ବାତ୍ୟା ଜୱାଦ; ପୁରୀ ସମେତ ଉପକୂଳବର୍ତ୍ତୀ ଜିଲାଗୁଡିକରେ ବର୍ଷା ଜାରି

ପାରାଦୀପରେ ସର୍ବାଧିକ ୬୨ ମିଲିମିଟର ବର୍ଷା; ଆଜି ଅମାବାସୀ ଯୋଗୁଁ ସମୁଦ୍ର ଅଧିକ ଜୁଆରିଆ

ଭୁବନେଶ୍ୱର: : ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ବାତ୍ୟା ଜୱାଦ ସଂପ୍ରତି ଘଣ୍ଟାକୁ ୪ କିଲୋମିଟର ବେଗରେ ଉପୂକଳ ଆଡକୁ ଗତି କରୁଛି । ଗତ ୬ ଘଣ୍ଟା ଧରି ଏହାର ବେଗ ୪ କିଲୋମିଟର ରହିଛି । ପୂର୍ବରୁ ଏହାର ବେଗ ଘଣ୍ଟା ପ୍ରତି ୬ କିଲୋମିଟର ରହିଥିଲା । ଏହାର ପ୍ରଭାବରେ ଗଞ୍ଜାମ, ପୁରୀ, ପାରାଦୀପ, ଜଗତସିଂହପୁର ଆଦି ଜିଲାରେ ଶୁକ୍ରବାର ରାତିରୁ ବର୍ଷା ଲାଗି ରହିଛି । ପାରାଦୀପରେ ସର୍ବାଧିକ ୬୨ ମିଲିମିଟର ଓ ପୁରୀରେ ୪୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ବାତ୍ୟା ପାଇଁ ରାଜ୍ୟ ସରକାର ପୂର୍ଣ୍ଣ ପ୍ରସ୍ତୁତ ରହିଥିବାବେଳେ କଚ୍ଚା ଘର ଓ ଖାଲୁଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇସାରିଛି । ଏଥିସହିତ ଅଗ୍ନିଶମ, ଏନଡିଆରଏଫ ଏବଂ ଓଡ୍ରାଫ ବାହିନୀ ସଜାଗ ରହିଛନ୍ତି । ପ୍ରାୟ ୨୫୦ଟି ଏହିସବୁ ଦଳକୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇସାରିଛି । ଏହାର ପ୍ରଭାବ ଆନ୍ଧ୍ରପ୍ରଦେଶ ଉତ୍ତର ଉପକୂଳ ଅଞ୍ଚଳରେ ପଡିବାକୁ ଥିବାରୁ ଉକ୍ତ ରାଜ୍ୟର ୫୪ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ବାତ୍ୟାର ପ୍ରଭାବ ସହିତ ଆଜି ଅମାବାସ୍ୟା ତିଥି ରହିଥିବାରୁ ପୁରୀ ସମୁଦ୍ରରେ ଉଚ୍ଚ ଜୁଆର ସୃଷ୍ଟି ହେଉଛି । ପୁରୀ ଜିଲାରେ ଏପର୍ଯ୍ୟନ୍ତ ପ୍ରାୟ ୭୦୦ ଜଣ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇସାରିଛି । ସେମାନଙ୍କ ମଧ୍ୟରେ ଗର୍ଭବତୀ ମହିଳା ରହିଥିବା ଜଣାଯାଇଛି । ବାତ୍ୟା ଜୱାଦ ପୁରୀ ଠାରୁ ୪୬୦ କିଲୋମିଟର ଏବଂ ବିଶାଖାପାଟଣାଠାରୁ ୨୫୦ କିଲୋମିଟର ଦୂରରେ ରହିଛି । ଏଥିସହିତ ଗୋପାଳପୁରଠାରୁ ଏହା ୩୬୦ କିଲୋମିଟର ଦୂରରେ ରହିଥିବା ଜଣାଯାଇଛି । ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ଏହା ପୁରୀ ଛୁଇଁବା ଆକଳନ କରିଛି ପାଣିପାଗ । ଏହାର ପ୍ରଭାବରେ ଉପକୂଳ ଅଞ୍ଚଳରେ ଘଣ୍ଟାକୁ ସର୍ବାଧିକ ୯୫ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ରହିଛି । ପୁରୀ ଉପକୂଳରେ ପହଞ୍ଚିବା ବେଳକୁ ବାତ୍ୟାର ପ୍ରଭାବ କ୍ରମଶଃ ହ୍ରାସପାଇ ଏହା ଗଭୀର ଅବପାତରେ ପରିଣତ ହେବ ବୋଲି କହିଛି ପାଣିପାଗ ବିଭାଗ । ଏହା ଓଡ଼ିଶା, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଆଦି ରାଜ୍ୟ ପାଇଁ ଆଶ୍ୱସ୍ତିର ବିଷୟ ହୋଇଛି । ପବନର ବେଗ ହ୍ରାସ ପାଇଲେ ମଧ୍ୟ ବର୍ଷା ହେବ ବୋଲି କୁହାଯାଇଛି ।

kalyan agarbati

Comments are closed.