ଦରମା ବନ୍ଦ; ନବୀକରଣ ହେବନି ଚୁକ୍ତି
ଭୁବନେଶ୍ୱର: ଶିକ୍ଷକ ଆନ୍ଦେଳାନକୁ ଗଣଶିକ୍ଷା ବିଭାଗ ଗୁରୁତର ସହ ନେଇଛି। ବିଭାଗୀୟ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସବୁ ଶିକ୍ଷା ନିର୍ଦେଶକଙ୍କୁ ପତ୍ର ଲେଖି ଯେଉଁ ଶିକ୍ଷକ ବିନା ଅନୁମତିରେ ଆନ୍ଦୋଳନରେ ସାମିଲ ହୋଇଥିବେ ସେମାନଙ୍କୁ ଚିହ୍ନଟ କରି ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଛନ୍ତି।
ବିନା ଅନୁମତିରେ ଅନୁପସ୍ଥିତ ଥିବା ଶିକ୍ଷକମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ ସହିତ ସେମାନଙ୍କ ଦରମା ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି। ବିଦ୍ୟାଳୟରେ ଶିକ୍ଷକମାନଙ୍କ ଉପସ୍ଥାନ ଉପରେ ନଜର ରଖିବାକୁ ନିର୍ଦେଶ ଦିଆଯାଇଛି। ୬ତାରିଖଠାରୁ ଯେଉଁ ଶିକ୍ଷକମାନେ ବିନାନୁମତିରେ ଅନୁପସ୍ଥିତ ରହିବେ ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେମାନେ ଅନୁପସ୍ଥିତ ଥିବା ଦିନଠାରୁ ଦରମା ବନ୍ଦ କରିବାକୁ କୁହାଯାଇଛି। ବିନା କାରଣରେ ଯଦି ଚୁକ୍ତିଭିତ୍ତିକ ଶିକ୍ଷକମାନେ ଅନୁପସ୍ଥିତ ରହିବେ ତେବେ ଆଗାମୀ ମାର୍ଚ୍ଚରେ ସେମାନଙ୍କ ବାର୍ଷିକ ଚୁକ୍ତି ନବୀକରଣ କରାଯିବ ନାହିଁ। ଆବଶ୍ୟକ ସ୍ଥଳେ ସେମାନଙ୍କୁ କାର୍ୟ୍ୟରୁ ଅନ୍ତର କରିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିପାରିବେ।
ଅନ୍ୟପକ୍ଷରେ ଗୁରୁବାର ପୁନଶ୍ଚ ବିଭାଗ ପକ୍ଷରୁ ସବୁ ଶିକ୍ଷା ନିର୍ଦେଶକଙ୍କୁ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥିତି ନେଇ ନିର୍ଦିଷ୍ଟ ଫର୍ମାଟରେ ସରକାରଙ୍କୁ ଅବଗତ କରାଇବାକୁ ନିର୍ଦେଶ ଦିଆଯାଇଛି। ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ବିଶ୍ୱନାଥ ପ୍ରଧାନ ସବୁ ଶିକ୍ଷା ଅଧିକାରୀଙ୍କ ଦେଇଥିବା ପତ୍ରରେ ସବୁ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଫର୍ମାଟରେ ଦେବାକୁ କହିଛନ୍ତି। ଯଦି ଆବଶ୍ୟକ ପଡେ ତେବେ ନିକଟସ୍ଥ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପଢ଼ାଇବାପାଇଁ ସରକାର ପଦକ୍ଷେପ ଗ୍ରହଣ କରିପାରନ୍ତି ବୋଲି ବିଭାଗ ପକ୍ଷରୁ ଜଣାଯାଇଛି।