ଦରଦାମ ବୃଦ୍ଧି: ଆଜି ରାଜଭବନ ଆଗରେ ଧାରଣା ଦେବ ବିଜୁ ମହିଳା ଜନତା ଦଳ

ନଭେମ୍ବର ୧ରୁ ନିର୍ବାଚନ ମଣ୍ଡଳୀ ସ୍ତରରେ ପ୍ରତିବାଦ

ପେଟ୍ରୋଲ, ଡିଜେଲ ଓ ଏଲପିଜି ଦର ସମେତ ଆବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ବିରୁଦ୍ଧରେ ଆଜି ବିଜୁ ମହିଳା ଜନତା ଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯିବ। କେନ୍ଦ୍ରର ବିଜେପି ସରକାର ଦ୍ୱାରା, ପେଟ୍ରୋଲ, ଡିଜେଲ, ଏଲପିଜି, ଖାଇବାତେଲ, ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ହ୍ରାସ ଦାବିରେ ଏକ ସ୍ମାରକପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ପ୍ରଦାନ କରାଯିବ। ସେହିପରି ଆସନ୍ତା ନଭେମ୍ବର ୧ ତାରିଖରେ ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରରେ ବିଜୁ ଜନତା ଦଳ ପକ୍ଷରୁ ପ୍ରତିବାଦ କରାଯିବା ସହିତ ଜିଲ୍ଲାପାଳ/ଉପଜିଲ୍ଲାପାଳ/ବିଡିଓ କିମ୍ବା ଅନ୍ୟ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ବିଜେଡି କହିଛି।

ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ ଓ ପ୍ରମିଳା ମଲ୍ଲିକ କହିଛନ୍ତି ଯେ କେନ୍ଦ୍ରରେ କ୍ଷମତାସୀନ ବିଜେପି ଦର ଦାମ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଯାହାକି ଓଡିଶା ଓ ଦେଶର ଲୋକଙ୍କ ପାଇଁ ଯନ୍ତ୍ରଣାଦାୟକ ହୋଇଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଅକ୍ଷମଣୀୟ। ରାଜ୍ୟ ତମାମ ସବୁ ବର୍ଗର ପରିବାରକୁ ରନ୍ଧନଗ୍ୟାସର ଦରବୃଦ୍ଧି ପ୍ରଭାବିତ କରିଛି। ୧୫.୪ କିଲୋ ଓଜନର ରନ୍ଧନଗ୍ୟାସ ସିଲିଣ୍ଡର ଦର ରାଜ୍ୟରେ ଏବେ ୧୦୦୦ ଟଙ୍କା ଛୁଇଁଛି। ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୯ ଟଙ୍କା ୭୧ ପଇସା, ଡିଜେଲ ୧୦୬ ଟଙ୍କା ୩୨ ପଇସା ଓ ୧୪.୨ କିଲୋ ଏଲପିଜି ସିଲିଣ୍ଡର ଦର ୯୨୬ ଟଙ୍କା ରହିଛି। ତେବେ ୨୦୧୯ରେ ବିଜେପି କେନ୍ଦ୍ରରେ ଦୁଇଥର କ୍ଷମତାକୁ ଆସିଥିବାବେଳେ ପେଟ୍ରୋଲ ଲିଟର ୭୧ ଟଙ୍କା ଓ ଡିଜେଲ ୬୫ ଟଙ୍କା ରହିଥିଲା। ଗତ ଦୁଇବର୍ଷ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଆକାଶଛୁଆଁ ଗତିରେ ୩୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି ଯାହାକି ନିକଟ ଅତୀତରେ ଇନ୍ଧନ ଦର ବୃଦ୍ଧିରେ ସର୍ବାଧିକ। ବଜାର ବିଶେଷଜ୍ଞଙ୍କ ଅନୁସାରେ କ୍ରମାଗତ ଇନ୍ଧନ ଦର ବୃଦ୍ଧି ଯୋଗୁଁ ବିଗତ ବର୍ଷରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ୪୦% ରୁ ୧୦୦% ପର୍ଯ୍ୟନ୍ତ ବୃଦ୍ଧି ପାଇଛି।

ଏସବୁ ସ୍ଥିତିରେ ସୁଧାର ଆଣିବା ପାଇଁ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ବିଶେଷ କିଛି ପଦକ୍ଷେପ ନେଉନାହାନ୍ତି। ରନ୍ଧନଗ୍ୟାସ, ପରିବହନ ଓ ପ୍ରତ୍ୟେକ ଲୋକଙ୍କର ଦୈନନ୍ଦନି ମୌଳିକ ଆବଶ୍ୟକତା ସହ ଜଡିତ ସବୁକିଛି ମହଙ୍ଗା ହେବାରେ ଲାଗିଛି। କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଆର୍ଥିକ ପରିଚାଳନା ଯୋଗୁଁ ଏସବୁ ସମସ୍ୟା ଅଧିକ ହେବାରେ ଲାଗିଛି ବୋଲି ସେମାନେ କହିଛନ୍ତି।

Comments are closed.