ଯଥେଷ୍ଟ ନୁହେଁ
ରୋଗର ଉପଶମ ପାଇଁ ଔଷଧ ଦରକାର ହୁଏ। ଯଦି ଔଷଧ ଶରୀରରେ ରୋଗ ସୃଷ୍ଟି କଲା, ତା’ଠୁ ବଡ଼ ବିଡ଼ମ୍ବନା ଆଉ କିଛି ଥାଇନପାରେ। ବାସ୍ତବରେ ତାହା ହିଁ ଘଟୁଛି। ଏହି କାରଣରୁ ସରକାର ତୁରନ୍ତ ଯନ୍ତ୍ରଣା ଉପଶମକାରୀ ଓ ଅନ୍ୟାନ୍ୟ ୩୨୮ ପ୍ରକାରର ମିଶ୍ରଣ ଉପାଦାନ (କମ୍ବିନେସନ) ବିଶିଷ୍ଟ ଔଷଧର ତିଆରି, ବିକ୍ରି ଓ ବଣ୍ଟନକୁ ନିଷିଦ୍ଧ କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଔଷଧ ପରାମର୍ଶଦାତା ପରିଷଦର ସୁପାରିସକୁ ମଞ୍ଜୁରୀ ଦେଇ କହିଛନ୍ତି ଯେ ଏସବୁ ଔଷଧ ନିର୍ଦ୍ଧାରିତ ମାନର ନୁହେଁ ଓ ସେଗୁଡ଼ିକ ଦ୍ବାରା ରୋଗୀଙ୍କ ସ୍ବାସ୍ଥ୍ୟର ବେଶି କ୍ଷତି ହେଉଛି। ଏହି ନିଷେଧାଦେଶ ଦ୍ବାରା ସାରିଡନ, ଭିକ୍ସ ଏକ୍ସନ ୫୦୦, ଟାକ୍ସିମ୍ ଏଜେଡ ଭଳି ଖୁବ୍ ଲୋକପ୍ରିୟ ଔଷଧ ସହିତ ଅତିକମରେ ୬ ହଜାର ପ୍ରକାରର ଔଷଧ ପ୍ରଭାବିତ ହେବ, ଯେଉଁଥିରେ ବିଭିନ୍ନ ପ୍ରକାରର ଆଣ୍ଟିବାୟୋଟିକ, ସ୍କିନକେୟାର୍ କ୍ରିମ୍, ଆଣ୍ଟିବ୍ୟାକ୍ଟେରିଆଲ ଓ ମଧୁମେହ ପାଇଁ ବ୍ୟବହୃତ ଔଷଧ ଅନ୍ତର୍ଭୁକ୍ତ।
ମନ୍ତ୍ରଣାଳୟ ନିଷିଦ୍ଧ କରିଥିବା ଔଷଧ ମଧ୍ୟରେ ମୁଣ୍ଡବ୍ୟଥା, ସର୍ଦିକାଶ, ଜ୍ବର ଆଦି ପାଇଁ ସାଧାରଣରେ ପ୍ରଚଳିତ ଔଷଧ ମଧ୍ୟ ଅନ୍ତର୍ଭୁକ୍ତ। ଏସବୁକୁ ସାଧାରଣ ଲୋେକ ଡାକ୍ତରଙ୍କ ବିନା ପରାମର୍ଶରେ ସେବନ କରିଥାନ୍ତି। ଏହା ହୁଏତ ରୋଗ ଉପଶମରେ ସାହାଯ୍ୟ କରିଥାଏ; କିନ୍ତୁ ତା’ଦ୍ବାରା ଶରୀରରେ ଆଉ କେଉଁ କୁପ୍ରଭାବ ପଡ଼ୁଛି, ସେ ବିଷୟରେ ପ୍ରାୟ ସମସ୍ତେ ଅଜ୍ଞ ଥାଆନ୍ତି। ଔଷଧ ଦୋକାନୀକୁ ପଚାରି ବି ଔଷଧ ଖାଇବା ଆମ ଭାରତୀୟଙ୍କର ଅଭ୍ୟାସ। ଡାକ୍ତରମାନେ ବି ତୁରନ୍ତ ଉପଶମ କରୁଥିବା ଔଷଧସବୁ ରୋଗୀଙ୍କ ପାଇଁ ଲେଖିଥାନ୍ତି, ଯାହା ସେମାନଙ୍କ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ଏବେ ପ୍ରଶ୍ନ ଉଠୁଛି ଯେ ଏତେବର୍ଷ ଧରି ଏସବୁ ଔଷଧ ବିନା ବାଧାରେ କିଭଳି ତିଆରି ହେଉଥିଲା ଓ ସବୁଠି ବିକ୍ରି ହେଉଥିଲା। ଔଷଧ କମ୍ପାନୀଗୁଡ଼ିକ ନିଜର ଫାଇଦା ପାଇଁ ଡାକ୍ତରଙ୍କୁ ହାତକରି ସେମାନଙ୍କ ବ୍ୟବସାୟ ବଢ଼ାଇବାରେ ବ୍ୟସ୍ତ ରହୁଥିବା ଏକ ସାଧାରଣ କଥା। ଏହାସତ୍ତ୍ବେ ଏତେଦିନ ପର୍ଯ୍ୟନ୍ତ ଏଗୁଡ଼ିକ ନିର୍ବାଧରେ ତିଆରି ଓ ବିକ୍ରି ହେବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରେ।
ନିଷିଦ୍ଧ ଔଷଧଗୁଡ଼ିକର ପାର୍ଶ୍ବ ପ୍ରତିକ୍ରିୟା ଓ ଲୋକଙ୍କ ନିଜର ଅସାବଧାନତା ସମ୍ବନ୍ଧରେ ସରକାର ବିଭିନ୍ନ ମାଧ୍ୟମରେ ପ୍ରଚାରପ୍ରସାର କରିବା ଆବଶ୍ୟକ। ବିନା ଡାକ୍ତରୀ ପରାମର୍ଶରେ ସେଗୁଡ଼ିକର ସେବନ କେତେ ବିପଜ୍ଜନକ, ସେ ସମ୍ପର୍କରେ ଲୋକଙ୍କୁ ବିଶଦ ଜଣାଇବା ଜରୁରୀ। ଔଷଧ ନିୟାମକ ସଂସ୍ଥାସବୁ ପୂର୍ବରୁ ବହୁଥର ଏଗୁଡ଼ିକର ନିଷେଧ ପାଇଁ ସୁପାରିସ କରିଥିଲେ ବି ତାକୁ କାହିଁକି ଉପେକ୍ଷା କରାଯାଇ ଆସିଥିଲା, ତାହା ବି ଦେଖିବା କଥା। ଜେନେରିକ୍ ଔଷଧର ବହୁଳ ପ୍ରଚଳନ ଫଳରେ ବହୁ ପ୍ରତିଷ୍ଠିତ ଔଷଧ ପ୍ରସ୍ତୁତକାରୀ ଓ ପେଟେଣ୍ଟିଂ ସଂସ୍ଥା କ୍ଷତିଗ୍ରସ୍ତ ହେବାପରେ ସେମାନେ ସରକାରଙ୍କ ଉପରେ ମଧ୍ୟ ଚାପ ପକାଉଥିଲେ। ଏଥିରେ ଆଦୌ ସନ୍ଦେହ ନାହିଁ ଯେ ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ଖାଇବା ବିପଦମୁକ୍ତ ନୁହେଁ; କିନ୍ତୁ ସମସ୍ୟା ହେଉଛି ସାଧାରଣ ରୋଗଗୁଡ଼ିକ ପାଇଁ ଯେଉଁ ପ୍ରକାରର ବ୍ୟବସ୍ଥା ଦରକାର, ତାହା ଜନସାଧାରଣଙ୍କୁ ମିଳିପାରୁନାହିଁ। ଯଦି ଚିକିତ୍ସା ସହଜ-ସୁଲଭ ଓ ଶସ୍ତା ହେବ, ତେବେ କେହି ନିଜେ ନିଜର ଡାକ୍ତର ପାଲଟିବାକୁ ନିଶ୍ଚୟ ପସନ୍ଦ କରିବ ନାହିଁ। ଏଭଳି ବ୍ୟବସ୍ଥା ନିର୍ମାଣ କରିବାକୁ ହେବ, ଯେଉଁଥିରେ ଔଷଧ ପାଇଁ ଲୋକଙ୍କୁ ଧାଡ଼ିବାନ୍ଧି ଘଣ୍ଟାଘଣ୍ଟା ଛିଡ଼ା ହେବାକୁ ପଡ଼ିବ ନାହିଁ କି ସାଧାରଣ କାଶ ବା ଜ୍ବର ପାଇଁ ଡାକ୍ତରଙ୍କୁ ମୋଟା ଫି’ ଦେବାକୁ ଘରୋଇ ନର୍ସିଂହୋମକୁ ଦଉଡ଼ିବାକୁ ହେବନାହିଁ। କେବଳ ଔଷଧ ନିଷିଦ୍ଧ କରିବା ଯଥେଷ୍ଟ ନୁହେଁ, ଆମ ଚିକିତ୍ସା ବ୍ୟବସ୍ଥା ଓ ପଦ୍ଧତିକୁ ମଧ୍ୟ ଅଧିକ ଲୋକାଭିମୁଖୀ କରିବାକୁ ପଡ଼ିବ।