ଗୁଣୁପୁର: ଗୁଣୁପୁର ଗସ୍ତରେ ବିଜେପିର ରାଷ୍ଟ୍ରୀୟ ସମ୍ପାଦିକା ତଥା ରାଜ୍ୟ ପ୍ରଭାରୀ ଡ଼ି ପୁରେନ୍ଦେଶ୍ୱରୀ। ବର୍ତ୍ତମାନ ସାରା ରାଜ୍ୟରେ ପଞ୍ଚାୟତ ନିର୍ବାଚନ ମାହୋଲ ସରଗରମ ଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଜୋରଦାର କରାଯାଇଛି। ଏଠାରେ ତେଲୁଗୁ ସମ୍ପ୍ରଦାୟର ଭୋଟର ଅଧିକ ଥିବା ଓ ଡି ପୁରନ୍ଦେଶ୍ୱରୀ ତେଲୁଗୁ ସୁପରଷ୍ଟାର ଏନ ଟି ରାମାରାଓଙ୍କ ସୁପୁତ୍ରୀ ହୋଇଥିବାରୁ ତାଙ୍କ ଗସ୍ତ ଭାଜପାକୁ ସୁହାଇବ ବୋଲି ଚର୍ଚ୍ଚା ହେଉଛି। ଆଜି ସ୍ଥାନୀୟ ବିକ୍ରମପୁର ଛକରୁ ଏକ ଶୋଭାଯାତ୍ରାରେ ବାହାରି ଗୁଣୁପୁର ଠାରେ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗ ଦେଇଥିଲେ ରାଜ୍ୟ ପ୍ରଭାରୀ। ରାଜ୍ୟରେ ବିଜୁ ଜନତା ଦଳ ଯେପରି ମନମୁଖୀ ଶାସନ ଚଳାଇଛନ୍ତି ଏଥିରେ ସାଧାରଣ ଲୋକେ ଅତିଷ୍ଠ ହୋଇ ପଡିଛନ୍ତି।
କେନ୍ଦ୍ର ସରକାର ଅନେକ ଯୋଜନା ରେ ଓଡିଶାକୁ ଆର୍ଥିକ ସହାୟତା ଯୋଗାଇ ଦେଉଥିବା ବେଳେ ରାଜ୍ୟରେ ଆଖି ଦୃଶିଆ କାର୍ଯ୍ୟ ହେଉନାହିଁ। ବିଜେଡ଼ି ଶାସନରେ ଭ୍ରଷ୍ଟାଚାର, ଦୁର୍ନୀତି, ନାରୀ ନିର୍ଯ୍ୟାତନା ବୃଦ୍ଧି ପାଇଛି। ସ୍ଥାନୀୟ ଅଞ୍ଚଳରେ ଅନେକ ଚିରସ୍ରୋତା ନଦୀ ପ୍ରବାହିତ ହେଉଥିଲେ ମଧ୍ୟ କୃଷି ଓ ଜଳସେଚନ ପ୍ରକଳ୍ପ ହେଉ ନ ଥିବା ଦୁର୍ଭାଗ୍ୟଜନକ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲା ବିଜେପିର ବିଭିନ୍ନ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିବା ବେଳେ ଗୁଣୁପୁର, ରମାନଗୁଡା ବ୍ଳକର ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଅନୁରୋଧ କରିଥିଲେ ରାଜ୍ୟ ପ୍ରଭାରୀ ଡି ପୁରେନ୍ଦେଶ୍ୱରୀ।



