ଏହି ଟଙ୍କା ମୋ ପାଇଁ ନୁହେଁ, ମୋ ସ୍ୱାମୀଙ୍କ ଚିକିତ୍ସା ପାଇଁ ଆସିଥିଲା -ଏହି ଟଙ୍କାରେ ଆଉ କାହା ମୁହଁରେ ହସ ଫୁଟୁ
ବଳକା ୪୦ ଲକ୍ଷ ରିଲିଫ ପାଣ୍ଠିକୁ ଦେଲେ ମୌସୁମୀ
ଭଦ୍ରକ, (ସ.ପ୍ର): ‘ଏହି ଟଙ୍କା ମୋ ପାଇଁ ନୁହେଁ, ମୋ ସ୍ୱାମୀଙ୍କ ଚିକିତ୍ସା ପାଇଁ ଆସିଥିଲା। କରୋନା ପାଇଁ ତାଲାବନ୍ଦ ଥିଲା, ସମସ୍ତଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିଲା। ଏହା ସେତ୍ତ୍ବ ମୋତେ ନିଜ ଝିଅ, ଭଉଣୀ, ସାଙ୍ଗ ଭାବି ଆପଣମାନେ ସାହାଯ୍ୟ କରିଥିଲେ। ଏଣୁ ବଳକା ଟଙ୍କା ମୁଁ କାହିଁକି ରଖିବି? ମୋ ଭଳି ପରିସ୍ଥିତି ଆଉ କାହା ପାଇଁ ନ ଆସୁ। ଏହି ଟଙ୍କାରେ ଆଉ କାହାର ମୁହଁରେ ହସ ଫୁଟୁ…।
ଏହା ଥିଲା ଗଣମାଧ୍ୟମ ଆଗରେ ଆଜି ମୌସୁମୀ ମହାନ୍ତିଙ୍କ ହୃଦୟସ୍ୱର୍ଶୀ କଥା। ସୋମବାର ପୂର୍ବାହ୍ଶରେ ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ମୌସୁମୀ। ନିଜ ସ୍ୱାମୀଙ୍କ ଚିକିତ୍ସା ପାଇଁ ମିଳିଥିବା ସାହାଯ୍ୟ ଅର୍ଥରୁ ବଳକା ଥିବା ୪୦ ଲକ୍ଷ ଟଙ୍କାରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩୦ ଲକ୍ଷ ଟଙ୍କା ଓ ଜିଲା ରେଡକ୍ରସ ପାଣ୍ଠି ଉେଦ୍ଦଶ୍ୟରେ ୧୦ ଲକ୍ଷ ଟଙ୍କା, ଏମିତି ଦୁଇଟି ବ୍ୟାଙ୍କ ଚେକ୍ଜିଲାପାଳ ତ୍ରିଲୋଚନ ମାଝୀଙ୍କୁ ପ୍ରଦାନ କରିଛନ୍ତି ମୌସୁମୀ।
ପ୍ରକାଶଥାଉକି, ଭଦ୍ରକ ଜିଲା ବାସୁଦେବପୁର ମନ୍ଦାରି ଗାଁର ଅଭିଷେକ ମହାପାତ୍ରଙ୍କ ପତ୍ନୀ ହେଉଛନ୍ତି ମୌସୁମୀ। ଅଭିଷେକ ସୁଦୂର ଓମାନରେ ଯନ୍ତ୍ରୀ (ଇଞ୍ଜିନିୟର) ଭାବେ କାର୍ଯ୍ୟ କରୁଥିଲେ। ବିବାହ ପାଇଁ ଘରକୁ ଆସିଥିଲେ। ବିବାହର ୮ଦିନ ପରେ (୨୦୨୧ ମେ’ ମାସରେ) ଅଭିଷେକ କରୋନା ସଂକ୍ରମିତ ହୋଇଥିଲେ। ତାଙ୍କର ଫୁସ୍ଫୁସ୍ ସଂକ୍ରମଣ ଯୋଗୁଁ ବ୍ୟୟବହୁଳ ଇକ୍ମୋ ଚିକିତ୍ସାର ଆବଶ୍ୟକ ପଡ଼ିଥିଲା। ସ୍ୱାମୀଙ୍କୁ ବଞ୍ଚାଇବା ଲାଗି ସାମାଜିକ ଗଣମାଧ୍ୟମ ଜରିଆରେ ପତ୍ନୀ ମୌସୁମୀ ସହାୟତା ଲାଗି ଆକୁଳ ନିବେଦନ କରିଥିଲେ। ମୌସୁମୀଙ୍କୁ ସେତେବେଳେ ସମବେଦନା ସହ ସହାୟତାର ସୁଅ ଛୁଟିଥିଲା। ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଶୁଭେଚ୍ଛୁ ଏକାଧିକ ବ୍ୟାଙ୍କ ଜମାଖାତାକୁ ସହାୟତା ରାଶି ପଠାଇଥିଲେ। ମୌସୁମୀଙ୍କ ଏହି ନିବେଦନ ଓ ତାଙ୍କୁ ମିଳୁଥିବା ସହାୟତାକୁ ନେଇ ସାରା ରାଜ୍ୟରେ ଖୁବ୍ ସକାରାତ୍ମକ ଚର୍ଚ୍ଚା ହୋଇଥିଲା। ଇକ୍ମୋ ଚିକିତ୍ସା ପାଇଁ ଅଭିଷେକଙ୍କୁ କଲକାତା ନିଆଯାଇଥିଲା। ହେଲେ ନିୟତିର ନିଷ୍ଠୁରତା ଆଗରେ ମୌସୁମୀଙ୍କ ସବୁ ପ୍ରୟାସ ବିଫଳ ହୋଇଥିଲା। ଦୁଇମାସରୁ ଅଧିକ ଦିନର ଚିକିତ୍ସା ସେତ୍ତ୍ବ ସେପ୍ଟେମ୍ବର ପ୍ରଥମ ସପ୍ତାହରେ କରୋନା ସହ ଲଢ଼େଇରେ ହାରି ଯାଇଥିଲେ ଅଭିଷେକ। ହତବାକ୍ ହୋଇ ଯାଇଥିଲେ ମୌସୁମୀ; ହେଲେ ବଳକା ୪୦ ଲକ୍ଷ ଟଙ୍କା ସରକାରୀ ରିଲିଫ ପାଣ୍ଠିକୁ ଦାନ କରିଦେଇ ଦୁଃଖିନୀ ମୌସୁମୀ ଆଜି ଓଡ଼ିଶାବାସୀଙ୍କ ହୃଦୟ ଜିତି ନେଇଛନ୍ତି।
Comments are closed.