Patra electronics

ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତାକାଲିଠାରୁ ଦୁଇଦିନ ଧରି ରାଜ୍ୟରେ ବର୍ଷା ଆଶଙ୍କା- ବଢିବ ଶୀତ

ଭୁବନେଶ୍ବର (ନି.ପ୍ର):ସକ୍ରିୟ ଥିବା ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତାକାଲିଠାରୁ ଦୁଇଦିନ ଧରି ରାଜ୍ୟରେ ବର୍ଷା ଆଶଙ୍କା ରହିଛି। ୮ ତାରିଖ ରାତିରୁ ପଶ୍ଚିମା ଝଡ ଦେଶର ଉତ୍ତର ପଶ୍ଚିମ ଭାଗକୁ ପ୍ରଭାବିତ କରିବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ପଶ୍ଚିମ ଓ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇପାରେ। ପଶ୍ଚିମା ଝଡ ଅପସାରଣ ପରେ ରାଜ୍ୟରେ ପୁଣି ୧୧ ତାରିଖରୁ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ଯାଏଁ ତଳକୁ ଖସିବା ସମ୍ଭାବନା ଥିବାରୁ ଶୀତ ପ୍ରକୋପ ବଢ଼ିବ। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ।

 

୧୦ ତାରିଖରେ ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୟାଗଡ, କନ୍ଧମାଳ, ଖୋର୍ଦ୍ଧା ଏବଂ ପୁରୀ ଜିଲାର ଗୋଟିଏରୁ ଦୁଇଟି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ବୁଧବାର ସକାଳେ ଅନୁଗୋଳ, ଢେଙ୍କାନାଳ, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, କନ୍ଧମାଳ ଜିଲାର ଘନ କୁହୁଡି ଦୃଶ୍ୟମାନ ହୋଇପା‌େ‌ର।

ଆସନ୍ତା ୨ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରା ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇବାକୁ ଥିବାବେଳେ ୧୧ ତାରିଖରୁ ସର୍ବନିମ୍ନ ତାପମାତ୍ରା ୩ ରୁ ୪ ଡିଗ୍ରୀ ସ୍ବାଭାବିକଠାରୁ ତଳକୁ ଖସିବ। ଫଳରେ ଶୀତ ପଡିବ। ଆଜି ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ଏବଂ ଫୁଲବାଣୀରେ ୯ ଡିଗ୍ରୀ ରେକର୍ଡ କରାଯାଇଛି।

Comments are closed.