ଭୁବନେଶ୍ୱର: ଦେଶର ଅଗ୍ରଣୀ ଅଣ ବ୍ୟାଙ୍କିଙ୍ଗ୍ ଫାଇନାନ୍ସ କମ୍ପାନୀ ମହିନ୍ଦ୍ରା ଓ ମହିନ୍ଦ୍ରା ଫାଇନାନ୍ସିଆଲ୍ ସର୍ଭିସେସ୍ ପକ୍ଷରୁ ଆଜି ସ୍ୱେଚ୍ଛାସେବୀ ସଙ୍ଗଠନ ‘ପରିବର୍ତ୍ତନ’କୁ ଏକ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି। କୋଭିଡ୍ ରିଲିଫ୍ ପ୍ରକଳ୍ପ ଓ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ଅଧୀନରେ କମ୍ପାନୀ ପକ୍ଷରୁ ଏକ ମହିନ୍ଦ୍ରା ସୁପ୍ରୋ ଆମ୍ବୁଲାନ୍ସ ଦିଆଯାଇଛି।
ପରିବର୍ତ୍ତନ ସଂସ୍ଥା ଗତ ତିନି ଦଶନ୍ଧି ଧରି ୪ଟି ରାଜ୍ୟରେ ସମାଜର ବିଭିନ୍ନ ଅବହେଳିତ ବର୍ଗଙ୍କ ପାଇଁ ବିଭିନ୍ନ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଆସୁଛି। ତେବେ ମହିନ୍ଦ୍ରା ଫାଇନାନ୍ସ କମ୍ପାନୀ ଦେଇଥିବା ଆମ୍ବୁଲାନ୍ସ ଜରୁରୀ ଚିକିତ୍ସା ପାଇଁ ହସ୍ପିଟାଲ ସ୍ଥାନାନ୍ତର ଆବଶ୍ୟକ କରୁଥିବା ସମ୍ବେଦନଶୀଳ ବର୍ଗ ପାଇଁ ସହାୟକ ହେବ। ଜରୁରୀ ବା ଆପାତକାଳୀନ ପରିସ୍ଥିତିରେ ହସ୍ପିଟାଲରେ ପହଞ୍ଚିବା ଅପେକ୍ଷାରେ ଥିବା ବ୍ୟକ୍ତିଙ୍କୁ ଶାରିରୀକ, ମାନସିକ ଓ ଆର୍ଥିକ ଚାପ ଦୂର କରିପାରିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।
ଦୀପଙ୍କର ବର୍ମା ସର୍କଲ ହେଡ୍ ଫାର୍ମ ଇକ୍ୟୁପମେଣ୍ଟ ଲୋନସ୍, ମହିନ୍ଦ୍ରା ଫାଇନାନ୍ସ ଆମ୍ବୁଲାନ୍ସ ସେବାକୁ ଆନୁଷ୍ଠାନିକ ଭାବେ ଆରମ୍ଭ କରିବା ସହ ଏହାର ଚାବି ‘ପରିବର୍ତ୍ତନ’ ସଂସ୍ଥାକୁ ପ୍ରଦାନ କରିଥିଲେ। ସୁଧାଂଶୁ ମୋହନ ଦାଶ, ଶୁଭ୍ରାଂଶୁ ଭୂଷଣ ସ୍ୱାଇଁ ଓ ପ୍ରିୟଙ୍କା ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। କୋଭିଡ୍ ସଙ୍କଟ ସମୟରେ ଗୁରୁତର ହୋଇ ହସ୍ପିଟାଲ ସ୍ଥାନାନ୍ତର ଆବଶ୍ୟକ କରୁଥିବା ପଛୁଆ ଅଞ୍ଚଳର ରୋଗୀଙ୍କୁ ତତ୍କାଳ ହସ୍ପିଟାଲରେ ପହଞ୍ଚାଇବା ତଥା ରୋଗୀ ପରିବହନ ଆମର ଉଦ୍ଦେଶ୍ୟ ବୋଲି ପରିବର୍ତ୍ତନ ପକ୍ଷରୁ କୁହାଯାଇଛି। ଆମ୍ବୁଲାନ୍ସ ସେବା ପାଇଁ ବିଭିନ୍ନ ସ୍ଥାନର ବୋର୍ଡରେ ଫୋନ୍ ନମ୍ବର ପ୍ରଦର୍ଶିତ କରାଯିବ। ଏହାକୁ କଲ୍ କରି ସେବା ପାଇପାରିବେ। ଏହା ଯେଭଳି ତ୍ୱରିତ୍ ସେବା ଯୋଗାଇବ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସୂଚନା ଦିଆଯାଇଛି।



