ସାଂସଦଙ୍କୁ ଅଣ୍ଡା ମାଡ଼ ଘଟଣାରେ ଜଣେ ଅଟକ, ପ୍ରତିବାଦରେ ଝରିଗାଁ ଥାନା ଘେରାଉ

ରାସ୍ତାରୋକ କଲେ ଗ୍ରାମବାସୀ, ଦିନ ତମାମ ଉତ୍ତେଜନା

ନବରଙ୍ଗପୁର:ଗତକାଲି ଝରିଗାଁ ବ୍ଲକ ଇଛାପୁର ପଞ୍ଚାୟତରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ବିଜେଡି ଜିଲା ପରିଷଦ ଜୋନ ୩ର ପ୍ରାର୍ଥିନୀଙ୍କ ନିର୍ବାଚନ ପ୍ରଚାର ପାଇଁ ଧୂମାମ ଗ୍ରାମ ଦେଇ ଇଚ୍ଛାପୁର ଗ୍ରାମକୁ ଯାଉଥିବା ବେଳେ ଧୂମାମ ଗ୍ରାମର ଲୋକ ହଠାତ ଅଣ୍ଡା ମାଡ଼ କରିଥିଲେ। ଏହି ଘଟଣାକୁ ନେଇ ସାଂସଦ ପ୍ରତିନିଧି ପ୍ରିୟରଞ୍ଜନ ଦାସ ଝରିଗାଁ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ମୁଣ୍ଡିମାଲ ଗ୍ରାମର ଚିତ୍ର ପ୍ରସାଦ ତିୱାରୀଙ୍କୁ ଝରିଗାଁ ପୁଲିସ ଗତ ରାତିରେ ଉଠାଇଆଣି ଥାନାରେ ଅଟକ ରଖିଥିଲେ। ଝରିଗାଁ ପୁଲିସ ଚିତ୍ର ପ୍ରସାଦ ତିୱାରୀ ଅଟକ ଘଟଣାକୁ ପ୍ରତିବାଦ କରି ରାଜ୍ୟ ବିଜେପି ଉପ ସଭାପତି ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝୀଙ୍କ ସହ ଇଛାପୁର ପଞ୍ଚାୟତର ୬ଟି ୱାର୍ଡର ଶହ ଶହ ଲୋକ ପ୍ରଥମେ ଝରିଗାଁ କାଲେଜ ନିକଟରେ ଏକତ୍ରିତ ହୋଇଥିଲେ। ଏହାପରେ ଥାନା ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରି ଥାନା ଭିତରେ ପ୍ରବେଶ କରିଥିଲେ।

 

prayash

ଅଣ୍ଡା ମାଡ଼ ଘଟଣାରେ ଶ୍ରୀ ତିୱାରୀଙ୍କ କୌଣସି ସମ୍ପୃକ୍ତି ନାହିଁ, ତେଣୁ ତାଙ୍କୁ ତୁରନ୍ତ ଛାଡିବା ପାଇଁ ଥାନା ଘେରାଉ କରିବା ସହ ଥାନା ସମ୍ମୁଖରେ ରାସ୍ତା ରୋକ କରିଥିଲେ। ଘଟଣାରେ ଶ୍ରୀ ତିୱାରୀଙ୍କ କୌଣସି ସମ୍ପୃକ୍ତି ନଥିବା ବେଳେ ଝରିଗାଁ ପୁଲିସ କିଭଳି ଅଟକ କରିଛି ବୋଲି କହିବା ସହ ଯେତେବେଳ ପର୍ୟ୍ୟନ୍ତ ଶ୍ରୀ ତିୱାରୀଙ୍କୁ ପୁଲିସ ଛାଡି ନାହିଁ ସେତେବେଳ ପର୍ୟ୍ୟନ୍ତ ରାସ୍ତା ରୋକ କରିବେ ବୋଲି ଚେତାବନୀ ଦେଇଥିଲେ। ରାସ୍ତା ରୋକ ପରେ ବହୁ ଗାଡି ଉଭୟ ପାର୍ଶ୍ୱରେ ଅଟିକି ରହିଯାଇଥିଲା। ଅନ୍ୟପକ୍ଷେ ରାସ୍ତାରୋକର କିଛି ଘଣ୍ଟା ପରେ ଇଛାପୁର ଗ୍ରାମର ଅନ୍ୟ ୫ ୱାର୍ଡର ଶତାଧିକ ଲୋକ ଥାନା ପାଖରେ ଆସି ଶ୍ରୀ ତିୱାରୀଙ୍କ ବିପକ୍ଷରେ ସ୍ଲୋଗାନ ଦେଇ ଗିରଫ କରିବା ପାଇଁ ଦାବି କରିଛନ୍ତି। ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ଏହାପରେ ବୁଝାଶୁଝା ପରେ ୫ ୱାର୍ଡର ଲୋକ ଫେରିଯାଇଥିଲେ। ସେହିପରି କିଛି ଘଣ୍ଟା ରାସ୍ତା ରୋକ କରିବା ପରେ ଲୋକ ଓହରି ଯାଇଥିଲେ। ଘଟଣା ନେଇ ଉମରକୋଟ ଏସଡ଼ିପିଓ ଝରିଗାଁ ଥାନା ଆସିଥିବା ବେଳେ ପୂର୍ବତନ ସାଂସଦ ଶ୍ରୀ ମାଝୀଙ୍କ ସହିତ ଗ୍ରାମର ମୁଖିଆଙ୍କ ମଧ୍ୟରେ ଦୀର୍ଘସମୟ ଆଲୋଚନା ଚାଲିଥିଲା। ଏସପିଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଯାଇଥିଲା। ଝରିଗାଁ ପୁଲିସ ପକ୍ଷରୁ ଶ୍ରୀ ତିୱାରୀଙ୍କୁ ସନ୍ଧ୍ୟା ପ୍ରାୟ ୭ଟାରେ ଛାଡ଼ି ଦେଇଥିବା ଜଣାପଡିଛି। ଏହି ଘଟଣାକୁ ନେଇ ଆଜି ଦିନ ତମାମ ଝରିଗାଁରେ ଉତ୍ତେଜନା ଲାଗି ରହିଥିଲା।

kalyan agarbati

Comments are closed.