ଆଠଗଡର ଖୋ ଖୋ ଖେଳାଳି ଜାତୀୟ ଶିବିର ପାଇଁ ମନୋନୀତ
ଆଠଗଡ: ଆଠଗଡ ମାଟିର ପୁଅ ତଥା ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ର ଟି ଜଗନ୍ନାଥ ଦାସ ଭାରତୀୟ ଖୋ-ଖୋ ମହାସଂଘ ପକ୍ଷରୁ ଜାତୀୟ ପ୍ରଶିକ୍ଷଣ ଶିବିରରେ ଭାଗନେବା ପାଇଁ ମନୋନୀତ ହୋଇଥିବା ଜଣାପଡିଛି। ଚଳିତମାସ ୨୮ତାରିଖରୁ ଫେବୃଆରୀ ୨୬ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ଜବାହରଲାଲ୍ ନେହେରୁ ଆଭ୍ୟନ୍ତର କ୍ରୀଡାଙ୍ଗନରେ ହେବାକୁ ଥିବା ଜାତୀୟସ୍ତରୀୟ ଖୋ-ଖୋ ଶିବିର ଏବଂ କ୍ରିକେଟର ଆଇପିଏଲ ଭଳି ଖୋ-ଖୋର ଅଲ୍ଟିମେଟ ଖୋ-ଖୋ ପାଇଁ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ଜଗନ୍ନାଥ ଭାଗନେବା ପାଇଁ ଦିଲ୍ଲୀ ଯାତ୍ରା କରିଛନ୍ତି। ପୂର୍ବରୁ ରାଜ୍ୟ ଓ ଜାତୀୟସ୍ତରୀୟ ଖୋ-ଖୋ ପ୍ରତିଯୋଗିତାରେ ଉତ୍କର୍ଷ ଖେଳ ପ୍ରଦର୍ଶନ କରି ରାଜ୍ୟ ପାଇଁ ସୁନାମ ଅର୍ଜନ କରିଥିବା ଜଗନ୍ନାଥ ଜାତୀୟ ଚୟନକର୍ତ୍ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ।
ତାଙ୍କର ଏହି ସଫଳତା ଓ ଜାତୀୟ ଦଳରେ ସ୍ଥାନ ପାଇବା ଏବଂ ଜାତୀୟସ୍ତରୀୟ ପ୍ରଶିକ୍ଷଣ ଶିବିରରେ ଯୋଗଦେବା ବିଷୟ ଜଣାପଡିବା ପରେ ଆଠଗଡ ଖୋ-ଖୋ ସଂଘ ସଭାପତି ଲକ୍ଷ୍ମୀନାରାୟଣ ଭଞ୍ଜ, କଟକ ଜିଲ୍ଲା ଖୋ-ଖୋ ସଂଘ ସଂପାଦକ ସୁନାକର ରାଉତ, ରାଜ୍ୟ ଖୋ-ଖୋ ସଂଘର ସଂପାଦକ ପ୍ରଦ୍ୟୁମ୍ନ ମିଶ୍ର, କଟକ ଜିଲା ଆଥେଲେଟିକ୍ ସଂଘ ସଂପାଦକ ଆଶୀର୍ବାଦ ବେହେରା, ଗୋପବନ୍ଧୁ ବିଜ୍ଞାନ କଲେଜ ଅଧ୍ୟକ୍ଷ ଡ.ଲୋକନାଥ ସାହୁ ଏବଂ ତାଙ୍କର ଦୁଇ ପ୍ରଶିକ୍ଷକ ମନୋରଞ୍ଜନ ଦାସ ଓ ବିକ୍ରମ ରାୟସାମନ୍ତ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।
Comments are closed.