www.samajalive.in
Sunday, December 7, 2025
26.1 C
Bhubaneswar

କଳିଙ୍ଗ ଷ୍ଟାଡ଼ିୟମରେ ଜାତୀୟ ଓପନ ଦୌଡ଼କୁଦ ୨୫ରୁ; ୬୦୦ ପ୍ରତିଯୋଗୀ

ଭୁବନେଶ୍ୱର : ଏସୀୟ ଦୌଡ଼କୁଦ ପ୍ରତିଯୋଗିତାରେ ବର୍ଷକ ପରେ ପୁଣି ଥରେ ଭୁବନେଶ୍ୱରରେ ଏକାଠି ହେବେ ଜାତୀୟ ଆଥ୍‍ଲେଟ। କଳିଙ୍ଗ ଷ୍ଟାଡିୟମରେ ସେପ୍ଟେମ୍ବର ୨୫ରୁ ୨୮ ପର୍ଯ୍ୟନ୍ତ ଜାତୀୟ ଓପନ ଦୌଡ଼କୁଦ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଓଡ଼ିଶା ସରକାର, ଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫ୍‍ଆଇ) ଓ ଓଡ଼ିଶା ଆଥ୍‍ଲେଟିକ ଆସୋସିଏସନ୍‍ର ମିଳିତ ସହଯୋଗରେ ୪ ଦିନ ଧରି ଆୟୋଜିତ ହେବାକୁ ଥିବା ଉକ୍ତ ପ୍ରତିଯୋଗିତାରେ ଦେଶ ଓ ବିଦେଶର ମୋଟ ୬୦୦ ଆଥ୍‍ଲେଟ୍‍ ଯୋଗଦେବେ ବୋଲି ମଙ୍ଗଳବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଦୌଡ଼କୁଦ ମହାସଂଘର ସାଧାରଣ ସମ୍ପାଦକ ସି.କେ. ଭାଲ୍‍ସନ ସୂଚନା ଦେଇଛନ୍ତି। ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟ ଆସୋସିଏସନ ଖେଳାଳିଙ୍କ ସହିତ ସର୍ଭିସେସ୍‍, ରେଳବାଇ, ଏଲ୍‍ଆଇସି ସମେତ ଅନ୍ୟାନ ଅନୁଷ୍ଠାନ ମଧ୍ୟ ଅଂଶଗ୍ରହଣ କରିବେ।
ଜାତୀୟ ଓପନ ଦୌଡ଼କୁଦ ପ୍ରତିଯୋଗିତା ଲାଗି ମୋଟ ୫୦ ଲକ୍ଷ ଟଙ୍କାର ବଜେଟ ରଖାଯାଇଛି। ଖେଳାଳିଙ୍କ ଲାଗି ୩୫୦ଟି ହୋଟେଲ ରୁମ୍‍ ବୁକିଂ କରାଯାଇଛି। ଖେଳାଳିମାନେ ୨୩ରୁ ଭୁବନେଶ୍ୱରରେ ପହଞ୍ଚିବା ଆରମ୍ଭ କରିବେ। ପ୍ରତିଯୋଗିତା ୨ଟି ପର୍ଯ୍ୟାୟରେ ଆୟୋଜିତ ହେବ। ପ୍ରଥମ ପର୍ଯ୍ୟାୟ ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଓ ୨ୟ ପର୍ଯ୍ୟାୟ ସନ୍ଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖେଳାଯିବ। ଖେଳ ପରିଚାଳନା କରିବା ଲାଗି ୮୦ ଜଣ ବୈଷୟିକ ଅଧିକାରୀ ଓ ୫୦ ଜଣ ଅଫିସିଆଲ ନିୟୋଜିତ ହେବେ ବୋଲି ଏଏଫଆଇ ସମ୍ପାଦକ ଭାଲ୍‍ସନ ସୂଚନା ଦେଇଥିଲେ। ନିକଟରେ ଇଣ୍ଡୋନେସିଆରେ ଶେଷ ହୋଇଥିବା ଏସୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ୬୯ଟି ପଦକ ହାସଲ କରିଛି। ଏଥିରେ ଦୌଡ଼କୁଦ ବିଭାଗରେ ୧୯ଟି ପଦକ ରହିଛି। ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ଖେଳାଳିଙ୍କ ମଧ୍ୟରୁ ୯୦ ପ୍ରତିଶତ ଖେଳାଳି ଏଥିରେ ଅଂଶଗ୍ରହଣ କରିବେ ବୋଲି ଭାଲ୍‍ସନ ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ା ଓ ଯୁବସେବା ବିଭାଗର ଯୁଗ୍ମ ନିର୍ଦେଶକ ମନୋଜ ପାଢୀ, ଓଡ଼ିଶା ଆଥ୍‍ଲେଟିକ୍‍ ଆସୋସିଏସନ ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରବୋଧ କୁମାର ମହାନ୍ତି, ହାଇପରଫର୍ମାନ୍‍ସ ଆଥ୍‍ଲେଟିକ ଏକାଡ଼େମୀ ବୈଷୟିକ ଅଧିକାରୀ ରାଜୀବ ସେଠ୍‍, ସୁମିତ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ।
ଓଡ଼ିଶା କ୍ରୀଡ଼ାବିତ୍‍ଙ୍କ ଭବିଷ୍ୟତ ଉଜ୍ଜ୍ୱଳ: ଭାଲ୍‍ସନ
ଓଡ଼ିଶା ସରକାର ମାତ୍ର ୯୦ ଭିତରେ ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ଆୟୋଜନ କରି ସାରା ବିଶ୍ୱରେ ନିଜର କ୍ରୀଡ଼ା ଦକ୍ଷତାକୁ ପ୍ରମାଣିତ କରିଥିଲେ। ଭୁବନେଶ୍ୱରକୁ କ୍ରୀଡ଼ା ରାଜଧାନୀରେ ଗଢି ତୋଳିବାରେ ସରକାର ସବୁ ପ୍ରକାର ଉଦ୍ୟମ ଚଳାଇଛନ୍ତି। ହାଇପରଫର୍ମାନ୍‍ସ ଆଥ୍‍ଲେଟିକ ଏକାଡ଼େମୀରୁ ଆରମ୍ଭକରି କଳିଙ୍ଗ କ୍ରୀଡ଼ା କମ୍ପେ୍ଲକ୍ସ, ହକି କମ୍ପେ୍ଲକ୍ସ, ବ୍ୟାଡ୍‍ମିଣ୍ଟନ ଏକାଡ଼େମୀ ଭଳି ଅନେକ ଯୋଜନା ସହ କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟି ପାଇଁ ତତ୍ପରତା ପ୍ରକାଶ କରିଛନ୍ତି। ଏସୀୟ କ୍ରୀଡ଼ାରେ ଦୁଇଟି ରୌପ୍ୟ ପଦକ ହାସଲ କରିଥିବା ଓଡ଼ିଆ ସ୍କ୍ରିଣ୍ଟର ଦୂତି ଚାନ୍ଦଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ କୋଟି ଟଙ୍କା ପୁରସ୍କାର ପ୍ରଦାନ କରି ନୂଆ ଇତିହାସ ସୃଷ୍ଟି କରିଛନ୍ତି। ଏହି ପୁରସ୍କାର ପ୍ରମାଣିତ କରିଛି ଯେ ଓଡ଼ିଶା ସରକାର କ୍ରୀଡ଼ାବିତ୍‍ ଓ କ୍ରୀଡ଼ା ପାଇଁ ସବୁବେଳେ ରହିଛନ୍ତି। ଓଡ଼ିଶା ସରକାରଙ୍କ କ୍ରୀଡ଼ା କ୍ଷେତ୍ରରେ ଏଭଳି ପଦକ୍ଷେପ ରାଜ୍ୟର କ୍ରୀଡ଼ାବିତ୍‍ଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ କରିବା ସହିତ ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ଭାଲ୍‍ସନ କହିଛନ୍ତି।
ଜାପାନର ୩ ଆଥ୍‍ଲେଟ
ଜାତୀୟ ଓପନ ଦୌଡ଼କୁଦ ପ୍ରତିଯୋଗିତାରେ ମୁଖ୍ୟ ଆକର୍ଷଣ ରହିବେ ଜାପାନର ୩ ଆଥ୍‍ଲେଟ ହିଟୋମି ସିମୁଗୁ, ସୟୋଗା ଆରୋଗି ଓ ଟୋକିସି ପେନମି। ହିଟୋମି ଓ ସୟୋଗା ୧୦୦ମିଟର ମହିଳା ହଡଲ୍ସରେ ଟୋକିସି ୪୦୦ମିଟର ଦୌଡ଼ରେ ଭାଗନେବେ। ସେହିପରି ଏସୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନେଇଥିବା ହିମା ଦାସ ଆହତ କାରଣରୁ ଓହରି ଯାଇଥିବା ବେଳେ ଜାଭେଲିନ ଥ୍ରୋୟର ନିରଜ ଚୋପ୍ରା ଅଂଶଗ୍ରହଣ କରିବେ। ଓଡ଼ିଶା ଆଥ୍‍ଲେଟ୍‍ମାନଙ୍କ ମଧ୍ୟରେ ଶ୍ରାବଣୀ ନନ୍ଦ ଆହତ କାରଣରୁ ଭାଗ ନେଉନଥିବା ବେଳେ ଅମୀୟ ମଲ୍ଲିକ ଅଂଶଗ୍ରହଣ କରିବେ।
ଖୁବ୍‍ ଶୀଘ୍ର ଆରମ୍ଭ ହେବ ହାଇପର୍‍ଫର୍ମାନ୍‍ସ ଆଥ୍‍ଲେଟିକ୍‍ ଏକାଡ଼େମୀ
ରାଜ୍ୟ ସରକାର, ଭାରତୀୟ ଦୌଡ଼କୁଦ ମହାସଂଘ ସହଯୋଗରେ କଳିଙ୍ଗ ଷ୍ଟାଡ଼ିୟମରେ ହାଇପରଫର୍ମାନ୍‍ସ ଆଥ୍‍ଲେଟିକ୍‍ ଏକାଡ଼େମୀ କାର୍ଯ୍ୟକ୍ଷମ କରିବ। ଅନ୍ତର୍ଜାତୀୟ ଦୌଡ଼କୁଦ ମହାସଂଘ ସହିତ ଏନେଇ ଗତ ୨୦୧୭ ଜୁଲାଇ ୯ରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏଥିପାଇର୍ଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଏଫଆଇ ପକ୍ଷରୁ ସ୍ୱତନ୍ତ୍ର ଭାବେ ବୈଷୟିକ ଅଧିକାରୀ ଭାବେ ରାଜୀବ ସେଠ୍‍ଙ୍କୁ ନିଯୁକ୍ତ କରାଯାଇଛି। ଏଠାରେ ଉନ୍ନତ ପ୍ରଶିକ୍ଷକ, ଫିଜିଓ ଓ ଟ୍ରେନର ମଧ୍ୟ ନିଯୁକ୍ତ କରାଯିବ। ଖୁବ୍‍ ଶୀଘ୍ର ପ୍ରଶିକ୍ଷକ ନିଯୁକ୍ତି ହେବା ସହିତ ପ୍ରଶିକ୍ଷଣ ଆରମ୍ଭ ହେବ ବୋଲି ଏଏଫଆଇ ସାଧାରଣ ସମ୍ପାଦକ ସି.କେ. ଭାଲ୍‍ସନ ସୂଚନା ଦେଇଛନ୍ତି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories