www.samajalive.in
Sunday, December 14, 2025
19.1 C
Bhubaneswar

ପ୍ରଧାନ ଶିକ୍ଷକଙ୍କ ଅଭିନବ ପ୍ରୟାସ, ଘରେ ଘରେ ‘କଳାପଟା’

ଫୁଲବାଣୀ: କରୋନାର ପ୍ରଥମ ଲହରଠୁ ବର୍ତ୍ତମାନର ତୃତୀୟ ଲହର ଯାଏଁ କନ୍ଧମାଳ ଜିଲାରେ ପ୍ରାଥମିକ ବିଦ୍ୟାଳୟ ବନ୍ଦ ରହିଛି। ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟ ଖୋଲିବା ପାଇଁ ଗଣଶିକ୍ଷା ବିଭାଗ କିଛିଦିନ ତଳେ ନିଷ୍ପତ୍ତି ନେଇଥିଲେ ହେଁ ତୃତୀୟ ଲହର ପ୍ରବେଶ କରିବାର ଆଭାସ ପାଇଯିବାରୁ ନିଷ୍ପତ୍ତି ବଦଳାଇବାକୁ ବାଧ୍ୟ ହୋଇଥିଲା। ବର୍ଷବର୍ଷ ଧରି ବିଦ୍ୟାଳୟ ବନ୍ଦ ରହିବାରୁ କନ୍ଧମାଳ ଜିଲାର ଗ୍ରାମାଞ୍ଚଳରେ ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତ ହୋଇପଡିଛି। ଗୋଟିଏପଟେ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ ଅନ୍‍ଲାଇନ୍‍ (ଆଭାସି )ମାଧ୍ୟମରେ ଶିକ୍ଷାଦାନ ଜାରି ରହିଛି। କିନ୍ତୁ ଆଭାସି ଶିକ୍ଷା ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ଜିଲାର ଦୁର୍ଗମାଞ୍ଚଳରେ ସମ୍ଭବ ହୋଇ ପାରିନି। ଏହାକୁ ଦୃଷ୍ଟିରେ ରଖି ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପାଠ ପଢାଇବାକୁ କେତେକ ଶିକ୍ଷକ ଓ ଶିକ୍ଷୟିତ୍ରୀ ଘରକୁ ଘର ଯାଇ ଶିକ୍ଷାଦାନ କରୁଛନ୍ତି। ଘରକୁ ଘର ଯାଇ ଶିକ୍ଷାର୍ଥୀଙ୍କୁ ମିଶନ୍‍ ଏକ-ଦୁଇ-ତିନି ମାଧ୍ୟମରେ ମୌଳିକ ସାକ୍ଷରତା, ପଠନ, ଲିଖନ ଓ ଗାଣିତିକ ସଂଖ୍ୟା ଜ୍ଞାନ ଉପରେ ଶିକ୍ଷାଦାନ ପାଇଁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ଗଣଶିକ୍ଷା ବିଭାଗ।

ଏହି କାର୍ଯ୍ୟକ୍ରମକୁ ଆଗକୁ ନେବାକୁ ଯାଇ ମିଶନର ଲକ୍ଷ୍ୟ ହାସଲ ପାଇଁ କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ କରଣ୍ଡାଗଡ଼ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୀମାଞ୍ଚଳ ମୁଖୀ ଦୁଇପାଦ ଆଗକୁ ଯାଇଛନ୍ତି। ନିଜ ପ୍ରଚେଷ୍ଟାରେ ‘ମୋ କଳାପଟା ଅଭିଯାନ’ ଘରେ ଘରେ ଆରମ୍ଭ କରି ଗଁା ଗଁାରେ ଅଭିଭାବକ ଓ ପିଲାମାନଙ୍କ ଆସ୍ଥାଭାଜନ ହୋଇଛନ୍ତି। ପ୍ରଧାନ ଶିକ୍ଷକଙ୍କ ଉଦ୍ୟମରେ ଉକ୍ତ ଗ୍ରାମର ପ୍ରଥମରୁ ତୃତୀୟ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ଘର କାନ୍ଥରେ ତିଆରି ହୋଇଛି କଳାପଟା। ଉକ୍ତ କଳାପଟାରେ ଅକ୍ଷର, ସଂଖ୍ୟା, ଶବ୍ଦ ଇତ୍ୟାଦି ଲେଖାଯାଇଛି।

- Advertisement -

ଏଥିରେ ପିଲାଏ ନିଜକୁ ସାମିଲ କରି ପାଠପଢା ପ୍ରତି ରୁଚି ରଖିବାରେ ଲାଗିଛନ୍ତି। ପାଠପଢାକୁ ବନ୍ଦ ରଖି ଯେଉଁ ଛାତ୍ରଛାତ୍ରୀ ବୁଲାବୁଲି କରୁଥିଲେ ଏବେ ସେମାନେ ପ୍ରତ୍ୟେକ ଦିନ ଘର କାନ୍ଥରେ ଖୋଦିତ କଳାପଟା ସମ୍ମୁଖରେ ବସି ଶିକ୍ଷା ଗ୍ରହଣ କରୁଛନ୍ତି। ଏଥିରେ ପରିବାରର ସଦସ୍ୟମାନେ ମଧ୍ୟ ବେଶ୍‍ ସହଯୋଗ କରୁଛନ୍ତି। ପ୍ରଧାନ ଶିକ୍ଷକଙ୍କ ଏଭଳି ଅଭିନବ ପ୍ରୟାସକୁ ଅଭିଭାବକ ମହଲ ସ୍ୱାଗତ କରିଛନ୍ତି। ଏଭଳି ଅଭିନବ ଉପାୟ ଯୋଗୁ ଗ୍ରାମର ଘରେ ଘରେ ଶିକ୍ଷଣ ପରିବେଶ ସୃଷ୍ଟି ହୋଇଛି। କେବଳ ସେତିକି ନୁହେଁ, ଉକ୍ତ ବିଦ୍ୟାଳୟର ଅନ୍ୟ ସହକାରୀ ଶିକ୍ଷକ ଓ ଶିକ୍ଷୟ୍ରତ୍ରୀମାନେ ମଧ୍ୟ ପ୍ରତ୍ୟେକ ଦିନ ଘରକୁ ଘର ଯାଇ ଏହାର ତଦାରଖ କରୁଛନ୍ତି। ପ୍ରଧାନ ଶିକ୍ଷକଙ୍କ ଏଭଳି ଅଭିନବ କାର୍ଯ୍ୟକ୍ରମକୁ ସବୁ ଗ୍ରାମାଞ୍ଚଳରେ ଜିଲା ଶିକ୍ଷା ବିଭାଗ ଓ ଜିଲା ପ୍ରଶାସନ ପ୍ରୟୋଗ କରାଇଲେ ଆଭାସି ଶିକ୍ଷାରୁ ବଞ୍ଚିତ ବିଦ୍ୟାର୍ଥୀ ନିଶ୍ଚିତ ଭାବେ ଉପକୃତ ହୋଇ ପାରନ୍ତେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories