www.samajalive.in
Sunday, December 14, 2025
19.1 C
Bhubaneswar

ରାଜ୍ୟରେ ପଞ୍ଚାୟତ ଅଛି, କିନ୍ତୁ ପଞ୍ଚାୟତିରାଜ ନାହିଁ : କଂଗ୍ରେସ

ଭୁବନେଶ୍ୱର : ଓଡିଶାର ପଞ୍ଚାୟତିରାଜ ବ୍ୟବସ୍ଥାକୁ ରୁଗଣ ଓ ପଙ୍ଗୁ କରିଛି ରାଜ୍ୟର କ୍ଷମତାସୀନ ବିଜେଡି ସରକାର। ଏଠାରେ ପଞ୍ଚାୟତ ଅଛି ସତ, କିନ୍ତୁ ପଞ୍ଚାୟତିରାଜ ବ୍ୟବସ୍ଥା ନାହିଁ । କେନ୍ଦ୍ରରେ କଂଗ୍ରେସ ସରକାର ସମୟରେ ୧୯୯୨ ମସିହାରେ ୭୩ ତମ ଓ ୭୪ ତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ ଯେଉଁ ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାକୁ ସାମ୍ବିଧାନିକ ସ୍ୱିକୃତୀ ଦିଆ ଯାଇଥିଲା ତାହ ବିଜେଡି ଶାସନ ସମୟରେ କେବଳ ଅବକ୍ଷୟମୁଖୀ ହୋଇ ନାହିଁ, ଅପରନ୍ତୁ ଏହା ଅଫିସର ରାଜରେ ପରିଣତ ହୋଇଛି ବୋଲି ଶୁକ୍ରବାର କଂଗ୍ରେସ ମୁଖପାତ୍ର ତଥା ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ଅଧ୍ୟକ୍ଷ  ସୁଦର୍ଶନ ଦାସ ଅଭିଯୋଗ ଆଣିଛନ୍ତି ।
ନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନେ ସରକାରୀ ଅଫିସର ଓ ବାବୁମାନଙ୍କ ହାତରେ କ୍ରୀଡନକ ସାଜିଛନ୍ତି। ମୁଖ୍ୟମନ୍ତ୍ରୀ ପଞ୍ଚାୟତ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେବା ଏକ ପ୍ରହସନ ବ୍ୟତୀତ ଆଉ କିଛି ନୁହେଁ । ମୁଖ୍ୟମନ୍ତ୍ରୀ ପଞ୍ଚାୟତ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେବା ଘୋଷଣା କଲାବେଳେ ତାଙ୍କ ସରକାରର ପଞ୍ଚାୟତିରାଜ ବିଭାଗର ସଚିବ ବିଡିଓଙ୍କ ବିନା ଦସ୍ତଖତରେ ପଞ୍ଚାୟତମାନେ ଟଙ୍କାଟେ ଖର୍ଚ୍ଚ କରି ପାରିବେ ନାହିଁ ବୋଲି ସର୍କୁଲାର ଜାରି କରିଥିଲେ। ଏହା ପଞ୍ଚାୟତ ପ୍ରତିନିଧିଙ୍କ ପ୍ରତି କେବଳ ଅସମ୍ନାନ ନୁହେଁ, ସମ୍ବିଧାନ ପ୍ରତି ମଧ୍ୟ ଉପହାସ ।
ପଞ୍ଚାୟତିରାଜ ବ୍ୟବସ୍ଥାରେ ଗ୍ରାମ ସଭା ହେଉଛି ଖୁବ୍ ଗୁରୁତ୍ୱପୂର୍ଣ୍ଣ ଓ ମୈାଳିକ ଉପାଦାନ । ମାତ୍ର ବିଜେଡି ସରକାର ଏହି ଗ୍ରାମ ସଭାକୁ ଗୁରୁତ୍ୱହୀନ କରି ପଞ୍ଚାୟତିରାଜ ବ୍ୟବସ୍ଥାର ସାମ୍ବିଧାନିକ ବିଧି ବିଧାନକୁ ଅବମାନନା କରି ଚାଲିଛନ୍ତି । ସରକାରୀ ପ୍ରରୋଚନାରେ ଗ୍ରାମ ସଭାକୁ ବନ୍ଦ କରାଯାଇଛି । ‘ଆମ ଗାଁ – ଆମ ବିକାଶ’ ଯୋଜନା ଗ୍ରାମ ସଭାର ଗୁରୁତ୍ୱକୁ ଅବମାନନା କରାଯିବାର ଏକ ବଳିଷ୍ଠ ଉଦାହରଣ । ସମ୍ବିଧାନ ମୂତାବକ ଗ୍ରାମ ସଭା ମାଧ୍ୟମରେ ଗାଁ ବା ପଞ୍ଚାୟତର ବିକାଶ ମୂଳକ ପ୍ରକଳ୍ପ ଗୁଡିକ ଅନୁମୋଦିତ ହେବା କଥା । ମାତ୍ର ‘ଆମ ଗାଁ – ଆମ ବିକାଶ’ ଯୋଜନାରେ ପ୍ରକଳ୍ପ ଗୁଡିକ ଗ୍ରାମ ସଭାର ବିନା ଅନୁମୋଦନରେ କାର୍ଯ୍ୟକାରୀ ହେଉଛି । ମୁଖ୍ୟ ମନ୍ତ୍ରୀ ଭୂବନେଶ୍ୱରର ତୃତୀୟ ମହଲାରେ ବସି ପଞ୍ଚାୟତ ଗୁଡିକରେ ପ୍ରକଳ୍ପ ସବୁକୁ ଘୋଷଣା କରିବା ସିଧା ସଳଖ ଭାବରେ ପଞ୍ଚାୟତିରାଜ ବ୍ୟବସ୍ଥାର ସମ୍ବିଧାନିକ ବିଧି ବିଧାନ ପ୍ରତି ଏକ କୁଠାରଘାତ ଓ ଚରମ ଉପହାସ ବୋଲି କଂଗ୍ରେସ ପ୍ରବକ୍ତା ଶ୍ରୀ ଦାସ କରିଛନ୍ତି ।
ବିଜେଡି ଶାସନ ସମୟରେ ପଞ୍ଚାୟତିରାଜ ବ୍ୟବସ୍ଥା ଦୁର୍ନୀତିର ଏକ ଗନ୍ତାଘର ପାଲଟିଛି । ଶାସକ ଦଳର ନେତା ଓ କର୍ମୀମାନେ ପଞ୍ଚାୟତକୁ ବ୍ୟବହାର କରି ଖୋଲମ ଖୋଲା ସରକାରୀ ଅର୍ଥକୁ ହରିଲୁଟ କରୁଛନ୍ତି । ନିମ୍ନ ମାନର କାମ ଓ ଏପରିକି ଅନେକ ପଂଚାୟତରେ ମିଛ ବିଲ୍ କରି ଲକ୍ଷ ଲକ୍ଷ ଟଙ୍କା ସରକାରୀ ଦଳର ନେତାମାନେ ଆତ୍ମସାତ କରୁଛନ୍ତି ।  ନିକଟରେ ଜଳେଶ୍ୱରର କଳମା ସମେତ ଅନେକ ପଞ୍ଚାୟତରେ ଆର୍‌.ଟି. ଆଇ ମାଧ୍ୟମରେ ଏହାର ପର୍ଦ୍ଦାଫାସ କଲାପରେ ଭିଜିଲାନ୍ସ ତଦନ୍ତ ଚାଲୁରହିଛି । ପିସି କାରବାର ପଞ୍ଚାୟତରେ ଖୋଲମଖୁଲା ଚାଲିଛି, ଯାହାକି ଗାଁ ବିକାଶର ଏକ ବଡ ବାଧକ। ମୁଖ୍ୟମନ୍ତ୍ରୀ ନିଜେ ପିସି କାରବାର ବନ୍ଦ କରିବା ପାଇଁ ଆହ୍ୱାନ ଦେଇଥିଲେ । ତାଙ୍କର ଏହି ଆହ୍ୱାନ ଏକ ଧୂଆଁ ବାଣ । ବାସ୍ତବିକ ଶାସକ ଦଳ ପଞ୍ଚାୟତିରାଜ ବ୍ୟବସ୍ଥାର ପିସି କାରବାରକୁ ଏକ ନିୟମରେ ପରିଣତ କରି ଦେଇଛି, ସେଥି ପାଇଁ ମୂଖ୍ୟମନ୍ତ୍ରୀ ଉତ୍ତର ଦାୟୀ ।
ଆସନ୍ତା ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଞ୍ଚାୟତ ଗୁଡ଼ିକରେ ଦୁର୍ନୀତି ଓ ଯୋଜନା ଗୁଡିକର ଅସଫଳ ପ୍ରଣୟନକୁ ନେଇ ଓଡ଼ିଶା ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ପକ୍ଷରୁ ଜନଶୁଣାଣୀ କରାଯାଇ ଶାସକ ଦଳର ନେତା ଓ କର୍ମୀମାନଙ୍କର ଏଥିରେ ଥିବା ସଂପୃକ୍ତିର ପର୍ଦାଫାଶ କରାଯିବ। ଏହା ବ୍ୟତୀତ ସ୍ଥାନୀୟ ସମସ୍ୟାକୁ ନେଇ ଜିଲ୍ଲା ସ୍ତରରେ ନିର୍ବାଚନୀ ଇସ୍ତାହାର ମଧ୍ୟ କଂଗ୍ରେସ ଦଳ ପକ୍ଷରୁ ପ୍ରକାଶ କରାଯିବ ।
କଂଗ୍ରେସ ଯେଉଁ ମହତ ଆକାଂକ୍ଷା ନେଇ ସମ୍ବିଧାନ ସଂଶୋଧନ ମାଧ୍ୟମରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବାପାଇଁ ପ୍ରୟାସ କରିଥିଲା ତାକୁ ସାକାର କରିବାପାଇଁ ତୃଣମୂଳ ସ୍ତରରେ ବିଭିନ୍ନ ବର୍ଗର ଜନସାଧାରଣଙ୍କୁ ସାହାଯ୍ୟ ଓ ସହଯୋଗ କରିବାପାଇଁ ଦଳ ପକ୍ଷରୁ ଶ୍ରୀ ଦାସ ନିବେଦନ କରିଛନ୍ତି ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories