋରଦାର ଲଢେଇ ହେବା ଆଭାସ ଆଜିଠାରୁ ମିଳିସାରିଲାଣି ।
ପାଟଣା ବ୍ଲକ ମୁଖ୍ୟାଳୟ ଅଞ୍ଚଳର ୮ ଟି ପଞ୍ଚାୟତକୁ ନେଇ ଗଠିତ ୨୩ ନଂ ଜୋନରେ ବଡପାଟଣା, ଚିନାମାଳିପଶି, ଡୁମୁରିଆ, ଏରେଣ୍ଡେଇ, ପଲାଣଘାଟି, ମୂଷାଖୋରୀ, ମିରିଗିଖୋଜି ଓ ସରାସକୋଲା ପଞ୍ଚାୟତ ରହିଛି । ଏହି ଜୋନରେ ମୋଟ ୨୮ ହଜାର ୯୮୧ ଜଣ ଭୋଟର ଥିବାବେଳେ ସେମାନଙ୍କ ମଧ୍ୟରେ ୧୪ ହଜାର ୬୨୧ ଜଣ ପୁରୁଷ ଓ ୧୪ ହଜାର ୩୬୯ ଜଣ ମହିଳା ଭୋଟର ଅଛନ୍ତି । ଏବେ ଏହି ଜୋନରେ ବିଜୁ ଜନତା ଦଳ ଦଳର ସୁରେଶ ଚନ୍ଦ୍ର ନାଏକ ପ୍ରତିନିଧିତ୍ୱ କରୁଛନ୍ତି । ଗତ ୨୦୧୭ ରେ ଏଠାରେ ବିଜୟୀ ବିଜେଡି ପ୍ରାର୍ଥୀ ସୁରେଶ ଚନ୍ଦ୍ର ନାଏକଙ୍କୁ ସର୍ବାଧିକ ୯୬୨୮ ଖଣ୍ଡ ଭୋଟ ମିଳିଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଦଶମତୀ ଚାତାରଙ୍କୁ ୯୩୫୪ ଖଣ୍ଡ ମିଳିଥିଲା ।

prayash

ନିର୍ବାଚନ ଘୋଷଣାର ବହୁ ପୂର୍ବରୁ ବିଜୁ ଜନତା ଦଳର ନେତୃତ୍ୱ ସମ୍ମିଳନୀରେ ପାଟଣା ବିଧାୟକ ଜଗନ୍ନାଥ ନାଏକ ଯେଉଁ ଅଜଣା ନାରୀନେତ୍ରୀଙ୍କୁ ମଂଚାସୀନ କରାଇଥିଲେ ତାକୁ ହିଁ ଜିଲ୍ଲା ପରିଷଦ ପ୍ରାର୍ଥିନୀ କରାଯାଇଥିବାରୁ ଏହି ଜୋନ ଜିତିବା ପାଇଁ ବିଧାୟକ , ବ୍ଲକ ବିଜେଡି ସଭାପତି ମାଧବାନନ୍ଦ ପୃଷ୍ଟି ଓ ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାଏକଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଯାଇଛି । ସେହିପରି ବିଜେପି ପ୍ରାର୍ଥିନୀ ସଙ୍ଗିତାରାଣୀ ପଣ୍ଡା ଜଣେ ଶିକ୍ଷିତା, ସେବିକା ଭାବେ ଚାକିରୀ ଛାଡି ଜିଲ୍ଲା ପରିଷଦ ନିର୍ବାଚନ ଲଢୁଥିବାରୁ ପ୍ରଚାରର ପ୍ରଥମ ସୋପାନରେ ସେ ବେଶି ଚର୍ଚ୍ଚାରେ ଥିବାବେଳେ ତାଙ୍କର ବିଜୟ ପାଇଁ ତାଙ୍କ ସ୍ୱାମୀ ବିଜେପି ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସବୀର କୁମାର ଦାଶ ଦିନରାତି ଏକ କରିଦେଇଛନ୍ତି । ଇତି ମଧ୍ୟରେ ବିଜେପି ସପକ୍ଷରେ ପ୍ରଚାର ପାଇଁ ସଦର ବିଧାୟକ ମୋହନ ଚରଣ ମାଝୀ ମଧ୍ୟ ୨୩ ନଂ ଜୋନରେ ପ୍ରଚାର କରିଛନ୍ତି । ଉଭୟ ବିଜେଡି ଓ ବିଜେପି ପ୍ରାର୍ଥୀ ସ୍ନାତକ ଛାତ୍ରୀ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥିନୀ ମଧ୍ୟ ଯୁକ୍ତ ତିନି ଯାଏ ପାଠ ପଢିଛନ୍ତି ।
ଗତ ୨୦୧୭ ରେ ଏହି ଆସନର ଚୂଡାନ୍ତ ଫଳାଫଳ ପୁନଃଗଣନା ରେ ଫଇସଲା ହୋଇଥିଲା । ପ୍ରଥମେ ବିଜେପି ପ୍ରାର୍ଥିନୀ ବିଜୟ ଲାଭ ଚର୍ଚ୍ଚା ପରେ ଶେଷରେ ବିଜେଡି ପ୍ରାର୍ଥୀ ସୁରେଶ ଚନ୍ଦ୍ର ନାଏକଙ୍କୁ ବିଜୟୀ ଘୋଷଣା କରାଯାଇଥିଲା । ଏ ଦୃଷ୍ଟିରୁ ୨୩ ନଂ ଜୋନକୁ ବିଜେଡି ଓ ବିଜେପି କେହି କାହାକୁ ଛାଡିବା ସ୍ଥିତିରେ ନାହାନ୍ତି । ମତଦାନର ଚତୁର୍ଥ ଚରଣରେ ଫେବୃୟାରୀ ୨୨ ରେ ୨୩ ନଂ ଜୋନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବାରୁ ମତଦାତାଙ୍କୁ ଯେ କୌଣସି ଉପାୟରେ ଆକୃଷ୍ଟ କରିବାକୁ ବିଜେଡି , ବିଜେପି ସମସ୍ତ ପ୍ରକାର କଳକୌଶଳ ଖଟାଇବାକୁ ସେମାନଙ୍କ ପାଇଁ ଆଉ ହାତରେ ମାତ୍ର ଅଳ୍ପ କେଇଟା ଦିନ ବାକି ରହିଛି।

kalyan agarbati

Comments are closed.