ପିପିଲି:ପିପିଲି ଟୋଲ୍ଗେଟ୍ ଠାରୁ ଏକ ବୋଲେରୋ ନେଇ ପଳାଉଥିବା ଜଣେ ଯୁବକକୁ ସୋମବାର ସକାଳେ ଲୋକେ କାବୁ କରି ପିପିଲି ପୁଲିସର ଜିମା ଦେଇଛନ୍ତି। ପୁଲିସ ଉକ୍ତ ଯୁବକକୁ ଥାନାରେ ଅଟକ ରଖିଥିବା ବେଳେ ସେ ଜଣକ ମାନସିକ ବିକାରଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ପିପିଲି ଟୋଲ୍ଗେଟ୍ କର୍ମଚାରୀମାନେ ବ୍ୟବହାର କରୁଥିବା ଏକ ବୋଲେରୋ ଗାଡି ଆଜି ସକାଳେ ଟୋଲ୍ଗେଟ୍ ଠାରେ ରହିଥିବା ବେଳେ ଜଣେ ଯୁବକ ହଠାତ୍ ବୋଲେରୋକୁ ନେଇ ଭୁବନେଶ୍ୱର ଅଭିମୁଖେ ପଳାଇଥିଲା। ପଛରୁ ଟୋଲଗେଟ୍୍ କର୍ମଚାରୀମାନେ ତାକୁ ଗୋଡାଇଥିଲେ। ତେବେ ଟଙ୍କପାଣି ନିକଟରେ ଉକ୍ତ ବୋଲେରୋକୁ ରାସ୍ତା କଡରେ ରଖି ଯୁବକ ଜଣକ ସେଠାରେ ଠିଆ ହୋଇଥିବା ଦେଖିବା ପରେ ଟୋଲ୍ଗେଟ୍ କର୍ମଚାରୀମାନେ ସେଠାରେ ତାକୁ କାବୁ କରିବା ପରେ ପିପିଲି ପୁଲିସର ଜିମା ଦେଇଥିଲେ।
ପିପିଲି ପୁଲିସ ତାକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ବେଳେ ସେ ମାନସିକ ବିକାରଗ୍ରସ୍ତ ହୋଇଥିବା ଜଣାପଡିଛି। ଉକ୍ତ ଯୁବକ ଜଣକ ମାନସିକ ବିକାରଗ୍ରସ୍ତ ଅବସ୍ଥାରେ ୨ଦିନ କାଳ ପିପିଲି ଟୋଲଗେଟ୍ ନିକଟରେ ରାସ୍ତା କଡରେ ବୁଲୁଥିବା ସୂଚନା ମିଳିଛି। ଏ ସଂପର୍କରେ ପୁଲିସରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ବେଳେ ଯୁବକ ଜଣକୁ ତା’ର ପରିବାରସଦସ୍ୟଙ୍କୁ କିମ୍ବା ତାର ପରିଚିତ ବ୍ୟକ୍ତିଙ୍କୁ ହସ୍ତାନ୍ତର କରାଯିବ ବୋଲି ଆଇଆଇସି ଅଭିମନ୍ୟୁ ନାୟକ ସୂଚନା ଦେଇଛନ୍ତି।



