ତୀବ୍ର ଅବପାତ ରୂପ ନେଲା ଲଘୁଚାପ: ବର୍ଷା ଆଉ ୨୪ଘଣ୍ଟା

0

ଭୁବନେଶ୍ୱର: ଉତ୍ତରପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶାରେ ତୀବ୍ର ଅବପାତ ରୂପ ନେଇଥିବା ଲଘୁଚାପ ଗୁରୁବାର ଅପରାହ୍ନରେ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିଛି। ଦୀଘାଠାରୁ ପଶ୍ଚିମ-ଦକ୍ଷିଣ ପଶ୍ଚିମରେ ୨୫କିମି ଦୂର ତଥା
ଝାଡ଼ଖଣ୍ଡର ଜାମସେଦପୁରଠାରୁ ୧୮୦କିମି ଦୂରରେ ଦକ୍ଷିଣପୂର୍ବରେ କେନ୍ଦ୍ରୀଭୂତ ହୋଇଥିବା ଅବପାତ ପଶ୍ଚିମ-ଉତ୍ତର ପଶ୍ଚିମରେ ଗତି କରି କ୍ରମଶଃ ଦୁର୍ବଳ ହୋଇ ପରବର୍ତ୍ତୀ ୨୪ଘଣ୍ଟାରେ ଲଘୁଚାପରେ ରୂପାନ୍ତରିତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଗାମୀ ୨୪ଘଣ୍ଟାରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।
ଆସନ୍ତାକାଲି ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ନୂଆପଡ଼ା ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ହୋଇପାରେ
ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହାବ୍ୟତୀତ ମୌସୁମି ସକ୍ରିୟ ଥିବାରୁ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ବର୍ଷା ହୋଇପାରେ। ଘୂର୍ଣ୍ଣିବଳୟ ଓ ଅବପାତ ପ୍ରଭାବରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟାକୁ ୫୦ରୁ ୬୦ ଓ ସ୍ଥଳ ବିଶେଷରେ ୭୦କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ରାଜ୍ୟର ସମସ୍ତ ବନ୍ଦରଗୁଡ଼ିକରେ ତିନି ନମ୍ବର ବିପଦସଙ୍କେତ ଜାରି କରାଯାଇଛି। ଏହି ସମୟରେ ସମୁଦ୍ର ଖୁବ୍‍ ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀ ଆସନ୍ତା ୨୪ଘଣ୍ଟା ମଧ୍ୟରେ ସମୁଦ୍ରକୁ ନଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରିଦିଆଯାଇଛି।
ଗତ ୨୪ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାରେ ଅତି ପ୍ରବଳ ବର୍ଷା ସ୍ୱାଭାବିକ ଜୀବନଯାତ୍ରାକୁ ପ୍ରଭାବିତ କରିଛି। ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ୟ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଏବେ ରାଜ୍ୟର ସମସ୍ତ ନଦୀ ବିପଦସଙ୍କେତ ତଳେ ପ୍ରବାହିତ ହେଉଛି। ବୈତରଣୀ ଫୁଲୁଛି। ଆଖୁଆପଦାଠାରେ
ଏହା ସତର୍କ ସୂଚନା ଉପରେ ରହିଛି। ଏଠାରେ ଜଳସ୍ତର ବଢ଼ିବାର ସମ୍ଭାବନା ରହିଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଓ କଟକ ଜିଲାରେ ପ୍ରବଳ ବର୍ଷା ଯୋଗୁଁ ଅଧିକାଂଶ ଅଞ୍ଚଳ ପାଣି ଘେରରେ ରହିଛି।
ଏହି ସମୟରେ ରାଜ୍ୟରେ ହାରାହାରି ୫୫ମିମି ବର୍ଷା ରେକର୍ଡ଼ କରାଯାଇଛି। ଜଗତସିଂହପୁରର ଏର୍ସମା ବ୍ଳକରେ ସର୍ବାଧିକ ୪୩୫ମିମି ବର୍ଷିଥିବାବେଳେ ପାରାଦ୍ୱୀପରେ ୪୧୨ମିମି ବର୍ଷା ହୋଇଛି।
ଜିଲାୱାରୀ ମିଳିଥିବା ତଥ୍ୟ ଅନୁସାରେ ରାଜ୍ୟର ୨ଟି ଜିଲାରେ ୨୦୦ ଓ ୩ଟି ଜିଲାରେ ହାରାହାରି ୧୦୦ମିମିରୁ ଅଧିକ ବର୍ଷା ହୋଇଛି। କେନ୍ଦ୍ରାପଡ଼ାରେ ୨୭୧.୭, ଜଗତସିଂହପୁରରେ ୨୩୬, ଯାଜପୁରରେ ୧୩୭, କଟକରେ ୧୧୩ ଓ ଭଦ୍ରକରେ ୧୦୫ମିମି ବର୍ଷା ହୋଇଛି।
ଗୋଟିଏ ବ୍ଲକରେ ୪୦୦ମିମିରୁ ଅଧିକ, ୫ଟି ବ୍ଲକରେ ୩୦୦ରୁ ୪୦୦ମିମି, ୮ଟି ବ୍ଲକରେ ୨୦୦ରୁ ୩୦୦ ଓ ୩୨ଟି ବ୍ଲକରେ ୧୦୦ରୁ ୨୦୦ମିମି ମଧ୍ୟରେ ବର୍ଷା ହୋଇଛି। ରାଜ୍ୟର ୪୬ଟି ବ୍ଳକରେ ହାରାହାରି ୧୦୦ମିମିରୁ ଅଧିକ ବର୍ଷା ହୋଇଛି।
ଏଥିସହିତ ଚଳିତ ବର୍ଷା ଋତୁରେ ଏ ପର୍ୟ୍ୟନ୍ତ(ଜୁନ ୧ରୁ ସେପ୍‍ଟେମ୍ବର ୬) ବୃଷ୍ଟିପାତ ସ୍ୱାଭାବିକଠାରୁ ୧୬ପ୍ରତିଶତ ଅଧିକ ହୋଇଛି। ୧୨ଟି ଜିଲାରେ ୧୯ପ୍ରତିଶତରୁ ଅଧିକ ଏବଂ ୧୮ଟି ଜିଲାରେ ସ୍ୱାଭାବିକ ବର୍ଷା ହୋଇଛି। ବ୍ଲକୱାରୀ ହିସାବ ଅନୁସାରେ ରାଜ୍ୟର ୧୨୫ଟି ବ୍ଲକରେ ବଳକା, ୧୬୧ଟି ବ୍ଳକରେ ସ୍ୱାଭାବିକ, ୨୭ଟି ବ୍ଲକରେ ନିଅଣ୍ଟ ଓ ୫ଟି ବ୍ଲକରେ ଅତି ନିଅଣ୍ଟ ବର୍ଷା ହୋଇଛି।
ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଶୁମାନଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖବାକୁ ନିର୍ଦେଶ ଦେଇଛନ୍ତି। ଏହାବ୍ୟତୀତ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଭୁବନେଶ୍ୱରର ସମସ୍ତ ସ୍କୁଲ ଆସନ୍ତାକାଲି ବନ୍ଦ ରହିବ। ଜିଲାପାଳମାନେ ସେମାନଙ୍କ ଜିଲାର ବର୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ବନ୍ଦ ସଂକ୍ରାନ୍ତରେ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

kalyan agarbati
Leave A Reply