ବିଶ୍ୱର ସବୁଠୁ ଶକ୍ତିଶାଳୀ ସେନାରେ ଖାଦ୍ୟ ସଙ୍କଟ – ଜାଣନ୍ତୁ କିପରି ରହିଛି ପରିସ୍ଥିତି
ଆମେରିକାର ଲକ୍ଷାଧିକ ସେନା କର୍ମଚାରୀଙ୍କ ପରିବାର ମଧ୍ୟ ଖାଦ୍ୟ ସଙ୍କଟର ସମ୍ମୁଖୀନ
ସାନ୍ ଡିଏଗୋ,୧୮ା୧୨: ବିଶ୍ବର ସବୁଠୁ ଶକ୍ତିଶାଳୀ ସେନା ଭାବେ ପରିଚିତ ଆମେରିକା ସୈନ୍ୟବାହିନୀରେ ଖାଦ୍ୟ ସଙ୍କଟ ଦେଖାଦେଇଛି। ଏମିତି କି ଲକ୍ଷାଧିକ ସେନା କର୍ମଚାରୀଙ୍କ ପରିବାର ମଧ୍ୟ ଏହି ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଏହା ବିଶ୍ବାସ ନ ହେଲେ ବି ସତ। ବିଶେଷ କରି କରୋନା ମହାମାରୀ ସମୟରେ ସମଗ୍ର ବିଶ୍ବରେ ସ୍ବାସ୍ଥ୍ୟ ସଙ୍କଟ ଦେଖାଯାଇଥିବାବେଳେ ଆମେରିକା ସେନା ଏଥିରୁ ବାଦ୍ ପଡ଼ି ନ ଥିବା ବିଷୟ ନଜରକୁ ଆସିଛି; ତେବେ ଏହି ଖାଦ୍ୟ ସଙ୍କଟର ବାସ୍ତବ କାରଣ ଜଣାପଡ଼ି ନାହିଁ। ‘ଫିଡିଙ୍ଗ ଆମେରିକା’ ନାମକ ସଂସ୍ଥା ଦ୍ବାରା କରାଯାଇଥିବା ଆକଳନ ଅନୁଯାୟୀ, ଗତବର୍ଷ ଆମେରିକା ସେନାର ୧ଲକ୍ଷ ୬୦ହଜାର କର୍ମଚାରୀଙ୍କ ପରିବାର ଖାଦ୍ୟ ସଙ୍କଟର ସମ୍ମୁଖୀନ ହୋଇଥିଲେ। ଏହି ସେନା କର୍ମଚାରୀମାନେ ସେମାନଙ୍କ ପରିବାରକୁ ଖାଦ୍ୟ ଯୋଗାଇବା ଲାଗି ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଦେଶର ୨୦୦ ଫୁଡ ବ୍ୟାଙ୍କ (ଖାଦ୍ୟ ଭଣ୍ଡାର) ପ୍ରଦତ୍ତ ତଥ୍ୟକୁ ଆଧାର କରି ଫିଡିଙ୍ଗ ଆମେରିକା ପ୍ରସ୍ତୁତ କରିଥିବା ରିପୋର୍ଟରେ କୁହାଯାଇଛି ଯେ କରୋନା କାଳରେ ଦେଶର ପ୍ରତିଟି କ୍ଷେତ୍ରରେ ଖାଦ୍ୟ ସଙ୍କଟ ଦେଖାଯାଇଥିଲାବେଳେ ସୈନ୍ୟ ବାହିନୀ ଏଥିରୁ ବାଦ୍ ପଡ଼ି ନଥିଲା। କେତେକ ସାମାଜିକ କର୍ମୀ କହିଛନ୍ତି ଯେ କରୋନା ମହାମାରୀ ଯୋଗୁଁ ଏହି ଖାଦ୍ୟ ସଙ୍କଟ ଦେଖାଯାଇ ନାହିଁ; ବରଂ କିଛି ବର୍ଷ ଧରି ଏପରି ଅବସ୍ଥା ଲାଗି ରହିଛି। ସୈନ୍ୟବାହିନୀର କନିଷ୍ଠ ପାହ୍ୟା କର୍ମଚାରୀ ସେମାନଙ୍କ ପରିବାରକୁ ଖାଦ୍ୟ ଯୋଗାଇବାରେ ସମସ୍ୟାର ସମ୍ମୁଖୀନ ହୋଇଆସୁଛନ୍ତି। ଖାଦ୍ୟ ବ୍ୟାଙ୍କଗୁଡିକରୁ ଉପଲବ୍ଧ ତଥ୍ୟରୁ ମଧ୍ୟ ଏହି ଉଦ୍ବେଗଜନକ ସତ୍ୟ ପଦାକୁ ଆସିଛି। ଆମେରିକା ନୌସେନାର ଜଣେ ତୃତୀୟ ଶ୍ରେଣୀ ଅଧିକାରୀ ଜେମ୍ସ୍ ବୋହାନନ୍ (୩୪) କହିଛନ୍ତି ଯେ ସେ ତାଙ୍କର ଦୁଇ ଝିଅଙ୍କୁ ଖାଦ୍ୟ ଯୋଗାଇବା ଲାଗି ଖାଦ୍ୟ ବ୍ୟାଙ୍କର ସହାୟତା ନେଇଥାନ୍ତି। ଏଭଳି କର୍ମଚାରୀଙ୍କ ସଂଖ୍ୟା ୨୯ପ୍ରତିଶତ ବୋଲି ଆକଳନରୁ ଜଣାପଡ଼ିଛି।
ଫିଡିଂ ଆମେରିକା ପ୍ରଦତ୍ତ ସୂଚନାନୁସାରେ ସେନାର ନିମ୍ନ ବର୍ଗ କର୍ମଚାରୀଙ୍କ ପରିବାର ନିୟମିତ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥାନ୍ତି। ଏହା ପଛର କାରଣ ହେଉଛି ସେମାନଙ୍କ ପାଇଁ ନିମ୍ନମାନର ବେତନ ବ୍ୟବସ୍ଥା। ଆମେରିକା ସେନାର ତଳସ୍ତରର କର୍ମଚାରୀଙ୍କୁ ସେପରି ଉନ୍ନତମାନର ବେତନ ବ୍ୟବସ୍ଥା ନାହିଁ। ସେମାନେ କମ୍ ଦରମା ପାଉଥିଲେ ମଧ୍ୟ ନିଜର ସମ୍ମାନ ରକ୍ଷା, ସେନା ସଂସ୍କୃତି ଓ ଭୟ ଯୋଗୁଁ ମୁହଁ ଖୋଲି ନଥାନ୍ତି। ଏପରିକି ଦେଶର ସୁରକ୍ଷା ପାଇଁ ନିଯୁକ୍ତ ଏହି କର୍ମଚାରୀଙ୍କ ଦରମା ସମ୍ପର୍କରେ ଆମେରିକାବାସୀ କିଛି ଜାଣି ନଥାନ୍ତି। ଏହା ଗୋପନୀୟ ଓ କେବଳ ସେନା କର୍ମଚାରୀଙ୍କ ମଧ୍ୟରେ ସୀମିତ ରହିଥାଏ। ଇରାକ୍ରେ ହେଲିକପ୍ଟର ଦୁର୍ଘଟଣାରେ ନିଜର ଦୁଇ ଗୋଡ ହରାଇଥିବା ଆମେରିକା ସେନାର ପୂର୍ବତନ ପାଇଲଟ ଟାମ୍ମି ଡକୱର୍ଥ କହିଛନ୍ତି ଯେ ‘ଆମେ ବିଶ୍ବର ସବୁଠାରୁ ଶକ୍ତିଶାଳୀ ସୈନ୍ୟବାହିନୀ ହୋଇଥିଲେ ମଧ୍ୟ ଏହାର ନିମ୍ନ ପାହ୍ୟାେର କାମ କରୁଥିବା ବହୁ ଅଧିକାରୀଙ୍କ ପରିବାର ଉପବାସରେ ରହୁଛନ୍ତି। ବିବାହ କରି ଦୁଇଟି ସନ୍ତାନର ଜନକ ହେବା ପରେ ସେମାନଙ୍କୁ ଉପବାସରେ ରହିବାକୁ ପଡୁଛି। ଏପରିସ୍ଥଳେ ଦେଶର ସୁରକ୍ଷା ପାଇଁ କାର୍ୟ୍ୟ କରିବା ଜଣଙ୍କ ପକ୍ଷେ କେତେଦୂର ସମ୍ଭବ ତାହା ବିଚାରଯୋଗ୍ୟ।’ ଏତଦ୍ ବ୍ୟତୀତ ସେନା କର୍ମଚାରୀଙ୍କୁ ବାରମ୍ବାର ବିଭିନ୍ନ ସ୍ଥାନରେ ନିଯୁକ୍ତି ଦିଆଯିବା ଦ୍ବାରା ସେମାନଙ୍କ ସଙ୍କଟ ବଢ଼ିଯାଇଥାଏ। ଏଥିଯୋଗୁଁ ସେମାନଙ୍କ ପତ୍ନୀମାନେ ମଧ୍ୟ କୌଣସି ରୋଜଗାର ଉପାୟ ସ୍ଥିର କରିପାରନ୍ତି ନାହିଁ। ଅନେକ ବିଦ୍ୟୁତ୍ ଦେୟ ମଧ୍ୟ ଭରଣା କରିପାରନ୍ତି ନାହିଁ। ପିଲାଙ୍କ ପଢ଼ିବା ପାଇଁ ସେମାନଙ୍କୁ ଆରମ୍ଭରୁ ଋଣ କରିବାକୁ ପଡ଼େ। ଘର ଅଭାବ ଥିଲେ ଗାଡ଼ି ଭିତରେ ହିଁ ଅନେକଙ୍କ ରାତି କଟେ। ବାସ୍ତବରେ ସେମାନଙ୍କ ସମସ୍ୟା ସମ୍ପର୍କରେ କେବେ ଆଲୋଚନା ହୋଇ ନ ଥାଏ ବୋଲି ଉପରୋକ୍ତ ରିପୋର୍ଟରୁ ଜଣାପଡ଼ିଛି।
ଏ ପ୍ରସଙ୍ଗରେ ଆମେରିକା ସେନା ମୁଖ୍ୟାଳୟ ପେଣ୍ଟାଗନର ମତାମତ ଲୋଡ଼ିବାକୁ ଚେଷ୍ଟା କରାଯାଇଥିବାବେଳେ ଏହା ସମ୍ଭବ ହୋଇପାରି ନାହିଁ। ଅପରପକ୍ଷରେ ପେଣ୍ଟାଗନର ଜନୈକ ଅଧିକାରୀ କହିଛନ୍ତି ଯେ ପ୍ରତିରକ୍ଷା ମନ୍ତ୍ରୀ ଲଏଡ ଅଷ୍ଟିନ ଏ ସମ୍ପର୍କରେ ନିକଟ ଭବିଷ୍ୟତରେ ପ୍ରତିକ୍ରିୟା ରଖିବେ। ସେନା କର୍ମଚାରୀଙ୍କ ଏପରି ସମସ୍ୟାର ସମାଧାନ ଲାଗି ସଂସଦରେ ଉଦ୍ୟମ ଚାଲିଛି। ସେନା କର୍ମଚାରୀଙ୍କ ପରିବାରକୁ ସ୍ବତନ୍ତ୍ର ଭତ୍ତା ପ୍ରଦାନ ଲାଗି ବିଧେୟକ ଆସିବ ବୋଲି ସେ କହିଛନ୍ତି। ତେବେ ଏଭଳି ଗୁରୁତର ସମସ୍ୟା ପ୍ରତି ପେଣ୍ଟାଗନ୍ର ହେୟଜ୍ଞାନକୁ ବିଭିନ୍ନ ମହଲ ନିନ୍ଦା କରିଛନ୍ତି। ଆମେରିକାର ପ୍ରତିରକ୍ଷା ପ୍ରଶାସନ ସାହସର ସହ ଏହାକୁ ସ୍ବୀକାର କରିବା ସହ ସମାଧାନର ରାସ୍ତା ବାହାର କରିବା ଉଚିତ ବୋଲି ମତ ପ୍ରକାଶ ପାଉଛି।
Comments are closed.