www.samajalive.in
Monday, December 15, 2025
17.1 C
Bhubaneswar

ଶିଶୁ ମୃତ୍ୟୁ : ଜାତୀୟ ହାରଠୁ ଓଡ଼ିଶା ଆଗରେ

ଭୁବନେଶ୍ବର : ଜାତୀୟ ସ୍ତରରେ ଏବଂ ଓଡ଼ିଶାରେ ଶିଶୁ ମୃତ୍ୟୁହାର କମୁଥିଲେ ମଧ୍ୟ ସ୍ବାସ୍ଥ୍ୟସେବାର ବିକାଶ ପାଇଁ ସକଳ ଉଦ୍ୟମ ଭିତରେ ଏହା ତଥାପି ଉଦ୍‌ବେଗଜନକ ରହିଛି। ଜାତୀୟ ସ୍ତରରେ ଶିଶୁ ମୃତ୍ୟୁହାର ୨୦୧୧ରେ ୪୪ ଥିବାବେଳେ ୨୦୧୯ ସୁଦ୍ଧା ଏହା ୩୦କୁ କମିଥିଲା। ପ୍ରତି ୧୦୦୦ ଜନ୍ମିତ ଶିଶୁଙ୍କ ଭିତରୁ ଏକ ବର୍ଷ ପୂରଣ କରିବା ପୂର୍ବରୁ ଏହି ସଂଖ୍ୟକ ଶିଶୁ ଆରପାରିକୁ ଚାଲିଯାଉଛନ୍ତି।
ତେବେ ଓଡ଼ିଶାର ସ୍ଥିତିରେ ଉନ୍ନତି ଘଟିଥିଲେ ହେଁ ରାଜ୍ୟରେ ଶିଶୁ ମୃତ୍ୟୁହାର ଜାତୀୟ ହାରଠୁ ଉପରେ ରହିଛି। ପ୍ରତି ୧୦୦୦ ଜନ୍ମିତ ଶିଶୁଙ୍କ ଭିତରୁ ଜନ୍ମର ବର୍ଷକ ଭିତରେ ଜାତୀୟ ସ୍ତରରେ ୩୦ ଶିଶୁ ପ୍ରାଣ ହରାଉଥିବାବେଳେ ଓଡ଼ିଶାରେ ପ୍ରାୟ ୩୮ଜଣଙ୍କ ଜୀବନ ଯାଉଛି। ଓଡ଼ିଶା ସମେତ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଛତିଶଗଡ, ଆସାମ, ରାଜସ୍ଥାନ, ମେଘାଳୟ ଆଦି ୭ଟି ରାଜ୍ୟର ଶିଶୁ ମୃତ୍ୟୁହାର ଜାତୀୟ ହାରଠୁ ଅଧିକ ରହିଛି। ଦେଶରେ ହାରାହାରି ଶିଶୁ ମୃତ୍ୟୁହାର ୨୫କୁ କମାଇବା ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିଲେ ବି ପ୍ରାୟ ୧୩ଟି ରାଜ୍ୟରେ ଶିଶୁ ମୃତ୍ୟୁହାର ୨୫ ଉପରେ ରହିଛି। ନୂତନ ନମୁନା ପଞ୍ଜୀକରଣ ସର୍ବେକ୍ଷଣ (ଏସଆରସି) ତଥ୍ୟରୁ ଏହା ଜଣାପଡିଛି।
୨୦୧୨ ଏସଆରସି ତଥ୍ୟ ଅନୁସାରେ ଓଡ଼ିଶାରେ ଶିଶୁ ମୃତ୍ୟୁହାର ଥିଲା ୫୩ । ସାରା ଭାରତବର୍ଷର ଶିଶୁମୃତ୍ୟୁ କ୍ଷେତ୍ରରେ ଓଡ଼ିଶାର ସ୍ଥାନ ଥିଲା ତୃତୀୟ ସର୍ବାଧିକ। ମାତ୍ର ୨୦୧୧ରୁ ୨୦୧୫ ମଧ୍ୟରେ ଶିଶୁ ମୃତ୍ୟୁହାର ୧୯.୩% ହ୍ରାସ ପାଇଲେ ହେଁ ୨୦୧୫ରୁ ୨୦୧୯ ମଧ୍ୟରେ ହ୍ରାସ ହାର ୧୭.୪% ରେ ସୀମିତ ଥିଲା। ୨୦୧୫-୧୯ ମଧ୍ୟରେ ଓଡ଼ିଶାରେ ଶିଶୁ ମୃତ୍ୟୁହାର ହ୍ରାସ ପରିମାଣ ଜାତୀୟ ହାର (-୧୮.୯%)ଠୁ ପଛରେ ଥିଲା। ଶିଶୁ ମୃତ୍ୟୁହାର କମାଇବାରେ ସହର ଓ ଗ୍ରାମାଞ୍ଚଳ ଭିତରେ ବି ବିରାଟ ବ୍ୟବଧାନ ରହିଛି। ଗ୍ରାମାଞ୍ଚଳଠାରୁ ମୃତ୍ୟୁହାର କମାଇବାରେ ସହରାଞ୍ଚଳ ଆଗରେ ରହିଛି। ୨୦୧୧ରୁ ୨୦୧୫ ମଧ୍ୟରେ ଶିଶୁ ମୃତ୍ୟୁ ହାର ଦେଶର ସହରାଞ୍ଚଳରେ ୧୩.୮% କମିଥିବାବେଳେ ଗ୍ରାମାଞ୍ଚଳରେ ୧୪.୬% କମିଥିଲା।
ଓଡ଼ିଶା ଶିଶୁ ମୃତ୍ୟୁହାର କମାଇବାରେ ଜାତୀୟ ହାରଠୁ ପଛରେ ଥିବାବେଳେ ୬ରୁ ୫୯ମାସ ଶିଶୁଙ୍କ କ୍ଷେତ୍ରରେ ରକ୍ତହୀନତା ହାର କମାଇବାରେ ଜାତୀୟ ହାରଠୁ ଆଗରେ ରହିଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ତଥ୍ୟ ଅନୁସାରେ ଓଡ଼ିଶାରେ ୫ବର୍ଷରୁ କମ୍‌ ଶିଶୁଙ୍କ ମୃତ୍ୟୁହାର ୪୮ ଥିବାବେଳେ ଜାତୀୟ ସ୍ତରରେ ୫୦ରହିଛି। ତେଣୁ ରକ୍ତହୀନତା ଏବଂ ୫ବର୍ଷରୁ କମ୍‌ ବର୍ଷର ଶିଶୁ ମୃତ୍ୟୁହାର କ୍ଷେତ୍ରରେ ରାଜ୍ୟ ଜାତୀୟ ହାରଠୁ ବେଶ୍‌ ଭଲ ସ୍ଥିତିରେ ରହିଛି।
୨୦୧୫-୧୬ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ତଥ୍ୟ ଅନୁସାରେ ଓଡ଼ିଶାରେ ପ୍ରତି ୧୦୦୦ ଜନ୍ମିତ ଶିଶୁରେ ମୃତ୍ୟୁହାର ଥିଲା ୪୦। ଜାତୀୟ ସ୍ତରରେ ଏହି ହାର ଥିଲା ୪୧। କିନ୍ତୁ ବର୍ତ୍ତମାନର ନମୁନା ପଞ୍ଜୀକରଣ ସର୍ବେକ୍ଷଣ ତଥ୍ୟ କହୁଛି ଏବେ ଭାରତରେ ଶିଶୁ ମୃତ୍ୟୁହାର ୩୦ ଥିବାବେଳେ ଓଡ଼ିଶାରେ ତା’ଠୁ ଅଧିକ ୩୮ ରହିଛି। ଶିଶୁ ମୃତ୍ୟୁହାରରେ ଓଡ଼ିଶା ପଞ୍ଚମ ସର୍ବାଧିକ ତାଲିକାରେ ଥିବାବେଳେ ଆଗରେ ରହିଛି ମଧ୍ୟପ୍ରଦେଶ ଏବଂ ତା’ପଛକୁ ଉତ୍ତରପ୍ରଦେଶ, ଛତିଶଗଡ ଏବଂ ଆସାମ। ଶିଶୁ ମୃତ୍ୟୁହାର କମାଇବା କ୍ଷେତ୍ରରେ ୨୦୧୧ରୁ ୨୦୧୫ ଭିତରେ ସରକାର ଯେଭଳି ତତ୍ପରତା ଦେଖାଉଥିଲେ ଗତ ୫ବର୍ଷରେ ସେଥିରେ ଶିଥିଳତା ଆସିଥିବା ଲକ୍ଷ୍ୟ କରାଯାଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories