ରେଙ୍ଗାଲିକେମ୍ପ: ପିଲାଙ୍କ ମୁହଁରେ କେବଳ ଗୋଟିଏ ପ୍ରଶ୍ନ “ଆଜ୍ଞା ଆମେ ଜାନୁଆରୀ ୨୬ କେ ଆଏମୁଁ କାଏଁ? ସାଧାରଣତଃ ପିଲାମାନେ ବିଦ୍ୟାଳୟରେ ମନଦେଇ କିଛି ପାଠ ପଢନ୍ତୁ ବା ନ ପଢନ୍ତୁ, କିନ୍ତୁ ବିଦ୍ୟାଳୟରେ ପାଳିତ ହେଉଥିବା ପର୍ବପର୍ବାଣୀ ଜାତୀୟ ଦିବସ ରୂପେ ପାଳନ କରାଯାଉଥିବା ସ୍ଵାଧୀନତା ଦିବସ ଓ ସାଧାରଣ ତନ୍ତ୍ର ଦିବସ ତଥା ଗଣେଶ ଓ ସରସ୍ଵତୀ ପୂଜା ଆଦିରେ ପିଲାମାନେ ବେଶ ମନ ଲଗାଇ ପାଳନ କରିଥାନ୍ତି। ଏହି ଦିନଗୁଡ଼ିକ ପାଇଁ ଅନେକ ଦିନ ପୂର୍ବରୁ ପିଲାଙ୍କ ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ କେମିତିଆ ପୋଷାକ ପିନ୍ଧିବେ, ଜୋତା କେମିତି କିଣିବେ ଆଦି ପାଇଁ।
ଯେଉଁ ପିଲାମାନେ ପାଠ ପଢ଼ିବା ପାଇଁ କେବେ ଆସୁନଥିବେ,ସେମାନେ ଏଇ ଅବସରରେ ଆସିଥାନ୍ତି ଖୁସିରେ ସାଙ୍ଗ ସାଥିଙ୍କ ସହ ।ପିଲାଙ୍କ ଗୋଡ଼ ତଳେ ଲାଗି ନ ଥାଏ ଖୁସିରେ। କିନ୍ତୁ ବିଗତ ଦୁଇ ବର୍ଷ ହେଲା ଏହି ଖୁସିରେ ପିଲାମାନେ ବଞ୍ଚିତ ହେଉଛନ୍ତି କରୋନl ମହାମାରୀ ଯୋଗୁଁ। ସ୍କୁଲ୍ ସମ୍ମୁଖରେ ଗେଟି ଗଦା ଉପରେ ମିଛି ମିଛିକା ପିଲାଙ୍କ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ଦେଖିଲେ ବେଶ୍ ହୃଦୟଙ୍ଗମ କରିହେଉଛି। ଗତକାଲି ସାଧାରଣତନ୍ତ୍ର ଦିବସ ଅବସରରେ ଏମିତି ଅନେକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯେଉଁ ଦୃଶ୍ୟ ଦେଖିଲେ ମନେ ହେଉଥିଲା ସତେ ଯେମିତି ଏଇ ପିଲାମାନେ କହୁଛନ୍ତି ଅlମର ଖୁସି ଆମକୁ ଫେରାଇ ଦିଅ।
କେଉଁଠି ବିଦ୍ୟାଳୟ ଗେଟରେ ଛିଡ଼ା ହୋଇ ମନ ଭିତରେ ପ୍ରଶ୍ନର ଗଣ୍ଟୁଲି ଆଉ ଆଖିରେ ଅନେକ ସପନ ଭରି କିଛି ପିଲା ଶିକ୍ଷକ ମାନଙ୍କ ପତାକା ଉତ୍ତୋଳନ କରୁଥିବା ଦୃଶ୍ୟକୁ ଅପଲକ୍ ନୟନରେ ଉଙ୍କି ମାରୁଥିବା ଦୃଶ୍ୟ ତ ଆଉ କେଉଁଠି ବାଲି ଗଦା ଉପରେ, ଗେଟୀ ଗଦା ଉପରେ ପିଲାଙ୍କ ମିଛି ମିଛିକା ପତାକା ଉତ୍ତୋଳନ କରୁଥିବା ଦୃଶ୍ୟ। ପ୍ରକୃତରେ ଏଇ କୁନି କୁନି ପିଲାଙ୍କ ଖୁସିରେ ଯେମିତି କରୋନାର ନଜର ଲାଗିଯାଇଛି। ତେବେ ଆଉ କେତେଦିନ ଏଇ ପିଲାମାନେ ତାଙ୍କ ଖୁସି ଠୁ ଦୂରେଇ ରହିବେ ତାହା କେବଳ ସମୟ ଆଉ ପରିସ୍ଥିତି କହିପାରିବ।



